ଏସ୍. ସି. ଏସ୍. ଓଡ଼ିଆ ବିଭାଗରେ ଅନ୍ତର୍ଜାତୀୟ ସମ୍ମିଳନୀ

ପୁରୀ : ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗଦ୍ୱାରା ଦ୍ଵି- ଦିବସୀୟ ଆନ୍ତର୍ଜାତୀୟ ସମ୍ମିଳନୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦ୍ଵିବେଦୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । “ଏକବିଂଶ ଶତାବ୍ଦୀ: ପରିବେଶ, ସଭ୍ୟତା ଓ ସାହିତ୍ୟ” ବିଷୟ ଉପରେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ଗବେଷକ ଓ ଅଧ୍ୟାପକ-ଅଧ୍ୟାପିକା, ଚାଳିଶିରୁ ବେଶୀ ପ୍ରବନ୍ଧ ପାଠ କରିବା ସହିତ ଆଲୋଚନାରେ ଅଂଶ ଗ୍ରହଣ କରିବେ ବୋଲି ଜଣାଯାଇଛି । ଏହି ସମ୍ମିଳନୀରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଯୋଗ ଦେଇ ଏକବିଂଶ ଶତାବ୍ଦୀର ବିଭିନ୍ନ ଅର୍ଥନୈତିକ ଓ ସାମାଜିକ ସମସ୍ୟା ସମ୍ପର୍କରେ ଆଲୋଚନା କରି ସାହିତ୍ୟ ସର୍ଜନାରେ ଏସବୁକୁ ଚିତ୍ରଣ କରିବାକୁ ବକ୍ତବ୍ୟରେ କହିଥିଲେ । ଅନ୍ତର୍ଜାତୀୟ ଅତିଥି ଭାବରେ ଜପାନରୁ ନାଚୋସ ମିୟାହର ଓ ଏରିକୋ ତୋସିମା ଯୋଗଦେଇ ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଜାପାନର ପରିବେଶ, ବିକାଶ ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବରେ ସମାଜସେବୀ ଓ ଭାରତ-ଜାପାନ ମୈତ୍ରୀ ସଂଘର ସଭାପତି ଶ୍ରୀମନ୍ତ କୁମାର ଦାସ ଯୋଗ ଦେଇ ଭାରତ ଓ ଜାପାନର ସଭ୍ୟତା ଓ ପରିବେଶ ସମ୍ପର୍କରେ ତୁଳନାତ୍ମକ ଆଲୋଚନା କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ଦିଲୀପ କୁମାର ସ୍ୱାଇଁ ଭିତ୍ତିପ୍ରବନ୍ଧ ପାଠ କରି ଜଗତୀକରଣ ଓ ଡିଜିଟାଲ ଧ୍ରୁବିକରଣ କିପରି ଆମର ସଭ୍ୟତା ଓ ସାହିତ୍ୟକୁ ପ୍ରଭାବିତ କରିଛି ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମଟି ଓଡ଼ିଆ ବିଭାଗର ପ୍ରାକ୍ତନ ବିଦ୍ୟାର୍ଥୀ ମାନଙ୍କ ସଂଗଠନ ‘ଓଡ୍ରଜା’ ଓ ଓଡ଼ିଆ ବିଭାଗଦ୍ୱାରା ମିଳିତ ଭାବରେ ଆୟୋଜିତ ହୋଇଥିଲା । ପାଠଚକ୍ର ସଂଯୋଜକ ଡକ୍ଟର ପ୍ରଭାତ କୁମାର ସାହୁ ପାଠଚକ୍ରର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଡକ୍ଟର ଶଙ୍କର୍ଷଣ ପ୍ରଧାନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଡକ୍ଟର ହେନେରିଟା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଗିରିଜା ଶଙ୍କର ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ଜାପାନୀ ବ୍ୟାଣ୍ଡ ପରିବେଷଣ କରାଯାଇଥିଲା I ସାଂସ୍କୃତିକ ସଂଗଠକ ଶ୍ୟାମ ପ୍ରକାଶ ସେନାପତି ଜାପାନୀ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ I ସନ୍ଧ୍ୟାରେ ନାଟକ, କବିତା ଆସର ଆଦି ଅନୁଷ୍ଠିତ ହୋଇଥିଲା । ନିମନ୍ତ୍ରିତ କବି ଭଗବାନ ଜୟସିଂ, ସୁଚେତା ମିଶ୍ର, ଅଜୟ ପ୍ରଧାନ, କାମଦେବ ମହାରଣା, ସନ୍ନ୍ୟାସୀ ନାୟକ, ରୁନୁ ମହାନ୍ତି, ମୀନକେତନ ମିଶ୍ର, ଶ୍ୟାମ ପ୍ରକାଶ ସେନାପତି ଓ ଉମାକାନ୍ତ ମହାପାତ୍ର ପ୍ରମୁଖ କବିତା ପାଠ କରିରଥିଲେ । କବି ଦିଲ୍ଲୀପ କୁମାର ସ୍ୱାଇଁଙ୍କ ‘ଧାନଫୁଲ କାନଫୁଲ’ର ନାଟ୍ୟାଭିନୟ ସହ ଫକୀରମୋହନ ସେନାପତିଙ୍କ ‘ପେଟେଣ୍ଟ ମେଡ଼ିସିନ’ର ନାଟ୍ୟରୂପ ଅନୁଷ୍ଠିତ ହୋଇଥିଲା । ଚଉଦ ଫେବୃଆରୀରେ ସମ୍ମିଳନୀ ଶେଷ ହେବ ବୋଲି ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ଦିଲ୍ଲୀପ କୁମାର ସ୍ୱାଇଁ ଜଣାଇଛନ୍ତି ।

Share the News .....

Leave a Reply

Your email address will not be published. Required fields are marked *