ସବୁଜ ସୁନା ଜଣେ ଗ୍ରାମୀଣ ଯୁବକର ଅର୍ଥନୀତିକୁ ପରିବର୍ତ୍ତନ କରୁଛି

ପୁରୀ : ସାଧାରଣତଃ “ପାନ” ଭାବରେ ଜଣାଶୁଣା ସବୁଜ ସୁନା ହେଉଛି ଏକ ବହୁବର୍ଷୀୟ, ଚିରହରିତ, ଛାଇ ପ୍ରେମୀ ଲତା ଯାହା ଭାରତରେ ସାଂସ୍କୃତିକ, ଆର୍ଥିକ ଏବଂ ଔଷଧୀୟ ଗୁରୁତ୍ୱ ବହନ କରିଥାଏ। ବିଶେଷକରି ପୁରୀ ଜିଲ୍ଲା ସମେତ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହା ଚାଷ କରାଯାଏ ଏବଂ ଏହା ଭାରତୀୟ ପରମ୍ପରା ଏବଂ ଆୟୁର୍ବେଦିକ ପ୍ରଥା ସହିତ ଏକ ଉଚ୍ଚ-ମୂଲ୍ୟ ଉଦ୍ୟାନ କୃଷି ଫସଲ। ପୁରୀ ଜିଲ୍ଲା ସଦର ବ୍ଲକ ବୀରବଳଭଦ୍ରପୁର ପଞ୍ଚାୟତର ଅରେଇପଡ଼ା ଗ୍ରାମ। ଏହି ଗ୍ରାମର ୪୦ ବର୍ଷୀୟ ଯୁବକ ରମାକାନ୍ତ ପ୍ରଧାନ ତାଙ୍କର ପାଠପଢ଼ା ସମାପ୍ତ କରିବା ପରେ ଅନ୍ୟ ଯୁବକମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ସେ ଆରମ୍ଭ କରିଥିଲେ ନିଜ ଜୀବନଚର୍ଯ୍ୟା। ରମାକାନ୍ତ ଉଦ୍ୟାନ ଫସଲ ଆଡକୁ ମୁହାଁଇଲେ। ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ଜୀବିକା ନିର୍ବାହ ଏବଂ ସ୍ଥାୟୀତ୍ୱ ପାଇଁ କୃଷି ଏବଂ ଉଦ୍ୟାନ କୃଷି କରିବାର ଦେଖି ସେ କୃଷି ପ୍ରତି ଆକର୍ଷିତ ହୋଇଥିଲେ। ତା’ପରେ ସେମାନଙ୍କ ସହ ଉଦ୍ୟାନ କୃଷି ରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ। ଧୀରେ ଧୀରେ ତାଙ୍କର ଆଗ୍ରହ ବଢ଼ିଲା ଏବଂ ସେ ଅଧିକରୁ ଅଧିକ ପାନ ବରଜ ସହ ଯୋଡି ହେବାକୁ ଲାଗିଲେ।ରମାକାନ୍ତ କୁହନ୍ତି ସେ ପିଲା ବେଳୁ କୃଷି ପ୍ରତି ଆକର୍ଷିତ ଥିଲେ। ତାଙ୍କ ପରିବାର ଧାନ ,ଅନ୍ୟାନ୍ୟ ପନିପରିବା ସହ ପାନ ଚାଷ କରୁଥିଲେ।କିଶୋର ଅବସ୍ଥାରୁ ସେ ଏହାକୁ ଦେଖି ସେଥିରେ ମନୋନିବେଶ ପାଇଁ ଇଛା ରଖିଥିଲେ। ସେ ଚାଷରେ ସାମିଲ ହେବା ପରେ ଉଦ୍ୟାନ ବିଭାଗ ସହ ଯୋଗାଯୋଗ ରଖି କମ ପରିଶ୍ରମ ଓ ଖର୍ଚ୍ଚ ରେ ଆଧୁନିକ ଶୈଳୀ ରେ ଉଦ୍ୟାନ କୃଷି କୁ ଆପଣେଇଲେ।
ବର୍ତ୍ତମାନ ସେ ୮୦ ଡିସିମିଲ ଜମିରେ ପାନ ଚାଷ କରୁଛନ୍ତି ଏବଂ ପ୍ରତି ମାସରେ ୨୦ହଜାର ରୁ ୩୦ ହଜାର ଟଙ୍କା ଲାଭ ପାଉଛନ୍ତି। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଉଦ୍ୟାନ କୃଷି ଯୋଜନା ଅଧୀନରେ ସେ ନୂତନ ପାନ ବରଜ ପ୍ରତିଷ୍ଠା ପାଇଁ ୪୦ ହଜାର ଟଙ୍କାର ସହାୟତା ପାଇଥିବା ବେଳେ ରକ୍ଷଣାବେକ୍ଷଣ ବା ମେଣ୍ଟେନାନ୍ସ ପାଇଁ ପ୍ରତିବର୍ଷ ଦୁଇ ହଜାର ପାଞ୍ଚ ଶହ ଟଙ୍କା ପାଉଛନ୍ତି।ତାଙ୍କ ମତରେ ସରକାରଙ୍କ ସହାୟତା ସହ ନିଷ୍ଠା ମତେ ଆଗକୁ ନେଇଛି। ସେ ବର୍ତ୍ତମାନ ସମସ୍ତ ଗ୍ରାମୀଣ ଯୁବକ ଏବଂ ସ୍ଥାନୀୟ ଅଞ୍ଚଳର ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣାର ଉତ୍ସ। ପାନ ଚାଷରେ ସେମାନଙ୍କର ଜୀବିକା ନିର୍ବାହରେ ଉନ୍ନତି ଆଣିବା ପାଇଁ ବୈଜ୍ଞାନିକ ପଦ୍ଧତି ଶିଖୁଛନ୍ତି।ଯାହା ତାଙ୍କୁ ଅଧିକ ଦକ୍ଷ, ସଶକ୍ତ ଓ ବୈଷୟିକ ଦୃଷ୍ଟିରୁ ସମୃଦ୍ଧ କରୁଛି ବୋଲି ରମାକାନ୍ତ କୁହନ୍ତି।

Share the News .....

Leave a Reply

Your email address will not be published. Required fields are marked *