ଉଦଯାପିତ ହେଲା ଓଡିଶା ଜାପାନ ଫେଷ୍ଟିଭାଲ

ପୁରୀ : ଭାଷା କୌଣସି ସାଂସ୍କୃତିକ ପ୍ରତିଭା ପ୍ରଦର୍ଶନ ରେ ବାଧକ ନୁହେଁ। ଏହା ପରସ୍ପରକୁ ଯୋଡେ ଓ ଭାଇଚାରାକୁ ମଜବୁତ କରେ। ଦୀର୍ଘ ବର୍ଷ ଧରି ପୁରୀରେ ଆୟୋଜିତ ହେଉଥିବା ଓଡିଶା ଜାପାନ ସାଂସ୍କୃତିକ ମହୋତ୍ସବ ବା ଫେଷ୍ଟିଭାଲ ତାହାର ବଡ ଉଦାହରଣ ବୋଲି କହିଛନ୍ତି ସୂଚନା ଓ ଲୋକସଂପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ। ପୁରୀ ତାଳବଣିଆ ପଡିଆଠାରେ ଇଣ୍ଡୋ ଜାପାନ ଫ୍ରେଣ୍ଡସିପ ଓ ଚନ୍ଦ୍ରଶେଖର ଏକାଡେମୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଦୁଇଦିନିଆ ମହୋତ୍ସବ ରବିବାର ସଂଧ୍ୟାରେ ଉଦଯାପିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପନିର୍ଦ୍ଦେଶକ ଶ୍ରୀ ସେଠୀ ଜାପାନୀ ମାନେ ଏକ ସାହସୀ, ସଂଗ୍ରାମୀ, ପରିଶ୍ରମୀ ଓ ଶିକ୍ଷିତ ଜାତିର ପରିଚୟ ନେଇ ବିଶ୍ୱରେ ପରିଚିତ। ସେମାନଙ୍କ ସଂସ୍କୃତି ଓ ଶ୍ରେଷ୍ଠ ବୈଷୟିକ ଜ୍ଞାନ ପାଇଁ ସୁଖ୍ୟାତି ରହିଛି। ଭାରତୀୟ ବିଶେଷ କରି ଓଡିଶା ସହ ସେମାନଙ୍କ ସାଂସ୍କୃତିକ ବିନିମୟ ଏକ ସୁନ୍ଦର ଓ ସମ୍ପ୍ରସାରିତ ପଦକ୍ଷେପ। ଯାହା ଦୁଇ ଦେଶର ଭାଇଚାରା ଓ ପର୍ଯ୍ୟଟନ ଶିଳ୍ପକୁ ସଶକ୍ତ କରିବ ବୋଲି ସେ କହିବା ସହ ସମସ୍ତ କଳାକାର ମାନଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟତମ ଅତିଥି ତାଳବଣିଆ ଥାନା ଆଇଆଇସି ଅଭିନବ ମିଶ୍ର ଓଡିଶା ଓ ଜାପାନ ସଂସ୍କୃତିର ମିଳନ ଓ ଉପସ୍ଥାପନ ପ୍ରୟାସ ଏକ ଚମତ୍କାର ଉଦ୍ୟମ। ଏହା ଦ୍ଵାରା ଉଭୟ ଦେଶର ସାଂସ୍କୃତିକ ବିବିଧତା ସମ୍ପର୍କରେ ସାଧାରଣ ଲୋକ ଜାଣିବା ସହ ଭାତୃତ୍ୱ ଭାବ ବୃଦ୍ଧି ପାଇବ ବୋଲି କହିଥିଲେ। ଇଣ୍ଡୋ ଜାପାନ ଫ୍ରେଣ୍ଡସିପର ସଭାପତି ଶ୍ରୀମନ୍ତ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନସ ଦାସ, ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ପରିଚାଳନା କରିଥିଲେ। ପରେ ଓଡିଶା ଓ ଜାପାନ କଳାକାର ଶାଶ୍ୱତୀ ଦାଶ, ଶିବସୁନ୍ଦର ମିଶ୍ର, ସ୍କେପକ ଡ୍ୟାନ୍ସ ଗୃପ, କାନନ ମିଜୁନୋ, ଚୋଷୀ ନାକାମୋରା, ନାଚସ୍ୱ ମିହାରା, ଏରିକୋ ତୋଷିମା, ଆକିଏଦୋଇ ପ୍ରମୁଖ ଚମତ୍କାର ନୃତ୍ୟ, ସଂଗୀତ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଏହି ଅବସରରେ ଓଡ଼ିଶା ଓ ଜାପାନର ୨୩ ଟି ଷ୍ଟଲ ମାଧ୍ୟମରେ ବିଭିନ୍ନ ଖାଦ୍ୟ,ଶିକ୍ଷା, କୃଷି ବିଜ୍ଞାନ ଇତ୍ୟାଦି ପ୍ରଦର୍ଶନ କରାଯାଇଥିଲା। ଉଦଘୋଷକ ଲଲାଟେନ୍ଦୁ ମିଶ୍ର ମଞ୍ଜ ସଂଚାଳନ କରିଥିଲେ।
