ଧର୍ମପଦ “ପ୍ରେରଣା ର ପ୍ରତିମୂର୍ତ୍ତି” ସହ କୋଣାର୍କକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର କରିବା ପ୍ରସ୍ତାବ

ପୁରୀ : ଓଡ଼ିଶାର ଐତିହ୍ୟ ଓ ପର୍ଯ୍ୟଟନକୁ ବିଶ୍ୱମାନଚିତ୍ରରେ ଆଗକୁ ଆଣିବା ଲକ୍ଷ୍ୟରେ କୋଣାର୍କକୁ ଏକ ପ୍ରିମିୟମ୍ ଗ୍ଲୋବାଲ୍ ଟୁରିଜମ୍ ହବ୍ରେ ପରିଣତ କରିବା ସହ ଧର୍ମପଦଙ୍କ ସ୍ମୃତିରେ ବିରାଟ “ପ୍ରେରଣା ର ପ୍ରତିମୂର୍ତ୍ତି” ସ୍ଥାପନ ପାଇଁ ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଂପାଦକ ପ୍ରଶାନ୍ତ ସ୍ୱାଇଁ (ଲୁଲୁ) ଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।ପ୍ରଶାନ୍ତ ସ୍ୱାଇଁଙ୍କ କହିବା ଅନୁସାରେ, କୋଣାର୍କ ସୂର୍ଯ୍ୟମନ୍ଦିରର ଅମର କାହାଣୀ ସହ ଜଡିତ ଧର୍ମପଦ କେବଳ ଏକ ପୌରାଣିକ ପାତ୍ର ନୁହେଁ, ବରଂ ଓଡ଼ିଆ ଯୁବସମାଜ ପାଇଁ ପ୍ରେରଣାର ପ୍ରତୀକ। ତାଙ୍କ ଅସାଧାରଣ ପ୍ରତିଭା ଓ ଆତ୍ମତ୍ୟାଗକୁ ସ୍ମରଣୀୟ କରିବା ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର ନିକଟରେ କିମ୍ବା ଚନ୍ଦ୍ରଭାଗା ସମୁଦ୍ରତଟରେ ଏକ ବିରାଟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଉଚିତ।ସେ ଉଲ୍ଲେଖ କରିଛନ୍ତି ଯେ, କୋଣାର୍କର ଭୌଗୋଳିକ ସ୍ଥିତି ଓ ପ୍ରାକୃତିକ ସମ୍ପଦ ଏହାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର କରିପାରିବ। ପୁରୀ-କୋଣାର୍କ-ଭୁବନେଶ୍ୱର “ଗୋଲ୍ଡେନ୍ ଟ୍ରାଇଆଙ୍ଗଲ୍” ସର୍କିଟ୍କୁ ଆହୁରି ସୁଦୃଢ କରି ଏଠାରେ ହେରିଟେଜ୍ ୱାକ୍, ଇକୋ-ଫ୍ରେଣ୍ଡଲି ଇନଫ୍ରାସ୍ଟ୍ରକ୍ଚର, ଡିଜିଟାଲ୍ ଷ୍ଟୋରିଟେଲିଙ୍ଗ୍ ଓ ଇମର୍ସିଭ୍ ଟୁରିଜମ୍ ଅନୁଭୂତି ଯୋଗ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।ଏହା ସହିତ ପୁରୀ-କୋଣାର୍କ ମେରିନ୍ ଡ୍ରାଇଭକୁ ବିଶ୍ୱସ୍ତରୀୟ କୋଷ୍ଟାଲ୍ ଡେଷ୍ଟିନେସନ୍ରେ ପରିଣତ କରିବା, ଚନ୍ଦ୍ରଭାଗା ବେଳାଭୂମିରେ ଆଧୁନିକ ପର୍ଯ୍ୟଟନ ସୁବିଧା, ଜଳକ୍ରୀଡ଼ା, ଇକୋ-ଫ୍ରେଣ୍ଡଲି ବିଚ୍ ଶାକ୍ସ, ସାଇକ୍ଲିଂ ଟ୍ରାକ୍ ଓ ପଦଚାରୀ ପଥ ଉନ୍ନତି ପାଇଁ ସେ ମଧ୍ୟ ଅନୁରୋଧ କରିଛନ୍ତି।ପ୍ରସ୍ତାବରେ ଆହୁରି କୁହାଯାଇଛି ଯେ, ପ୍ରସ୍ତାବିତ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ଶୀଘ୍ର କରାଯାଇଲେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବଢ଼ିବ ଏବଂ କୋଣାର୍କ-ପୁରୀ ଅଞ୍ଚଳ ଏକ ଗ୍ଲୋବାଲ୍ ଟୁରିଜମ୍ ଗେଟୱେ ଭାବେ ଉଭା ହେବ।ଧର୍ମପଦ ପ୍ରତିମୂର୍ତ୍ତିକୁ “ଷ୍ଟାଚ୍ୟୁ ଅଫ୍ ଇନ୍ସପିରେସନ୍” ଭାବେ ଉନ୍ନତ କରି ଏହା ସହ ଏକ ସଂଗ୍ରହାଳୟ, ଭିଜିଟର ସେଣ୍ଟର ଓ ଡିଜିଟାଲ୍ ପ୍ରଦର୍ଶନୀ ସୃଷ୍ଟି କରିବାକୁ ସେ ପ୍ରସ୍ତାବ ରଖିଛନ୍ତି। ଏହା ମାଧ୍ୟମରେ ଓଡ଼ିଶାର ପ୍ରାଚୀନ ସ୍ଥାପତ୍ୟ କଳା, ପଟ୍ଟଚିତ୍ର ଓ ସଂସ୍କୃତିକୁ ବିଶ୍ୱସ୍ତରରେ ପ୍ରଚାର କରାଯାଇପାରିବ।ପ୍ରଶାନ୍ତ ସ୍ୱାଇଁଙ୍କ ମତାନୁସାରେ, ଏହି ସମସ୍ତ ପଦକ୍ଷେପ କାର୍ଯ୍ୟକରୀ ହେଲେ ପ୍ରତିବର୍ଷ ୫ରୁ ୧୦ ମିଲିୟନ୍ ପର୍ଯ୍ୟଟକ ଆକର୍ଷିତ ହେବେ ଓ ଓଡ଼ିଶା ପର୍ଯ୍ୟଟନରେ ଗୋଆକୁ ମଧ୍ୟ ପଛକୁ ପକାଇ ପାରିବ। ଏଥିରୁ ହଜାର ହଜାର ଚାକିରି ସୃଷ୍ଟି ହେବା ସହ ରାଜ୍ୟର ଅର୍ଥନୀତିକୁ ବଡ଼ ଭାବେ ଶକ୍ତିଶାଳୀ କରିବ।ଏହା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ବିଭାଗକୁ ମଧ୍ୟ ଏହି ପ୍ରସ୍ତାବ ଦେଇଥିବା ବେଳେ, ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଓ ସହଯୋଗ ଆଶା କରିଛନ୍ତି। ଏହି ପ୍ରୟାସକୁ ଓଡ଼ିଶାର ସାଂସ୍କୃତିକ ଗୌରବ ଓ ପର୍ଯ୍ୟଟନ ବିକାଶ ପାଇଁ ଏକ ଦୂରଦର୍ଶୀ ପଦକ୍ଷେପ ଭାବେ ଦେଖାଯାଉଛି।
