ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚତ୍ୱାରିଂଶତମ ବାର୍ଷିକଉତ୍ସବ ଅନୁଷ୍ଠିତ

ପୁରୀ : ପୁରୀର ହରଚଣ୍ଡି ସାହିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚତ୍ୱାରିଂଶତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ଉପ କୁଳପତି ଶତ୍ରୁଘ୍ନ ପାଣିଗ୍ରାହୀ,ମୁଖ୍ୟ ବକ୍ତା ଭାବେ ଏକାମ୍ର ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧ୍ୟାପିକା କମଳା କୁମାରୀ ଦାଶ,ପରିଚାଳନା କମିଟିର ସଭାପତି ଅରୁଣ କୁମାର ମିଶ୍ର,ସମ୍ପାଦକ ମାଧବ ଚନ୍ଦ୍ର ମହାପାତ୍ର ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଯୋଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ଏହାପରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ନନ୍ଦ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ । ହରଚଣ୍ଡି ସାହି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆଉ ପିଲା ଅବସ୍ଥାରେ ନାହିଁ ବର୍ତ୍ତମାନ ଯୁବକ ଅବସ୍ଥାରେ ପହଂଚି ଗଲାଣି । ସେଠାରେ ବିଦ୍ୟା ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ସର୍ବଗୁଣସମ୍ପନ୍ନ । ତାଙ୍କ ପାଖରେ ଦକ୍ଷତା ଅଛି ଆଗକୁ ଯିବା ପାଇଁ । ଅଭିଭାବକ ମାନେ ପିଲାମାନଙ୍କୁ ମୋବାଇଲଠାରୁ ଦୂରେଇ ରଖି ତାଙ୍କୁ ସମୟ ଦିଅନ୍ତୁ, ତାଙ୍କ ସହ ମିଶନ୍ତୁ , ପିଲାମାନଙ୍କୁ ଆକଟ କରିବା ପରିବର୍ତ୍ତେ ତାଙ୍କୁ ସ୍ନେହ କରନ୍ତୁ, ତାଙ୍କୁ ଅଧିକ ସମୟ ଲେଖିବାକୁ ଦିଅନ୍ତୁ , ପିଲା ମାନଙ୍କୁ ବଡ ମଣିଷ ହେବା ପଛରେ ନଲାଗି ସେମାନଙ୍କୁ ଉତ୍ତମ ମଣିଷ ହେବାକୁ ପରାମର୍ଶ ଦିଅନ୍ତୁ ବୋଲି ଅତିଥି ମାନେ ଅଭିଭାଷଣରେ କହିଥିଲେ । ଏହାପରେ ମୁଖ୍ୟ ଅତିଥି ଙ୍କ କରକମଳରେ ବିଦ୍ୟାଳୟର “ବିକାଶ ଯାତ୍ରା” ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏହାପରେ ବିଦ୍ୟାଳୟର ମେଧାବୀ ଓ କୃତି ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ମୁଖ୍ୟ ଆକର୍ଷଣ ଥିଲା ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ଅପରେସନ ସିନ୍ଦୂର । ଶେଷରେ ବିଦ୍ୟାଳୟର ସହ ସମ୍ପାଦିକା ମମତାରାଣୀ ସାହୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ ଘୋଷଣା କରିଥିଲେ ।
