ପୁରୀରେ ଶ୍ରୀକ୍ଷେତ୍ର ସୂଚନାର ରାଜ୍ୟସ୍ତରୀୟ ବିତର୍କ

ପୁରୀ : ଯେଉଁ ଗଣତନ୍ତ୍ର ରେ ଗଣମାଧ୍ୟମ ଜନହିତ ଓ ରାଜହିତ ମଧ୍ୟରେ ସମନ୍ୱୟ ରକ୍ଷା କରେ, ସେଠାରେ ଦେଶ ସମୃଦ୍ଧ ହୁଏ, ହେଲେ ଯେଉଁ ଗଣତନ୍ତ୍ର ରେ ଗଣମାଧ୍ୟମର ସ୍ୱାଧିନତା ନାହିଁ, ସେଠାରେ ବିକଶିତ ଭାରତ ଏକ ସ୍ୱପ୍ନ ବୋଲି କହିଛନ୍ତି ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ। ପୁରୀ କ୍ଲବ୍ ସମ୍ମିଳନୀ କକ୍ଷରେ, ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ଆୟୋଜିତ ‘ଜନହିତ ନା’ ରାଜନୈତିକ ହିତରେ ଆଜି ର ସମ୍ବାଦପତ୍ର’ ଶୀର୍ଷକ ରାଜ୍ୟସ୍ତରୀୟ କର୍ମଶାଳାକୁ ଉଦଘାଟନ କରି, ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ କହିଥିଲେଯେ ଆଜି ଗଣତାନ୍ତ୍ରିକ ମୂଲ୍ୟବୋଧ ହ୍ରାସରେ ଭାରତବର୍ଷ ଏବେ ବିଶ୍ଵର ୫୨ତମ ସ୍ଥାନକୁ ଖସିଆସିଛି। ଜନହିତ ଓ ଦେଶହିତ ପାଇଁ ସୃଷ୍ଟି ହୋଇଥିବା ଗଣମାଧ୍ୟମ, ଆଉ ଜନଗଣଙ୍କ ବିଶ୍ଵାସ ଭିତରେ ରହିନାହିଁ। ସତ୍ୟ ସମ୍ବାଦ ପରିବେଷଣ କରି ୧୫୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଗିରଫ ଘଟଣା ଆଜି ୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତିକୁ ସ୍ମରଣ କରାଉଛି। ଯେଉଁଠି ରାଜନେତା ଓ ଗଣମାଧ୍ୟମର ମାଲିକ, ସତ୍ୟର କଣ୍ଠରୋଧ କରୁଛନ୍ତି, ସେଠାରେ ଜନହିତ ଆସିବ କେଉଁଠାରୁ। ଯଦି ଦେଶହିତ ପାଇଁ ଉଦ୍ଦିଷ୍ଟ ଗଣମାଧ୍ୟମ ଶିଳ୍ପରେ ପରିଣତ ହୋଇ , ଲାଭଦାୟକ ନିୟୁଜକୁ ନିଜର ପ୍ରଡକ୍ଟ ଭାବେ, ସେଠାରେ ସମୃଦ୍ଧ ଭାରତର ସ୍ଥାନ କାହିଁ। ଅନୁଷ୍ଠାନ ତଥା ସମ୍ବାଦପତ୍ରର ସଂପାଦକ ରାଜେଶ କୁମାର ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବିତର୍କରେ ଭାଗ ନେଇ, ବିଜେଡିର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର କହିଥିଲେ ଯେ କେବଳ ଦେଶ ନୁହେଁ, ବିଭିନ୍ନ ରାଜ୍ୟରେ ବିଗତ ଅନେକ ବର୍ଷଧରି ବିଭିନ୍ନ ସରକାରୀ ଦଳ, ଗଣମାଧ୍ୟମକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି, ଯଦ୍ୱାରା ବିଶ୍ଵରେ ମିଡ଼ିଆ ର ସ୍ୱଛତାରେ ଭାରତର ସ୍ଥାନ ୧୬୧ରେ ରହିଛି। ବିତର୍କରେ ଯୋଗଦେଇ ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମା କହିଥିଲେ ଯେ ଆଜିର ଗଣମାଧ୍ୟମ ଜନଗଣଙ୍କ ଘର ଭାଙ୍ଗୁଛି, ବିଜ୍ଞାପନ ପାଇଁ ସତ୍ୟ ସମ୍ବାଦରୁ ଦୂରେଇ ଯାଇଛି ଏପରିକି ଗଣମାଧ୍ୟମର ନିରବତା ଭିତରେ ଜଣେ ଶିକ୍ଷକ ଏବେ କର୍ମଚାରୀ ପାଲଟି‌ଯାଇଛି। ମୁଖ୍ୟବକ୍ତା ଭାବେ ଯୋଗଦେଇ କିଟ୍ ସ୍କୁଲ ଅଫ୍ ମାସ୍ କମ୍ୟୁନିକେସନର ଡିନ୍ ଡକ୍ଟର ରାଜୀବ କୁମାର ପଣ୍ଡା କହିଥିଲେ ଯେ ଶୃଙ୍ଖଳିତ ସମାଜ ଓ ବିକଶିତ ଭାରତବର୍ଷ ପାଇଁ ଗଣମାଧ୍ୟମ ରାଜହିତ ସହ ଜନହିତ ପାଇଁ ସମର୍ପିତ ହେବା ଆଜିର ଆବଶ୍ୟକତା। ଶିକ୍ଷାବିତ୍ ଡକ୍ଟର କୈଳାଶ ଚନ୍ଦ୍ର ଟିକାୟତରାୟ କହିଥିଲେ ଯେ ଏହି ଜନହିତ ଓ ରାଜହିତ ଉଭୟେ ପରିପୂରକ, ହେଲେ ଆଜିର ଶୀର୍ଷକ ସୂଚାଇ ଦେଇଛି ଯେ ଉଭୟଙ୍କ ଭିତରେ ଆଉ ସମ ବିଚାର ନାହିଁ। ବିତର୍କ ରେ ଭାଗ ନେଇ ବରିଷ୍ଠ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ କହିଥିଲେ ଯେ ଆଜି ଅନୁସନ୍ଧାନ ମୂଳକ ସମ୍ବାଦ ନାହିଁ। ଏଣୁ ଏକ ସମୃଦ୍ଧ ଭାରତବର୍ଷ ପାଇଁ ଗଣମାଧ୍ୟମ ଜନହିତ ପାଇଁ ସମର୍ପିତ ହେବା ଉଚିତ।ଏହି କର୍ମଶାଳାରେ ମତବ୍ୟକ୍ତ କରି ବରିଷ୍ଠ ସ୍ତମ୍ଭକାର ଡକ୍ଟର ବଦ୍ରି ମିଶ୍ର କହିଥିଲେ ଯେ ଲାଭଜନକ ବ୍ୟବସାୟ ପାଇଁ ଗଣମାଧ୍ୟମ ଆଜି ଅପରାଧ କାହାଣୀ, ଅରୁଚିକର ବିଜ୍ଞାପନ ଓ ସିରିଏଲ୍,ପ୍ରେମ କାହାଣୀ, ସାଇବର ଠକେଇ ର କାହାଣୀ ଭିତରେ ସମାଜକୁ ପଥଭ୍ରଷ୍ଟ କରୁଛି ଓ ମାଲିକର ବିଚାରଧାରା କୁ ନିଃସର୍ତ୍ତ ସହଯୋଗ ଦେଇ, ଗଣମାଧ୍ୟମ, ଗଣତନ୍ତ୍ରକୁ ବିପଦ ମୁହାଁ କରୁଛି। ତେବେ ଏକ ଶୃଙ୍ଖଳିତ ସମାଜ ପାଇଁ ସାମ୍ବାଦିକର ନିଷ୍ଠାପରତା ଓ କାର୍ଯ୍ୟଦକ୍ଷତା ଅବର୍ଣ୍ଣନୀୟ ।ଏହି କାର୍ଯ୍ୟକ୍ରମରେ ଭାଗନେଇ ସିନେ କଳାକାର କେଦାର ମିଶ୍ର କହିଥିଲେ ଯେ ଗଣମାଧ୍ୟମ ଜନହିତ ପାଇଁ ବଦ୍ଧପରିକର ହେବା ଆଜିର ଆବଶ୍ୟକତା। ଏହି ପରିପ୍ରେକ୍ଷୀରେ ବରିଷ୍ଠ ସାମ୍ବାଦିକ ମଧୁସୂଦନ ମିଶ୍ରଙ୍କ ସଂଯୋଜନାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ଆୟୋଜିତ ପ୍ରଥମ ଅଧିବେଶନରେ ଶ୍ୟାମ ପ୍ରକାଶ ସେନାପତି ଧନ୍ୟବାଦ ଦେଇଥିବା ବେଳେ, ଏହାର ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଥିଲେ ଯେ ସମୃଦ୍ଧ ଓଡିଶା ଗଠନ ପାଇଁ ଗଣମାଧ୍ୟମ ରାଜହିତ ଓ ଜନହିତକୁ ସମନ୍ୱୟ କରି ନିର୍ଭିକ ଓ ସତ୍ୟ ସମ୍ବାଦ ପରିବେଷଣ କରିବା ଦରକାର। ସମାଜ ରେ ଶୃଙ୍ଖଳା ଓ ରାଜ୍ୟର ସମୃଦ୍ଧି ପାଇଁ ଗଣମାଧ୍ୟମ ସେମାନଙ୍କ କଲମ ଓ କ୍ୟାମେରା ଚଳାଇବା ଏବେ ବଡ଼ ଆବଶ୍ୟକତା। ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଚାରିବର୍ଷ ଧରି କର୍ମଶାଳା ମାଧ୍ୟମରେ ଯେପରି ସଚେତନତା ସୃଷ୍ଟି କରୁଛି ତାହା ଉଲ୍ଲେଖନୀୟ। ଏହି ଅଧିବେଶନରେ ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ , ବିଜେପି ଜିଲ୍ଲା ସଭାପତି ଡାକ୍ତର ଦେବେନ୍ଦ୍ର ନାଥ ତରେଇ ଓ ସୂର୍ଯ୍ୟ ରଥ ଯୋଗଦେଇଥିବା ବେଳେ, ରାଜେଶ୍ ମହାନ୍ତିଙ୍କ ସଂପାଦନାରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ସମ୍ବାଦପତ୍ରର ସ୍ୱନକ୍ଷତ୍ର ସଂଖ୍ୟାକୁ ସମସ୍ତ ଅତିଥି ଉନ୍ମୋଚନ କରିଥିଲେ। ଏହି ଅବସରରେ ଦୀର୍ଘ ୪୨ ବର୍ଷ ଧରି ଜନହିତ ଓ ଦେଶହିତ ପାଇଁ କାର୍ଯ୍ୟରତ, ଅପ୍ରତିହତ, ଅବିଚଳିତ ଓ ନିର୍ଭୀକ ସଂପାଦନା ପାଇଁ ଦୈନିକ ସମ୍ବାଦପତ୍ର ନିର୍ଭୟର ସଂପାଦକ ନବୀନ ଦାସଙ୍କୁ ଅତିଥିମାନେ ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଓଡ଼ିଶାର ବିଶିଷ୍ଟ ଉଦଘୋଷକ ତଥା ଶିକ୍ଷାବିତ୍ ମୃତ୍ୟୁଞ୍ଜୟ ରଥ ଓ ଡକ୍ଟର ବିଶ୍ଵନାଥ ମିଶ୍ର ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଭରତ କୁମାର ନାୟକ। ପରିଚାଳନାରେ ସହଯୋଗ କରିଥିଲେ ସନ୍ତୋଷ କୁମାର ମହାନ୍ତି, ରାଜକିଶୋର ପାଣିଗ୍ରାହୀ,ଭବାନୀ ଶଙ୍କର ସାହୁ, ବିଦ୍ରୋହ ସିଂ,ରୀତେଶ ମହାନ୍ତି, ସତ୍ୟବ୍ରତ ଦାସ,ନାରାୟଣ ପାତ୍ର, ନୃସିଂହ ଦାସ,, ଶିବସୁନ୍ଦର ମିଶ୍ର. ଓ ଦେବେନ୍ଦ୍ର ମହାପାତ୍ର।

Share the News .....

Leave a Reply

Your email address will not be published. Required fields are marked *