ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ପୁରୀ: କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର ପକ୍ଷରୁ ଆଜି ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡ଼ିଙ୍କ ପୃଷ୍ଠପୋଷକତାରେ ଓ ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ମୁଖ୍ୟ ବକ୍ତା ଭାବେ ସୁ ସାହିତ୍ୟିକ ଡକ୍ଟର ଦେବାନନ୍ଦ ଦାସ ଯୋଗଦେଇ ମାତୃଭାଷା ଏବଂ ସାହିତ୍ୟର ସମ୍ପର୍କ ଉପରେ ଆଲୋକପାତ କରି କହିଥିଲେ, “ଯେଉଁ ଜାତି ନିଜ ମାତୃଭାଷାକୁ ସମ୍ମାନ ଦିଏ ନାହିଁ, ସେ ଜାତି କେବେ ବି ପ୍ରଗତି କରିପାରେନାହିଁ। ସାହିତ୍ୟ ମାଧ୍ୟମରେ ହିଁ ମାତୃଭାଷାର ମୂଳଦୁଆ ସୁଦୃଢ଼ ହୋଇଥାଏ।” ମୁଖ୍ୟ ଅତିଥିଭାବେ ଭାଷାବିତ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ମାତୃଭାଷା ଉପରେ ଚର୍ଚ୍ଚା କରି କହିଥିଲେ, “ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ, ଏହା ଆମ ସଂସ୍କୃତି ଓ ଅସ୍ତିତ୍ୱର ଆଧାର। ମାତୃଭାଷା ମାଆ ପରି ପବିତ୍ର, ଏହାର ସୁରକ୍ଷା ଦାୟିତ୍ୱ ଆମ ସମସ୍ତଙ୍କର।”ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ସଭାରେ ଅଧ୍ୟକ୍ଷତା କରି ସ କହିଥିଲେ, “ସଂସ୍କୃତ ସମସ୍ତ ଭାଷାର ଜନନୀ ଏବଂ ଆମ ମାତୃଭାଷା ଓଡ଼ିଆ ସହ ଏହାର ସମ୍ପର୍କ ଅତି ନିବିଡ଼। ବିଦ୍ୟାର୍ଥୀମାନେ ନିଜ ଭାଷାକୁ ନେଇ ଗର୍ବ କରିବା ଉଚିତ।”

ପ୍ରାରମ୍ଭରେ ଆଧୁନିକ ବିଭାଗର ବିଭାଗ ମୁଖ୍ୟ ଡକ୍ଟର ସୁଶାନ୍ତ କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ମାତୃଭାଷା ସମ୍ବନ୍ଧୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଡକ୍ଟର ଶକ୍ତି ପ୍ରସାଦ ଦ୍ବିବେଦୀ ପରିଚାଳନା କରିଥିଲେ। ​ସଭାକୁ ଅଧ୍ୟାପିକା ଡକ୍ଟର ସ୍ୱାଗତିକା ମହାନ୍ତି ଏବଂ ଅଧ୍ୟାପକ ଡକ୍ଟର ରୁଦ୍ର ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ। ଶେଷରେ ଅଧ୍ୟାପକ ଡକ୍ଟର ବିଶ୍ୱନାଥ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିସରର ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ମାତୃଭାଷା ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *