ନୃତ୍ୟାଙ୍ଗନା ମିନାକ୍ଷୀଙ୍କୁ ଆରାଧନା ସମ୍ମାନ ପ୍ରଦାନ

ପୁରୀ : ‘ଆରାଧନା ନୃତ୍ୟ ଏକାଡେମୀ’ ପକ୍ଷରୁ 13 ତମ ଗୋଟିପୁଅ ନୃତ୍ୟ ଉତ୍ସବ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଠାରେ ଅନୁଷ୍ଠିତ ହୋଇଯାଇଛି I କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ନୃତ୍ୟଗୁରୁ ଡ଼କ୍ଟର ସ୍ନେହପ୍ରଭା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ନୃତ୍ୟଗୁରୁ ଲିଙ୍ଗରାଜ ବାରିକ, ସଂସ୍କୃତି ସଂଗଠକ ଶ୍ୟାମ ପ୍ରକାଶ ସେନାପତି ,ସାହିତ୍ୟିକ ଦେବଦତ୍ତ ପ୍ରଧାନ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ l ଏହି ଅବସରରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ନୃତ୍ୟଗୁରୁ ସୁଶ୍ରୀ ମିନାକ୍ଷୀ ବେହେରାଙ୍କୁ ଆରାଧନା ସମ୍ମାନ ପ୍ରଦାନ ପୂର୍ବକ ମାନପତ୍ର ,ଉତ୍ତରୀୟ, ସ୍ମାରକୀ ଏବଂ ଦଶ ହଜାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା I ଅନୁଷ୍ଠାନର ସମ୍ପାଦକ ଗୁରୁ ଚିତ୍ରସେନ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ I ପ୍ରଥମ ପ୍ରସ୍ତୁତିରେ ମାହାରୀ ନୃତ୍ୟାଙ୍ଗନା ରୂପଶ୍ରୀ ମହାପାତ୍ର ଓ ସାଥୀଙ୍କ ଦ୍ବାରା ମାହାରୀ ନୃତ୍ୟ ଏବଂ ପରେ ‘ପୁରୀ ଡ୍ୟାନ୍ସ ଏକାଡେମୀ’ ର କଳାକାର ମାନେ ଗୁରୁ ନାରାୟଣ ପାଣ୍ଡେଙ୍କ ନିର୍ଦ୍ଦେଶନାରେ ମାହାରୀ ନୃତ୍ୟ ପରିବେଷଣ କରିଥିଲେ I ଦଳଗତ ଗୋଟିପୁଅ ନୃତ୍ୟରେ ଗୁରୁ କୈଳାସ ଚନ୍ଦ୍ର ବିଶ୍ବାଳ ଙ୍କ ‘କୈଳାସ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ’, ଗୁରୁ ବଳଭଦ୍ର ସାହୁଙ୍କ ‘ତିଳକ ଗୁରୁକୁଳ’,ଗୁରୁ କୃଷ୍ଣଚନ୍ଦ୍ର ବିଶ୍ବାଳ ଙ୍କ ‘ମହାବୀର ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା I କାର୍ଯ୍ୟକ୍ରମକୁ ଉଦଘୋଷକ ଶ୍ରୀନିବାସ ଘଟୁଆରୀ (ମିଲନ) ସଞ୍ଚାଳନ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ଜ୍ଞାନ ରଞ୍ଜନ ମହାନ୍ତି, ଜୟପ୍ରକାଶ ମହାରଣା, ପ୍ରିୟବ୍ରତ ପଲାଇ ପ୍ରମୁଖ ସହଯୋଗ କରିଥିଲେ I ପୂର୍ବାହ୍ନରେ ‘ଗୋଟିପୁଅ ନୃତ୍ୟର ଅୟମାରମ୍ଭ ଓ ଜାଗା ଆଖଡ଼ାରେ ଗୋଟିପୁଅ ନୃତ୍ୟର ଭୂମିକା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା I ଏଥିରେ ବରିଷ୍ଠ ଗୀତିକାର ଆର୍ତ୍ତତ୍ରାଣ ଶତପଥୀ, ନୃତ୍ୟଗୁରୁ ଗୋବିନ୍ଦ ଚନ୍ଦ୍ର ପାଳ, ଗବେଷକ ପ୍ରଫୁଲ୍ଲ କୁମାର ସାମନ୍ତରାୟ , ଗୁରୁ ଆଲୋକ କାନୁନଗୋ, ଗୁରୁ ବାବୁଲି ଭୁଇଁଆ, ଗୁରୁ ନାରାୟଣ ପାଣ୍ଡେ ଓ ଗୁରୁ ଅଶୋକ କୁମାର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ I ଆଲୋଚନା ଚକ୍ରକୁ ଗୁରୁ ଅନନ୍ତ ବେହେରା ସଞ୍ଚାଳନ କରିଥିଲେ I
