ଗୋପରେ ବେଆଇନ ଜବରଦଖଲ ଅଟ୍ଟାଳିକା ଉପରେ ବୁଲଡୋଜର

ଗୋପ : ପୁରୀ–କଟକ ଓ କୋଣାର୍କ–ଭୁବନେଶ୍ୱର ମୁଖ୍ୟ ସଂଯୋଗ ରାସ୍ତାରେ ଦୀର୍ଘଦିନ ଧରି ଚାଲିଆସୁଥିବା ବେଆଇନ ଜବରଦଖଲ ବିରୋଧରେ ସୋମବାର ପ୍ରଶାସନ ପକ୍ଷରୁ ବ୍ୟାପକ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଛି। ଗୋପ ବଜାର ଅଞ୍ଚଳରେ ସରକାରୀ ଜମି ଉପରେ ଅନଧିକୃତ ଭାବେ ନିର୍ମିତ ୧୨ଟି ଅଟ୍ଟାଳିକା ଓ ବ୍ୟବସାୟିକ ସଂରଚନାକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଛି। ଏହି ଉଚ୍ଛେଦ କାର୍ଯ୍ୟ ଗୋପ ତହସିଲଦାର ଶ୍ରୀ ସୂର୍ଯ୍ୟ ଶଙ୍କର ଦାଶଙ୍କ ନେତୃତ୍ୱରେ, ସରକାରୀ ରେକର୍ଡ, ମାପଚିତ୍ର ଓ ପୂର୍ବରୁ ଜାରି ହୋଇଥିବା ନୋଟିସ୍ ଆଧାରରେ କରାଯାଇଥିଲା। ପ୍ରଶାସନୀୟ ସୂଚନା ଅନୁଯାୟୀ, ରାସ୍ତା ଉପରେ ହୋଇଥିବା ଅନଧିକୃତ ନିର୍ମାଣ କାରଣରୁ ଏହି ଅଞ୍ଚଳରେ ଦୀର୍ଘଦିନ ଧରି ଯାତାୟାତ ସମସ୍ୟା ଦେଖାଦେଉଥିଲା। ଗୋପ ବଜାର ପୁରୀ–କଟକ ଓ କୋଣାର୍କ–ଭୁବନେଶ୍ୱର ରାସ୍ତାର ଏକ ଗୁରୁତ୍ୱପୂର୍ଣ୍ଣ ମଧ୍ୟସ୍ଥଳୀ ହେବାରୁ, ରାସ୍ତା ସଙ୍କୋଚନ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ପାଇଁ ଦୈନନ୍ଦିନ ଯନ୍ତ୍ରଣାର କାରଣ ହୋଇଥିଲା। ଆଜିର ଅଭିଯାନ ସକାଳ ୭ଟାରୁ ଆରମ୍ଭ ହୋଇ ଦ୍ୱିପ୍ରହର ପର୍ଯ୍ୟନ୍ତ ଚାଲିଥିଲା। କୌଣସି ଅପ୍ରିତିକର ଘଟଣା ଏଡାଇବା ପାଇଁ ପୁରୀ ଜିଲ୍ଲା ପୁଲିସର ପ୍ରାୟ ୫୦ଜଣ କର୍ମଚାରୀ ମୁତୟନ ରହିଥିଲେ। ଉଚ୍ଛେଦ ହୋଇଥିବା ନିର୍ମାଣମାନଙ୍କ ମଧ୍ୟରେ କିଛି ହୋଟେଲ୍, ଖାଦ୍ୟାଳୟ ଓ କ୍ଷୁଦ୍ର ବ୍ୟବସାୟିକ ଦୋକାନ ଥିବା ସୂଚନା ମିଳିଛି।
ଏହି ସନ୍ଦର୍ଭରେ ଗୋପ ତହସିଲଦାର ଶ୍ରୀ ସୂର୍ଯ୍ୟ ଶଙ୍କର ଦାଶ କହିଛନ୍ତି, “ସରକାରୀ ଜମି ସୁରକ୍ଷା ଓ ପ୍ରସ୍ତାବିତ ରାସ୍ତା ପ୍ରସ୍ତାରଣ ପାଇଁ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଛି। ପୂର୍ବରୁ ସମ୍ପୃକ୍ତ ପକ୍ଷମାନଙ୍କୁ ନୋଟିସ୍ ଜାରି କରାଯାଇଥିଲା।” ପ୍ରଶାସନୀୟ ସୂଚନା ଅନୁଯାୟୀ, ପୁରୀ–କଟକ ରାସ୍ତାକୁ ୪-ଲେନ୍ କରିବା ପ୍ରସ୍ତାବ ଅଧୀନରେ ଏପରି ଉଚ୍ଛେଦ କାର୍ଯ୍ୟ ଚାଲିଛି, ଯାହା ସମ୍ପୂର୍ଣ୍ଣ ହେଲେ ଯାତାୟାତ ସୁବିଧା, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ନୂଆ ଗତି ଆସିବ। ଏହି ପ୍ରଶାସନୀୟ କାର୍ଯ୍ୟାନୁଷ୍ଠାନ ସହ ସମାନାନ୍ତର ଭାବେ, ଗୋପ ଅଞ୍ଚଳର କୁଶୁପୁର ଗ୍ରାମର ଐତିହାସିକ ସାପ୍ତାହିକ ହାଟ ପୁନରୁଦ୍ଧାର ପାଇଁ ଗ୍ରାମବାସୀ ପୁନଃ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ବ୍ରିଟିଶ କାଳର ‘ମହାଜନୀ ପ୍ରଣାଳୀ’ ଅଧୀନରେ ସ୍ଥାପିତ ଏହି ହାଟ ଦୀର୍ଘଦିନ ଧରି ଗ୍ରାମୀଣ ଆର୍ଥିକ ଓ ସାଂସ୍କୃତିକ ଜୀବନର ମୂଳ ଆଧାର ରହିଆସିଛି।
ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଶାନ୍ତ ସ୍ୱାଇଁ (ଲୁଲୁ) କୁଶୁପୁର ହାଟ ପୁନରୁଦ୍ଧାର ପାଇଁ ପୂର୍ବରୁ ଦିଆଯାଇଥିବା ବିକଳ୍ପ ପ୍ରସ୍ତାବକୁ ପୁନଃ ସକ୍ରିୟ କରିଛନ୍ତି। ସେ ପ୍ରସ୍ତାବ ଦେଇଛନ୍ତି ଯେ, ବିଏସଏନଏଲ୍କୁ ଆବଣ୍ଟିତ କିନ୍ତୁ ବର୍ତ୍ତମାନ ଅବ୍ୟବହୃତ ପ୍ଲଟ୍ ନଂ–୧୮୨୩ (ହାଲ୍ ଖାତା–୬୬୭, ସାବକ ଖାତା–୧୧୪, ମୌଜା–କୁଶୁପୁର) କୁ ପୁନଃ ସାପ୍ତାହିକ ହାଟ ପାଇଁ ବ୍ୟବହାର କରାଯାଉ। ଶ୍ରୀ ସ୍ୱାଇଁଙ୍କ ପ୍ରସ୍ତାବ ଅନୁଯାୟୀ, କୁଶୁପୁର ସାପ୍ତାହିକ ହାଟକୁ ସରକାରଙ୍କ ‘ଆକାଂକ୍ଷା ହାଟ’ ଯୋଜନା ସହ ସମନ୍ୱୟ କରି ଡିଜିଟାଲ୍ ସୁବିଧାଯୁକ୍ତ ଏକ ଇ-ମାର୍କେଟ୍ ପ୍ଲାଟଫର୍ମ ସହ ଯୋଡ଼ାଯାଇପାରିବ। ଏହା ମାଧ୍ୟମରେ କୃଷକ ଓ ସ୍ଥାନୀୟ ବ୍ୟବସାୟୀମାନେ ରାଜ୍ୟ ଓ ରାଜ୍ୟ ବାହାରରେ ମଧ୍ୟ ନିଜ ଉତ୍ପାଦ ବିକ୍ରି କରି ଆୟ ବୃଦ୍ଧିର ସୁଯୋଗ ପାଇବେ। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଉଚ୍ଛେଦରେ ପ୍ରଭାବିତ କିଛି ବ୍ୟବସାୟୀଙ୍କ ପୁନର୍ବାସନ ଦାବି ଓ କୁଶୁପୁର ହାଟ ପୁନରୁଦ୍ଧାର ପ୍ରସ୍ତାବ—ଦୁହିଁଟି ବିଷୟକୁ ଆଇନ ଓ ନିୟମ ଅନୁଯାୟୀ ଗମ୍ଭୀରତା ସହ ବିଚାର କରାଯିବ।
