ରହାଙ୍ଗଗୋରଡ଼ା ଧାନ ମଣ୍ଡିରେ ଧାନ କିଣାରେ ଅହେତୁକ ବିଳମ୍ବ ପାଇଁ ଜିଲ୍ଲାପାଳଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କଲେ

ପୁରୀ : ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଲକ୍ର ରହାଙ୍ଗଗୋରଡ଼ା ପ୍ରାଥମିକ କୃଷି ସମବାୟ ସମିତି ଅଧୀନସ୍ଥ ଧାନ ମଣ୍ଡିରେ ଖରିଫ୍ ବଜାର ଋତୁ ୨୦୨୫–୨୬ ଅନୁସାରେ ଧାନ କ୍ରୟ ପ୍ରକ୍ରିୟା ଅତ୍ୟନ୍ତ ଧୀର ଗତିରେ ଚାଲିଥିବାରୁ ଶତାଧିକ ଚାଷୀ ଗଭୀର ସଙ୍କଟରେ ପଡ଼ିଛନ୍ତି।ତଥ୍ୟ ଅନୁଯାୟୀ, ଏହି ଧାନ ମଣ୍ଡିରେ ମୋଟ ୩୪୦ ଜଣ ଚାଷୀ ପଞ୍ଜୀକୃତ ଥିବା ବେଳେ ଏପର୍ଯ୍ୟନ୍ତ କେବଳ ୫୬ ଜଣ ଚାଷୀଙ୍କର ଧାନ କ୍ରୟ ସମ୍ପନ୍ନ ହୋଇଛି। ଅବଶିଷ୍ଟ ୨୮୪ ଜଣ ଚାଷୀ ଦୀର୍ଘ ସମୟ ଧରି ତାଙ୍କ ଧାନ ବିକ୍ରୟ ପାଇଁ ଅପେକ୍ଷାରେ ରହିଛନ୍ତି।
ଏହି ଗମ୍ଭୀର ସ୍ଥିତିକୁ ନେଇ ଜିଲ୍ଲା ସ୍ତରୀୟ ଚାଷୀ ପ୍ରତିନିଧି ତଥା ବିଜେପି କୃଷକ ମୋର୍ଚ୍ଚା ଓଡ଼ିଶାର ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଶାନ୍ତ ସ୍ୱାଇଁ (ଲୁଲୁ) ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପୁରୀ ଜିଲ୍ଲା ପରିଚାଳକଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରି ତୁରନ୍ତ ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି। ତଥ୍ୟ ଅନୁଯାୟୀ, ଏହି ଧାନ ମଣ୍ଡି ପାଇଁ ମୋଟ ଧାନ କ୍ରୟ ଲକ୍ଷ୍ୟ ୧୩,୩୭୦.୧୫ କ୍ୱିଣ୍ଟାଲ ନିର୍ଦ୍ଧାରିତ ଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କେବଳ ୫,୬୪୭ କ୍ୱିଣ୍ଟାଲ ଲକ୍ଷ୍ୟ ବଣ୍ଟନ ହୋଇଛି। ଏହା ମଧ୍ୟରୁ ବାସ୍ତବ କ୍ରୟ ପରିମାଣ ମାତ୍ର ୨,୬୭୫.୫୩ କ୍ୱିଣ୍ଟାଲରେ ସୀମିତ ରହିଛି। କୁସୁପୁରର ଶ୍ରୀ ସୀତାରାମ ରାଇସ୍ ମିଲ (୪,୦୦୦ କ୍ୱିଣ୍ଟାଲ) ଓ ଚନ୍ଦନପୁରର କାମଧେନୁ ରାଇସ୍ ମିଲ (୧,୬୪୭ କ୍ୱିଣ୍ଟାଲ) ଟ୍ୟାଗ୍ଡ୍ ଥିବା ସତ୍ତ୍ୱେ ମିଲିଂ କ୍ଷମତା ଓ ଯଥେଷ୍ଟ ଲକ୍ଷ୍ୟ ବଣ୍ଟନ ନ ହେବାରୁ ଧାନ ଉଠାଣ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ଏହାର ପରିଣାମ ସ୍ୱରୂପ ଚାଷୀମାନେ ଖୋଲା ଆକାଶ ତଳେ ଧାନ ରଖିବାକୁ ବାଧ୍ୟ ହେଉଛନ୍ତି, ଯାହା ଫସଲର ଗୁଣମାନ ଓ ସୁରକ୍ଷା ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଛି।
ଶ୍ରୀ ସ୍ୱାଇଁ ଦାବି କରିଛନ୍ତି ଯେ, ସମ୍ପୃକ୍ତ ଧାନ ମଣ୍ଡିକୁ ତୁରନ୍ତ ନିର୍ଦ୍ଦେଶ ଦେଇ ବାକି ଥିବା ୨୮୪ ଜଣ ଚାଷୀଙ୍କର ଧାନ କ୍ରୟ ଶୀଘ୍ର ସମ୍ପନ୍ନ କରାଯାଉ ଏବଂ ଟୋକନ୍ ବ୍ୟବସ୍ଥାକୁ ସଠିକ୍ ଓ ପାରଦର୍ଶୀ ଭାବେ କାର୍ଯ୍ୟକାରୀ କରାଯାଉ। ଆବଶ୍ୟକ ହେଲେ ତୁରନ୍ତ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଡାକି ସମସ୍ୟାର ସମାଧାନ କରାଯାଉ ବୋଲି ସେ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟସ୍ତରରେ ଖରିଫ୍ ବଜାର ଋତୁ ୨୦୨୫–୨୬ ଅଧୀନରେ ପ୍ରାୟ ୩୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ ହୋଇଥିବା ବେଳେ ପୁରୀ ପରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଧାନ କ୍ରୟ ପ୍ରକ୍ରିୟା ଏପର୍ଯ୍ୟନ୍ତ ଧୀର ଗତିରେ ଚାଲିଛି। ଶ୍ରୀ ସ୍ୱାଇଁ କହିଛନ୍ତି, “ଚାଷୀଙ୍କ ସ୍ୱର ଉଠାଇବା ମୋର ଦାୟିତ୍ୱ। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ସରକାର ନିର୍ଦ୍ଧାରିତ ଦରରେ ଧାନ କ୍ରୟ ସୁନିଶ୍ଚିତ ହେବା ଆବଶ୍ୟକ।” ପୁରୀ ଜିଲ୍ଲାର ଚାଷୀମାନେ ତାଙ୍କ ସହ ୯୩୪୮୭୧୪୧୮୨ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ସେ ଜଣାଇଛନ୍ତି।
