ଡିସେମ୍ବର ୨୪ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ

ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ ତାରିଖରୁ ଜାନୁଆରୀ ୩ ତାରିଖ ଯାଏଁ ଅନୁଷ୍ଠିତ ହେବ। ୧୧ ଦିନ ଧରି ଚାଲିବ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ସୋମବାର ଦିନ ପ୍ରଥମ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥର ଧନୁଯାତ୍ରା ମହୋତ୍ସବ ପୂର୍ବରୁ କଂସ ସମେତ ଅନ୍ୟ କଳାକାରଙ୍କ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ।ଅନ୍ୟବର୍ଷ ତୁଳନାରେ ଏଥର ମହୋତ୍ସବରେ ଅଧିକ ନୂତନତା ଏବଂ ଆକର୍ଷଣକୁ ଗୁରୁତ୍ୱ ଦିଆଯିବ ବୋଲି ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ ଓ ଉପଦେଷ୍ଟା କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇଛି ।ଏହାସହ ଭିଡକୁ ଦୃଷ୍ଟିରେ ରଖି ସବୁ ପ୍ରକାର ବ୍ୟବସ୍ଥା କରାଯିବା ନେଇ ଆଲୋଚନା ହୋଇଥିଲା। ସମସ୍ତେ ଏକତ୍ରିତ ହୋଇ ସମନ୍ବିତ ଭାବେ ଧନୁଯାତ୍ରାର ଐତିହ୍ୟ, ଗୌରବ ଓ ମହିମାକୁ ଅକ୍ଷୁର୍ଣ୍ଣ ରଖିବାରେ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗ କାମନା କରିଥିଲେ ।
