ପଦ୍ମ ବିଭୂଷଣ ଜଗତଗୁରୁ ରାମ ଭଦ୍ରାଚାର୍ଯ୍ୟ ଙ୍କ ୭୭ ତମ ଜନ୍ମ ଜୟନ୍ତୀ ପାଳିତ

ପୁରୀ : ପୁରୀ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ରାଘବ ପରିବାର ଓଡିଶା ତରଫରୁ ଆଳିପଡା ଗ୍ରାମ ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳାରେ ଚିତ୍ରକୂଟ ତୁଳସୀ ପିଠାଧୀଶ୍ୱର ଜଗତଗୁରୁ ରାମାନନ୍ଦାଚାର୍ଯ୍ୟ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପଦ୍ମ ବିଭୂଷଣ ସ୍ୱାମୀ ରାମ ଭଦ୍ରାଚାର୍ଯ୍ୟ ଙ୍କ ୭୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ନଅ ଦିନ ଧରି ଚାଲିଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଉଦଯାପିତ ହୋଇଛି । ସ୍ୱାମୀ ରାମ ଭଦ୍ରାଚାର୍ଯ୍ୟ ଙ୍କ ଜୟନ୍ତୀ ଅବସରରେ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ ତଥା ଜଗତଗୁରୁଙ୍କ ଶିଷ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପୁରୀ ନେବଳ ଦାସ ମଠ ମହନ୍ତ ଡଃ ରାମ ଚରଣ ଦାସ, ହାତୀ ଆଖଡ଼ା ମଠ ମହନ୍ତ ସୁଖରାମ ଦାସ, ପଣ୍ଡିତ ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ମହନ୍ତ କୃଷ୍ଣଚନ୍ଦ୍ର ଦାସ ଜୀ ମହାରାଜ ପ୍ରମୁଖ ଯୋଗଦେଇ ଜଗତଗୁରୁଙ୍କ ଦୀର୍ଘାୟୁ କାମନା କରିଥିଲେ । ଏହି ଅବସରରେ ଗ୍ରାମବାସୀ ମାନେ ଭଜନ କୀର୍ତ୍ତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ ।

କାର୍ଯ୍ୟକ୍ରମ ଶେଷରେ ଜଗତଗୁରୁଙ୍କ ଶିଷ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବାୟୁଯାନରେ ନେଇ ରାଜସ୍ଥାନ ର ଜୟପୁର ଠାରେ ଅବସ୍ଥାନ କରୁଥିବା ଜଗତଗୁରୁ ସ୍ବାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ମହାପ୍ରଭୁଙ୍କ ମହାପ୍ରସାଦ ଅର୍ପଣ କରିଥିଲେ ।
