ପ୍ରସିଦ୍ଧ ଡେଲାଙ୍ଗ ହରିରାଜପୁର ମେଳଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ : ଡେଲାଙ୍ଗର ହରିରାଜପୁର ମେଳଣ ଏକ ପ୍ରାଚୀନ ମେଳଣ ଭାବେ ରାଜ୍ୟରେ ଖ୍ୟାତି ଲାଭ କରିଛି। ପଶ୍ଚିମା ଶମ୍ଭୁ ପ୍ରଭୁ ସୋମନାଥଙ୍କ ପଞ୍ଚୁଦୋଳ ମେଳଣ ଚଳିତ ବର୍ଷ ମାର୍ଚ୍ଚ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୪ ଶହ ବର୍ଷ ପ୍ରାଚୀନ ଏହି ମେଳଣରେ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ। ତେଣୁ ଏହାକୁ ଶୃଙ୍ଖଳାର ସହ ପରିଚାଳନାପାଇଁ ଏକ ପ୍ରସ୍ତୁତି ବୈଠକ ଗତକାଲି ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏକ ପ୍ରାଚୀନ ମେଳଣ ଭାବେ ହରିରାଜପୁର ର ସୁଖ୍ୟାତି ରହିଛି।ଏହାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବେ ପରିଚାଳନା ସହ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବା କୁ ପରାମର୍ଶ ଦେଇଥିଲେ। ଏସ୍. ପି ପ୍ରତୀକ ସିଂ ମେଳାରେ ଶୃଙ୍ଖଳା ରକ୍ଷା ସହ ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ଯାତ୍ରୀ ସୁରକ୍ଷା, ଭିଡ ନିୟନ୍ତ୍ରଣ ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ।ମେଳଣ ପଡିଆକୁ ପରିସ୍କାର ପରିଛନ୍ନ,ଅସ୍ଥାୟୀ ରହଣୀ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଶିବିର, ଅଗ୍ନି ନିର୍ବାପକ ବ୍ୟବସ୍ଥା ସହ ଅଗ୍ନି ଶମ ଅଧିକାରୀ ଙ୍କ ପରାମର୍ଶ ଅନୁସାରେ ଆକସ୍ମିକ ଅଗ୍ନିକାଣ୍ଡର ମୁକାବିଲା ପାଇଁ ଫାୟାର ଗାଡି ଯାତାୟାତ ପାଇଁ ରାସ୍ତା ବ୍ୟବସ୍ଥା କରି ଅସ୍ଥାୟୀ ଦୋକାନ ନିର୍ମାଣ, ସମସ୍ତ ବ୍ୟବସାୟୀ ନିଜର ବ୍ୟକ୍ତିଗତ ଅଗ୍ନି ନିର୍ବାପକର ସର୍ବନିମ୍ନ ବ୍ୟବସ୍ଥା ରଖିବା, ପାନୀୟ ଜଳ ଯୋଗାଣ,ସମସ୍ତ ଜଳ ଉତ୍ସ ଗୁଡିକ ବିଶୋଧନ, ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ସମସ୍ତ ବିଭାଗ ସେମାନଙ୍କ ଦାୟିତ୍ୱକୁ ସୁଚାରୁରୂପେ ପରିଚାଳନା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଇପିଏସ ପ୍ରୋବେସନର ଅନଖା କେ ବିଜୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଡିଏସପି ଦେବାଶିଷ ମିଶ୍ର, ଡେଲାଙ୍ଗ ବିଡ଼ିଓ ସମୀର ବେହେରା,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ମେଳଣ କମିଟିର ସଦସ୍ୟ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ପଞ୍ଚୁଦୋଳ ମେଳଣ କମିଟିର ସମ୍ପାଦକ ପ୍ରସନ୍ନ କୁମାର ମହାରଥୀ, ସମସ୍ତଙ୍କୁ ସ୍ବାଗତ କରିବା ସହ ପଞ୍ଚୁଦୋଳ ମେଳଣର ଐତିହ୍ୟ,ପରମ୍ପରା ଓ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ।

Share the News .....

Leave a Reply

Your email address will not be published. Required fields are marked *