ସେପ୍ଟେମ୍ବର ୧ ରୁ ସାଧ୍ୱୀ ଋତୁମ୍ବରାଙ୍କ ପୁରୀରେ ଭାଗବତ କଥା

ପୁରୀ : ଉତ୍ତରପ୍ରଦେଶ ବୃନ୍ଦାବନ ସ୍ଥିତ ଵାତ୍ସଲ୍ୟ ଗ୍ରାମ ପରମ ଶକ୍ତିପୀଠ ତରଫରୁ ବଳିଆ ପଣ୍ଡା ସ୍ଥିତ ସେଭେନ ହିଲ ହୋଟେଲ ପରିସରରେ ଚାଳିତ ବର୍ଷ ୧ ସେପ୍ଟେମ୍ବର ରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ସାପ୍ତାହିକ ଶ୍ରୀମଦ ଭାଗବତ କଥା ଆୟୋଜିତ ହେବାକୁ ଯାଉଛି । କଥାବ୍ୟାସ ରୂପେ ଭାରତ ବର୍ଷର ଚର୍ଚିତ ଚେହେରା ଉତ୍ତରପ୍ରଦେଶ ବୃନ୍ଦାବନ ସ୍ଥିତ ଵାତ୍ସଲ୍ୟ ଗ୍ରାମ ପରମ ଶକ୍ତିପୀଠର ମୁଖ୍ୟ ଦିଦିମା ତଥା ଶ୍ରୀରାମ ମନ୍ଦିର ଆନ୍ଦୋଳନ ର ମୁଖ୍ୟ ନାୟିକା ପଦ୍ମ ଭୂଷଣ ସାଧ୍ୱୀ ଋତୁମ୍ବରା ଜୀ ନିଜର ଔଜସ୍ୱିନୀ ଶବ୍ଦ ସଂଯୋଜନା ମାଧ୍ୟମରେ ଭାଗବତ କଥା ବାଚନ କରିବେ | ଏହି ପରିପ୍ରେକ୍ଷୀରେ ପୁରୀ ସର୍କିଟ ହାଉସଠାରେ ପୁରୀ ଲୋକସଭା ସାଂସଦ ଡଃ ସମ୍ବିତ ପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶକ୍ତିପୀଠର ସାଧ୍ୱୀ ଶିରୋମଣୀ ଜୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜୟ ଭଗବାନ ଅଗ୍ରୱାଲ, ଓଡିଶା ର ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ଉମେଶ ଖଣ୍ଡେଲୱାଲ, ରାକେଶ ଦାସ, ପ୍ରଶାନ୍ତ ସାହୁ, ବେଲ୍ଳା ଗାନ୍ଧୀ, ଗଣମାଧ୍ୟମ ସଂଯୋଜକ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ସପ୍ତଦିବସିୟ କାର୍ଯ୍ୟକ୍ରମରେ ଦେଶ ବିଦେଶ ରୁ ୧ ହଜାର ଶ୍ରଦ୍ଧାଳୁ ଙ୍କ ସମେତ ସାଧୁ, ସନ୍ଥ, ଜଗତଗୁରୁ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡିଶାର ମନ୍ତ୍ରୀ ମଣ୍ଡଳ ସଦସ୍ୟ, ବିଭିନ୍ନ ରାଜ୍ୟର ସାଂସଦ ଶ୍ରଦ୍ଧାଳୁ ରୂପେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପୁରୀ ଧାମରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତର ମୁଖ୍ୟ ଉଦେଶ୍ୟ ହେଉଛି ପୁରୀରେ ପଚାଶ ଏକର ଜମିରେ ବୃନ୍ଦାବନର ଵାତ୍ସଲ୍ୟ ଗ୍ରାମ ଭଳି କନ୍ୟା ସନ୍ତାନ ବାଳିକା ମାନଙ୍କ ସାମରିକ ଶିକ୍ଷା ମହାବିଦ୍ୟାଳୟ ମାଧ୍ୟମରେ ପ୍ରଶିକ୍ଷିତ କରାଯାଇ ଦେଶର ସେନା ବାହିନୀରେ ନିୟୋଜିତ କରିବାର ଲକ୍ଷ ରଖାଯାଇଛି ବୋଲି ବୈଠକ ରେ ଆଲୋଚନା କରାଯାଇଥିଲା । ବୈଠକ ପରେ ପ୍ରତିନିଧିମଣ୍ଡଳୀ ପୁରୀ ଏସପି ପ୍ରତୀକ ସିଂଙ୍କ ସହିତ ସୁରକ୍ଷା ପାଇଁ ଆଲୋଚନା କରିଥିଲେ।
