ପୁରୀରେ ଖରିଫ୍ ଧାନ ସଂଗ୍ରହରେ ଐତିହାସିକ ସଫଳତା ପରେ ରବି ଋତୁ ପାଇଁ ପ୍ରସ୍ତୁତି ବୈଠକ ସମ୍ପନ୍ନ

ପୁରୀ : ପୁରୀ ଜିଲ୍ଲାରେ ଚଳିତ ବର୍ଷର ଖରିଫ୍ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଐତିହାସିକ ସଫଳତା ଅର୍ଜନ କରିଛି। ଜିଲ୍ଲାର ବିଭିନ୍ନ ଧାନମଣ୍ଡୀ ମାଧ୍ୟମରେ ନିର୍ଦ୍ଧାରିତ ଲକ୍ଷ୍ୟର ୯୬.୮% ଧାନ ସଂଗ୍ରହ ହୋଇଥିବାରୁ ଏହାକୁ ଏକ ମାଇଲସ୍ଟୋନ୍ ଭାବେ ଦେଖାଯାଉଛି। ମୋଟ ୨୧,୦୪,୦୦୦ କ୍ୱିଣ୍ଟାଲ ଧାର୍ଯ୍ୟ ଲକ୍ଷ୍ୟ ରୁ ୨୦,୩୬,୪୫୯.୫୬ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି।ଏହି ପ୍ରକ୍ରିୟାରେ ୫୯,୨୫୩ ଜଣ ଚାଷୀଙ୍କ ଯାଞ୍ଚ ସମ୍ପନ୍ନ ହୋଇଥିବା ବେଳେ ୫୮,୦୦୫ ଜଣ ଚାଷୀ ସିଧାସଳଖ ଭାବେ ଲାଭାନ୍ୱିତ ହୋଇଛନ୍ତି। ସେମାନଙ୍କ ଖାତାକୁ ମୋଟ ୪୭୯.୪୪ କୋଟି ଟଙ୍କା ପ୍ରଦାନ କରାଯାଇଛି।ଚାଷୀ ପ୍ରତିନିଧି ପ୍ରଶାନ୍ତ ସ୍ୱାଇଁ (ଲୁଲୁ) କହିଛନ୍ତି ଯେ, ସରକାରଙ୍କ କୃଷକ-ମୂଖ୍ୟ ନୀତି ଓ ଜିଲ୍ଲା ପ୍ରଶାସକଙ୍କ ସମନ୍ୱୟରେ ଏହି ସଫଳତା ସମ୍ଭବ ହୋଇଛି।ଏହି ପରିପ୍ରେକ୍ଷିରେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରବି ଋତୁ ଧାନ ସଂଗ୍ରହ ପାଇଁ ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପଜିଲ୍ଲାପାଳ, ଜିଲ୍ଲା ମୂଖ୍ୟ ଯୋଗାଣ ଅଧିକାରୀ ( ସିଏସଓ), ଡିଆରସିଏସ, ଚାଷୀ ପ୍ରତିନିଧି ପ୍ରଶାନ୍ତ ସ୍ୱାଇଁ, ଅଜୟ ପ୍ରଧାନ, ପୁରୀ ସାଂସଦଙ୍କ ପ୍ରତିନିଧି ପର୍ଶୁରାମ ବିଶୋଇ ଓ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ। ଆଗାମୀ ମେ ୧୫ ତାରିଖରୁ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି।ହେଲେ ବୈଠକରେ ଜିଲ୍ଲାର କୌଣସି ନିର୍ବାଚିତ ପ୍ରତିନିଧି—ଶାସକ କିମ୍ବା ବିରୋଧୀ ଦଳର—ଉପସ୍ଥିତ ନଥିବା ଘଟଣା ଏକ ଆଲୋଚ୍ୟର ବିଷୟ ହୋଇଛି।ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅନେକଙ୍କ ମତରେ, ଏପରି ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କ ଅନୁପସ୍ଥିତି ପୁରୀ ଜିଲ୍ଲାର ଚାଷୀମାନଙ୍କ ପ୍ରତି ସେମାନଙ୍କ ଦାୟୀତ୍ବବୋଧକୁ ପ୍ରଶ୍ନ କରୁଛି।ସ୍ଥାନୀୟ ଚାଷୀ ଓ ସଚେତନ ଲୋକଙ୍କ ମତ ଅନୁଯାୟୀ, ଏହାରୁ ସ୍ପଷ୍ଟ ଯେ ଚାଷୀ ସମସ୍ୟା ଓ କୃଷି ସମ୍ପର୍କିତ ମୁଦ୍ଦାରେ ନିର୍ବାଚିତ ପ୍ରତିନିଧିମାନଙ୍କ ଗୁରୁତ୍ୱ ଓ ସକ୍ରିୟତା ଆହୁରି ବୃଦ୍ଧି ପାଇବା ଆବଶ୍ୟକ।ପୁରୀ ଜିଲ୍ଲାର ଏହି ସଫଳତା ସତ୍ତ୍ୱେ, ଏପରି ଅନୁପସ୍ଥିତି ଆଗାମୀଦିନରେ କୃଷକ-କେନ୍ଦ୍ରିକ ପଦକ୍ଷେପରେ ଅଧିକ ଜବାବଦେହିତା ଆଣିବାର ଆବଶ୍ୟକତାକୁ ଉଦ୍ଭାସିତ କରିଛି।

Share the News .....

Leave a Reply

Your email address will not be published. Required fields are marked *