ପୁରୀ ଜିଲ୍ଲା ସ୍ତରୀୟ ସୁପୋଷିତ କର୍ମଶାଳା ଅନୁଷ୍ଠିତ

ପୁରୀ : କୁପୋଷଣକୁ ଦୂରେଇ ସମସ୍ତଙ୍କୁ ସୁପୋଷିତ କରିବା ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ଅଙ୍ଗନବାଡି ସ୍ତରରୁ ଉଦ୍ୟମ ଆରମ୍ଭ ହୋଇଛି ବୋଲି କହିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି। ଶନିବାର ପୂର୍ବାହ୍ନରେ ସଦଭାବନା ସଭାଗୃହଠାରେ ସମାଜ କଲ୍ୟାଣ ବିଭାଗ ପକ୍ଷରୁ ସୁପୋଷଣ ସମ୍ପର୍କରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହାକୁ ଉଦଘାଟନ କରି ଶ୍ରୀ ପୃଷ୍ଟି ଶିଶୁମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଣ ସହ ସୁସ୍ଥ ଓ ସୁନ୍ଦର ସ୍ୱାସ୍ଥ୍ୟ ର ଅଧିକାରୀ ଯେପରି ସେମାନେ ହୋଇ ପାରିବେ ସେଥିପ୍ରତି ସରକାର ବ୍ୟବସ୍ଥା କରିଛନ୍ତି। ଏହାକୁ ଯେପରି ଅଧିକ ଲୋକାଭିମୁଖୀ ଓ ସରଳ ପ୍ରକ୍ରିୟାରେ ଉପଯୋଗ କରାଯାଇ ପାରିବ ସେଥିଲାଗି ଏହି ପ୍ରଶିକ୍ଷଣ ଶିବିର ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଶୁଭେଚ୍ଛା ବାର୍ତ୍ତା ଓ ସୁପୋଷଣର ମହତ୍ତ୍ୱ ସମ୍ପର୍କରେ ଭିଡିଓବାର୍ତ୍ତାକୁ ଉପସ୍ଥାପନ କରାଯାଇଥିଲା। ଏଥିରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସୁପୋଷଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ହୃଦୟ ପ୍ରଦୀପ ଓ ଇଶିକା ସୁପୋଷଣର ଉପଯୋଗ, ଅଙ୍ଗନବାଡ଼ିରେ ତାହାର କାର୍ଯ୍ୟକାରିତା, ପ୍ରତି ମାସର ପ୍ରଥମ ଓ ତୃତୀୟ ଶନିବାରକୁ ସମ୍ପ୍ରଦାୟ ଦିବସଭାବେ ପାଳନର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ରମ, ସୁପରଭାଇଜର ଚନ୍ଦ୍ରପ୍ରଭା ଦେଇ, ବାଲ୍ୟବତୀ ମହାନ୍ତି, ପୋଷଣର ଡିପିସି ସସ୍ମିତା କର୍ମକାର, ସମସ୍ତ ସିଡିପିଓ, ସୁପରଭାଇଜର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ସୁପୋଷଣ ଶପଥ ପାଠ କରାଯାଇଥିଲା।
