ବଡଦିନ ଓ ନୂଆ ବର୍ଷ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ : ବଡଦିନ ଓ ନୂଆ ବର୍ଷରେ କେବଳ ସିଂହଦ୍ୱାର ଦେଇ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରିବେ। ପଞ୍ଚୁକ ସମୟରେ ଏହି ବ୍ୟବସ୍ଥା ଅନୁସାରେ ଶ୍ରଦ୍ଧାଳୁ ମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିଥିଲେ। ତେଣୁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସୁବିଧା ପାଇଁ ଏହା କରାଯିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସୂଚନା ଦେଇଛନ୍ତି। ମଙ୍ଗଳବାର ଅପରାହ୍ନରେ ସର୍କିଟ ହାଉସ ଠାରେ ଆଗାମୀ ବଡଦିନ ଓ ନୂଆ ବର୍ଷ ସମୟରେ ଶୃଙ୍ଖଳିତ ଦର୍ଶନ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ବର୍ଷ ଶେଷ ସହିତ ଛୁଟି ଦିନ ରହୁଥିବାରୁ ବଡଦିନ ଓ ନୂଆ ବର୍ଷ ରେ ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ଲୋକ ମାନଙ୍କ ର ଗହଳି ହୋଇଥାଏ। ତେଣୁ ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା, ଆଇନ ଶୃଙ୍ଖଳା, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ଗମନାଗମନ, ଟ୍ରାଫିକ ନିୟନ୍ତ୍ରଣ, ସ୍ୱଛତା ଇତ୍ୟାଦି ଅତ୍ୟାବଶ୍ୟକୀୟ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଥିଲେ। ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇ ଥିବାରୁ ପାନୀୟ ଜଳ ପ୍ରଦାନ ବ୍ୟବସ୍ଥା ମନ୍ଦିର ଭିତରେ ଓ ବାହାରେ କରାଯିବ। ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି ଦୁର୍ଘଟଣା ପାଇଁ ପ୍ରସ୍ତୁତ ରହିବା, ସମୁଦ୍ର ନିକଟରେ ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ଥା, ଲାଇଫଗାର୍ଡ ମୁତୟନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ନୀତି କାନ୍ତି ସଠିକ ସମୟରେ ପରିଚାଳନା ପାଇଁ ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନ କୁ ପରାମର୍ଶ ଦେଇଥିଲେ। ଯାହା ଫଳରେ ଦର୍ଶନ ଯଥା ଶୀଘ୍ର ତ୍ୱରାନ୍ୱିତ ହୋଇ ପାରିବ। ସେହିପରି ପାନୀୟ ଜଳ ଓ ଶୌଚାଳୟ ପାଇଁ ୱ୍ୱାଟକୋ, ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ସିଡିଏମଓ,ସ୍ୱାଛତା, ପରିଷ୍କାର ପରିଛନ୍ନତା ଓ ଶୌଚାଳୟ ପାଇଁ ପୁରୀ ପୌରପାଳିକା, ଶ୍ରଦ୍ଧାଳୁ ଙ୍କୁ ବିବିଧ ସୂଚନା ପ୍ରଦାନ ପାଇଁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, ଟ୍ରାଫିକ ନିୟନ୍ତ୍ରଣ, ଶୃଙ୍ଖଳା ରକ୍ଷା ପାଇଁ ଆରକ୍ଷୀ ବିଭାଗ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଟିପିସିଓଡିଏଲ,ପାର୍କିଂ ସ୍ଥଳ ଓ ଯାନବାହନ ନିୟନ୍ତ୍ରଣ ପାଇଁ ଆରଟିଓ, ବ୍ୟାରିକେଡ ନିର୍ମାଣ, ଆବଶ୍ୟକ ଅନୁସାରେ ରାସ୍ତା ମରାମତି ପାଇଁ ପୂର୍ତ୍ତ ବିଭାଗ ଉପଯୁକ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହା ଏକ ସାମୁହିକ କାର୍ଯ୍ୟକ୍ରମ। ଏହାକୁ ସମ୍ମିଳିତ ସହଯୋଗ ରେ ସଫଳ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଅନ୍ୟ ଦିନ ମାନଙ୍କ ଅପେକ୍ଷା ଛୁଟି ଦିନ ପଡୁଥିବା ରୁ ବଡଦିନ ଓ ନୂଆ ବର୍ଷରେ ବ୍ୟାପକ ଗହଳି ର ଆଶା କରାଯାଉଛି। ଆଇନ ଶୃଙ୍ଖଳା ରକ୍ଷା, ପାର୍କିଂ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ଧାଡିରେ ଥିବା ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ, ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ପାଇଁ ପୋଲିସ ବିବିଧ ପଦକ୍ଷେପ ନେଇଛନ୍ତି। ଶ୍ରଦ୍ଧାଳୁ ଙ୍କୁ ସୂଚନା ପ୍ରଦାନ ଓ ସଚେତନତା ପାଇଁ ସାଇନଏଜ ବିଭିନ୍ନ ସ୍ଥାନରେ ଲଗାଯିବ।
ତେବେ ନୀତି ଠିକ ସମୟରେ ସମ୍ପାଦନ ପାଇଁ ମନ୍ଦିର କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବେନ୍ଦ୍ର ନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପିକେଡିଏ ସଚିବ ଦିଲ୍ଲୀପ କୁମାର ମହାରଣା, ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ, ଅତିରିକ୍ତ ଏସପି ଦେବୀ ଶଙ୍କର ପ୍ରତାପ, ସଚିବ ପାଟିଲ, ସୌମ୍ୟ ରଞ୍ଜନ ମଲ୍ଲିକ, ସହକାରୀ ନିତୀ ପ୍ରଶାସକ ରଞ୍ଜନ କୁମାର ବେହେରା,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Share the News .....

Leave a Reply

Your email address will not be published. Required fields are marked *