କଣାସ ବ୍ଲକ ଗଡ଼ସାହି ପଞ୍ଚାୟତର ପୋଖରୀ ଭୟାବହଭାବେ ପ୍ରଦୂଷିତ

କଣାସ (ସମ୍ବାଦଦାତା): ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଗଡ଼ସାହି ଗ୍ରାମ ପଞ୍ଚାୟତ ସମ୍ମୁଖରେ ଅବସ୍ଥିତ ଏକ ପୁରାତନ ପଞ୍ଚାୟତ ପୋଖରୀରେ ଭୟାବହ ପ୍ରଦୂଷଣ ଦେଖାଦେଇଛି। ପୋଖରୀର ପାଣି ସମ୍ପୂର୍ଣ୍ଣ ଭାବେ ବ୍ୟବହାରଯୋଗ୍ୟ ନରହିଥିବାବେଳେ, ପାଣି ଉପରେ ମୃତ ମାଛ ଭାସୁଥିବା ଦୃଶ୍ୟ ଅଞ୍ଚଳବାସୀଙ୍କୁ ଭୟଭୀତ କରିଛି। ଚାରିପାଖ ଅଞ୍ଚଳରେ ଭୟଙ୍କର ଦୁର୍ଗନ୍ଧ ହେବାରୁ ଗ୍ରାମବାସୀଙ୍କ ସାଧାରଣ ଜୀବନ ଅସହ୍ୟ ହୋଇପଡ଼ିଛି। ଏହି ଗୁରୁତର ସମସ୍ୟାକୁ ନେଇ ଗତ ଡିସେମ୍ବର ୪ ତାରିଖରେ କଣାସ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଅଧିକୃତ ଇମେଲ ମାଧ୍ୟମରେ ଅବଗତ କରାଯାଇଥିଲେ ମଧ୍ୟ, ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ନ କରାଯାଇଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତା ଉପରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଶାନ୍ତ ସ୍ୱାଇଁ। ଶ୍ରୀ ସ୍ୱାଇଁ ଜଣାଇଛନ୍ତି ଯେ, ଗଡ଼ସାହି ଓ ଜଙ୍କିଆ—ଏହି ଦୁଇଟି ମୌଜାର ଲୋକେ ଏହି ପୋଖରୀ ଉପରେ ନିର୍ଭର କରିବା ସହ ଗ୍ରାମଦେବୀ ମା ହରଚଣ୍ଡି, ଧବଳେଶ୍ଵର, ମା ସନ୍ତୋଷି, ରାଧାକାନ୍ତ ଇତ୍ୟାଦି ଦେବଦେବୀଙ୍କ ପୂଜା ଅର୍ଚ୍ଚନା ପାଇଁ ଆବଶ୍ୟକ ଜଳ ଏହି ପୋଖରୀରୁ ରୁ ଯାଏ, ଏତଦ୍ ବ୍ୟତୀତ ରୋଷେଇ, ଗାଧୋଇବା,କପଡ଼ା ଧୋଇବା ଓ ପଶୁମାନଙ୍କୁ ପାଣି ପିଆଇବା ଭଳି ଦୈନିକ କାର୍ଯ୍ୟ କରିଥାନ୍ତି। ବର୍ତ୍ତମାନ ପ୍ରଦୂଷଣ ଯୋଗୁଁ ସ୍ୱାସ୍ଥ୍ୟ ଅବସ୍ଥା ଭୟଙ୍କର ରୂପ ନେଇଛି। ପୂର୍ବ ବର୍ଷ ଅଞ୍ଚଳରେ ସମ୍ପ୍ରତି ହଇଜା,ଡାଇରିଆ ସଦୃଶ ରୋଗ ପ୍ରକୋପ ଥିବାବେଳେ, ଏପରି ପାଣି ଜମା ଓ ପ୍ରଦୂଷିତ ପୋଖରୀ ବଡ଼ ସଙ୍କଟ ସୃଷ୍ଟି କରିପାରେ ବୋଲି ସେ ସତର୍କ କରିଛନ୍ତି।

ଏହି ମାମଲାକୁ ନେଇ ଶ୍ରୀ ସ୍ୱାଇଁ ଜିଲ୍ଲାପାଳ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ମୁଖ୍ୟ ଶାସନସଚିବ ଓ ରାଜ୍ୟ ସ୍ୱାସ୍ଥ୍ୟ ମିଶନଙ୍କୁ ଚିଠି ଲେଖି ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ପୋଖରୀରୁ ପାଣି ନମୁନା ସଂଗ୍ରହ, ପ୍ରଦୂଷଣର କାରଣ ଚିହ୍ନଟ, ମୃତ ମାଛ ସଫା କରିବା ସହ ଅଞ୍ଚଳବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଜାରି କରିବାକୁ ସେ ଦାବି କରିଛନ୍ତି। ଯଦି ତୁରନ୍ତ ପଦକ୍ଷେପ ନ ନିଆଯାଏ, ତେବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପର୍ଯ୍ୟନ୍ତ ମାମଲାକୁ ନେଇଯିବାକୁ ସେ ସ୍ପଷ୍ଟ କରିଛନ୍ତି। ଏବେ ସମସ୍ତଙ୍କ ଦୃଷ୍ଟି ଜିଲ୍ଲା ପ୍ରଶାସନର ତୁରନ୍ତ ପ୍ରତିକ୍ରିୟା ଉପରେ ରହିଛି।

Share the News .....

Leave a Reply

Your email address will not be published. Required fields are marked *