ଧାନ କିଣାରେ ଅନିୟମିତତା ଅଭିଯୋଗ, ବିଜେପିର କଡ଼ା ପ୍ରତିକ୍ରିୟା

ନିମାପଡ଼ା : ରାଜ୍ୟରେ ଚାଷୀମାନଙ୍କର ଦୁର୍ଦ୍ଦଶା ଏବଂ ଧାନ କ୍ରୟ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗକୁ ନେଇ ବିରୋଧୀ ବିଜୁ ଜନତା ଦଳ (ବିଜେଡ଼ି) ରାଜ୍ୟବ୍ୟାପୀ ଆନ୍ଦୋଳନରେ ମଙ୍ଗଳବାର ପୁରୀ ଜିଲ୍ଲାର ନିମାପଡ଼ାରେ ଏକ ଜିଲ୍ଲାସ୍ତରୀୟ ଚାଷୀ ସମାବେଶ ଏବଂ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରିଛି। ଫେବୃଆରୀ ୨ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ବେଳେ ଆଜିର କାର୍ଯ୍ୟକ୍ରମରେ ବିଜେଡ଼ି ନେତାମାନେ ବିଜେପି ସରକାରକୁ ଚାଷୀମାନଙ୍କର ସମସ୍ୟା ସମାଧାନରେ ବିଫଳତା ଅଭିଯୋଗରେ ଟାର୍ଗେଟ୍ କରିଛନ୍ତି। ଏହି ଆନ୍ଦୋଳନ ଫେବୃଆରୀ ୨୪ରେ ଭୁବନେଶ୍ୱରରେ ଏକ ବିଶାଳ ରାଲିରେ ସମାପ୍ତ ହେବ ବୋଲି ଘୋଷଣା କରାଯାଇଛି। ବିଜେଡ଼ିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସଂଜୟ ଦାସବର୍ମା ଏବଂ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ପରାମର୍ଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ନେତା, ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟ ଙ୍କ ନେତୃତ୍ୱରେ, ବିଧାୟକ ତୁଷାରକାନ୍ତି ବେହେରା, ସୁନୀଲ ମହାନ୍ତି, ପୂର୍ବତନ ବିଧାୟକ ରୁଦ୍ରପ୍ରସାଦ ମହାରଥୀ କେତେକ ପୂର୍ବତନ ନେତାମାନେ ଯୋଗ ଦେଇଥିଲେ। ମହିଳା ନେତୃତ୍ୱରେ ଦିବଂଗତ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଧର୍ମପତ୍ନୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଚାଷୀମାନେ ଧାନ କ୍ରୟରେ ଅନିୟମିତତା, ବିହୀନ ବଣ୍ଟନରେ ହେରଫେର, ସାର ଅଭାବ ଏବଂ ରାଜ୍ୟରେ ବଢ଼ୁଥିବା ଅପରାଧ ପ୍ରବଣତାକୁ ନେଇ ସରକାରଙ୍କୁ କଟାକ୍ଷ କରିଥିଲେ। ବିଜେଡ଼ି ନେତାମାନେ ଅଭିଯୋଗ କରିଛନ୍ତି ଯେ ବିଜେପି ସରକାର ଚାଷୀମାନଙ୍କୁ ପ୍ରତାରଣା କରିଛି ଏବଂ ମଣ୍ଡିଗୁଡ଼ିକରେ ଧାନ କ୍ରୟ ପ୍ରକ୍ରିୟା ସଠିକ୍ ଭାବେ ପରିଚାଳିତ ହୋଇନାହିଁ। ସମାବେଶରେ ଶତାଧିକ ଚାଷୀ ଏବଂ ଦଳୀୟ କର୍ମୀ ଯୋଗ ଦେଇଥିଲେ।

ଏହି ଆନ୍ଦୋଳନକୁ ନେଇ ବିଜେପିର ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ (ଲୁଲୁ) କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ବିଜେଡ଼ିର ଏହି କାର୍ଯ୍ୟକ୍ରମ କେବଳ ରାଜନୈତିକ ଶକ୍ତି ପ୍ରଦର୍ଶନର ଏକ ପ୍ରୟାସ ଏବଂ ଦଳର ନୀତି, ନିୟତ ଏବଂ ନେତୃତ୍ୱର ଅଭାବକୁ ପ୍ରତିଫଳିତ କରୁଛି। ବିଜେଡ଼ିର ଏପରି ସ୍ଥିତି ଦେଖି ବଡ଼ ଦୟା ଲାଗୁଛି। ପୁରୀ ଜିଲ୍ଲାରୁ ହାରିଥିବା ନେତାମାନେ ଦଳଭାଇଙ୍କୁ ନେଇ ନିମାପଡ଼ାରେ ଜିଲ୍ଲାସ୍ତରୀୟ ଶକ୍ତି ପ୍ରଦର୍ଶନ କରିବାକୁ ଆସିଥିଲେ, କିନ୍ତୁ ଦଳର ନୀତି, ନିୟତ ଏବଂ ନେତୃତ୍ୱର ଅଭାବ ଦେଖି ଦୟା ଲାଗୁଛି। ନିମାପଡ଼ାରେ ନିଜସ୍ୱ ଦଳୀୟ ନେତା ନାହାଁନ୍ତି, ଜଣେ ଅସ୍ତରଙ୍ଗରୁ ଭଡ଼ା ସୂତ୍ରରେ ଆଣି ଦାୟିତ୍ୱ ଦିଆଯାଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟଙ୍କ ରହସ୍ୟଜନକ ମୃତ୍ୟୁରେ ମୁଖ୍ୟ ଅଭିଯୁକ୍ତା ତାଙ୍କ ଧର୍ମପତ୍ନୀଙ୍କୁ ମହିଳା ନେତୃତ୍ୱ ଦେବା ଅଧିକ କୌତୂହଳ ସୃଷ୍ଟି କରିଛି। ଜନତାଙ୍କ ରାୟ ବିରୋଧରେ ଯାଇ ନେତୃତ୍ୱ ନିଷ୍ପତ୍ତି ନେବା ଦ୍ୱାରା ବିଜେଡ଼ି ନିଜ ଭୁଲ୍କୁ ନ ସୁଧାରି ଓଲଟା ଅହଂକାର ଦେଖାଉଛି।
୨୪ ବର୍ଷର ଶାସନ କାଳରେ ଚାଷୀମାନଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଚାଷୀମାନଙ୍କ ଉତ୍ପାଦିତ ଶସ୍ୟର ଅର୍ଥ ଶୋଷଣ କରିବାକୁ ବିଭିନ୍ନ ମଣ୍ଡିରେ ଷଡ଼ଯନ୍ତ୍ର ରଚି ବିଜେଡ଼ି କର୍ମୀମାନଙ୍କୁ ଥଇଥାନ କରି ନିଜ ପିଠି ନିଜେ ଥାପୁଡ଼ାଉଥିଲେ। ୨୦୨୪ ନିର୍ବାଚନରେ ଚାଷୀମାନେ ବିଜେପି ଉପରେ ଆସ୍ଥା ପ୍ରକଟ କରି ରାଜ୍ୟ ଚଳାଇବାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ବିଜେପିର ମୋହନ ମାଝୀ ସରକାର ଚାଷୀମାନଙ୍କ ଉନ୍ନତି ପାଇଁ ଧାନ କ୍ୱିଣ୍ଟାଲ୍ ପିଛା ୩୧୦୦ ଟଙ୍କା କରିବା ସହ ସିଏମ୍ କିସାନ୍, ପିଏମ୍ କିସାନ୍ରେ ବାର୍ଷିକ ୧୦,୦୦୦ ଟଙ୍କା ଦେବା ସହ ତାଙ୍କ ପିଲାମାନଙ୍କ ଉଚ୍ଚ ଶିକ୍ଷା ପାଇଁ ୨ ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା କରିଛନ୍ତି। ସାର ଏବଂ ବିହନରେ ରିହାତି ସହ ଉତ୍ତମ ଜ୍ଞାନ କୌଶଳ ଅବଲମ୍ବନ ପାଇଁ ପ୍ରଚୁର ବ୍ୟବସ୍ଥା ସହ ଭାଲ୍ୟୁ ଆଡିସନ୍ ଦ୍ୱାରା ଚାଷୀମାନେ ତାଙ୍କ ଉତ୍ପାଦିତ ଶସ୍ୟର ସଠିକ୍ ବଜାରିକରଣ ପାଇଁ ଶୀତଳ ଭଣ୍ଡାର, ୧୮୭ ମଣ୍ଡିରେ ନିଜସ୍ୱ ଗୃହ, ଧାନ ରଖିବା ସେଡ୍, ପିଇବା ପାଣି, ଶୌଚାଳୟ, ବିଶ୍ରାମ ଗୃହ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଛି। ଏହା ଦେଖି ବିଜେଡ଼ି ବିଚଳିତ ହୋଇଛି।
ମୋହନ ସରକାର ଏବେ ଜଳସେଚନ ଦ୍ୱାରା ବିଲରେ ପାଣି ପହଞ୍ଚାଇବା, ଋତୁ ଅନୁଯାୟୀ ଚାଷ କରିବା ପ୍ରଣାଳୀ, କମଧେନୁ ଯୋଜନା ସହ ଉତ୍ତମ ଯନ୍ତ୍ରପାତି ଜ୍ଞାନ କୌଶଳ ଉପଲବ୍ଧ କରାଇବା ସହ ଉତ୍ପାଦିତ ଶସ୍ୟର ଉତ୍ତମ ବଜାରିକରଣ ପାଇଁ ମଡେଲ୍ ମଣ୍ଡି ନିର୍ମାଣ ପାଇଁ ଖସଡ଼ା ପ୍ରସ୍ତୁତ ସାରିଛନ୍ତି। ବିଗତ ନୂଆପଡ଼ା ଉପନିର୍ବାଚନରେ ଯେପରି ଚାଷୀ ଭାଇଭଉଣୀମାନେ ମୋହନ ସରକାରଙ୍କ ପ୍ରତି ଆସ୍ଥା ପ୍ରଦର୍ଶନ କରିଥିଲେ, ସେଥିରେ ଲଜ୍ଜାରେ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ମୁହଁ ଦେଖାଇବାକୁ ସାହସ ଯୁଟାଇ ପାରିନାହାନ୍ତି। ଏବେ ଆସନ୍ନ ପଞ୍ଚାୟତ ନିର୍ବାଚନ ଦେଖି ଅସାମାଜିକ ତତ୍ତ୍ୱମାନଙ୍କୁ ଏକାଠି କରିବାକୁ ଭେଳିକି ଦେଖାଉଛନ୍ତି। ଏହା ସ୍ୱାଗତଯୋଗ୍ୟ କାରଣ ସମାଜରେ ଥିବା ସମସ୍ତ ଅସାମାଜିକ ଗୋଟିଏ ପୋଖରୀରେ ରହିଲେ ଆମକୁ ସୁବିଧା ହେବ। ବିଜେପିର ପଦ୍ମ ଗାଁଗାଁରେ ଥିବା ପୋଖରୀରେ ଫୁଟିବ, ବିରୋଧୀମାନେ ଫାଟିବେ – ଏଥିରେ ଆମର ତିଳେ ମାତ୍ର ସନ୍ଦେହ ନାହିଁ।”
ଏହି ରାଜନୈତିକ ପ୍ରତିକ୍ରିୟା ସହ ଆସନ୍ନ ପଞ୍ଚାୟତ ନିର୍ବାଚନରେ ଚାଷୀ ସମସ୍ୟା ଏକ ପ୍ରମୁଖ ମୁଦ୍ଦା ହେବ ବୋଲି ଆକଳନ କରାଯାଉଛି। ଉଭୟ ଦଳ ଚାଷୀମାନଙ୍କ ସମର୍ଥନ ପାଇବାକୁ ପ୍ରୟାସ କରୁଥିବା ବେଳେ ସରକାର ପକ୍ଷରୁ ଚାଷୀ କଲ୍ୟାଣ ଯୋଜନାଗୁଡ଼ିକର ସଫଳତାକୁ ହାଇଲାଇଟ୍ କରାଯାଉଛି।
