‘ ଅନ୍ତରାଷ୍ଟ୍ରୀୟ ଯୁବ ଦିବସ’ ଅବସରରେ ସ୍ୱଦେଶୀ ସଂକଳ୍ପ ରଥ ଯାତ୍ରା

ପୁରୀ : ଭାରତକୁ ସ୍ୱଦେଶୀ ଓ ସ୍ୱାବଲମ୍ବନରେ ସୁଦୃଢ କରିବା ଉଦେଶ୍ୟରେ ୧୨ ଜାନୁଆରୀ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ‘ ଅନ୍ତରାଷ୍ଟ୍ରୀୟ ଯୁବ ଦିବସ’ ଅବସରରେ ସ୍ୱଦେଶୀ ସଂକଳ୍ପ ରଥ ଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରୁ ଆରମ୍ଭ ହୋଇଛି । ଏହି ଅବସରରେ ଗୁଣ୍ଡିଚା ମନ୍ଦିର ଠାରୁ ମାର୍କେଟ ଛକ ଯାଏଁ ଏକ ଗଣଦୌଡର ମଧ୍ୟ ଆୟୋଜନ ହୋଇଥିଲା । ବିଭିନ୍ନ କଲେଜର ଶତାଧିକ ଛାତ୍ର, ଛାତ୍ରୀ, ଓ ଯୁବକ ପୋଷ୍ଟର ବ୍ୟାନର ଧରି ଗଣ ଦୌଡ଼ (ରନ ଫର ସ୍ୱଦେଶୀ)ରେ ଭାଗନେଇ ମାର୍କେଟ ଛକ ପର୍ଯ୍ୟନ୍ତ ଯାଇଥିଲେ । ସ୍ୱାବଲମ୍ବୀ ଭାରତ ଅଭିଯାନର କ୍ଷେତ୍ରୀୟ ସମନ୍ଵୟକ ସାରଦା ପ୍ରସାଦ ଶତପଥି ଓ ଅଖିଳ ଭାରତ ସଂଘର୍ଷ ବାହିନୀ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ ପତାକା ଦେଖେଇ ରଥର ଶୁଭ ଉଦଘାଟନ କରିବା ସହ ଗଣଦୌଡ଼ରେ ସାମିଲ ହୋଇଥିଲେ । ଯାତ୍ରା ପୂର୍ବରୁ ଏକ ପଥପ୍ରାନ୍ତ ସଭାରେ ଶ୍ରୀ ଶତପଥୀ କହିଥିଲେ ଯେ ବର୍ତ୍ତମାନ ବିଶ୍ୱର ୪ର୍ଥ ଆର୍ଥିକ ଶକ୍ତି ଭାବେ ଉଭା ଭାରତ ଅଳ୍ପ କିଛି ବର୍ଷ ଭିତରେ ୩ୟ ଆର୍ଥିକ ଶକ୍ତି ହେବାକୁ ଯାଉଛି l ନିଜସ୍ୱ ଜ୍ଞାନ କୌଶଳରେ ଉତ୍ପାଦିତ ଦ୍ରବ୍ୟର ବହୁଳ ବ୍ୟବହାର ହେଲେ ଦେଶ ସମ୍ପୂର୍ଣ ଆତ୍ମନିର୍ଭରଶୀଳ ହେବା ସହ ବିଶ୍ୱର ପ୍ରଥମ ଆର୍ଥିକ ଶକ୍ତି ହେବା ବି କିଛି ବଡ଼କଥା ନୁହେଁ । ତେଣୁ ଦେଶକୁ ବିଶ୍ୱର ପ୍ରଥମ ଆର୍ଥିକ ଶକ୍ତି କରିବାକୁ ହେଲେ ସ୍ୱଦେଶୀ ବସ୍ତୁର ନିର୍ମାଣ ସଂଗେ ସଂଗେ ବ୍ୟବହାର ହିଁ ଏକମାତ୍ର ପନ୍ଥା । ଅଖିଳ ଭାରତ ସଂଘର୍ଷ ବାହିନୀ ପ୍ରମୁଖ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ସ୍ୱଦେଶୀ ଓ ବିକାଶ ସମପର୍ଯ୍ୟାୟବାପି ଶବ୍ଦ l ସ୍ୱଦେଶୀ ବିନା ବିକାଶ ଓ ବିକାଶ ବିନା ସ୍ୱଦେଶୀ ସମ୍ଭବ ନୁହେଁ l ଦେଶକୁ ଆର୍ଥିକ ଶକ୍ତି ଭାବେ ଦେଖିବାକୁ ବିଦେଶୀ ବସ୍ତୁର ବର୍ଜନ ଓ ସ୍ୱଦେଶୀ ଜିନିଷ ଆପଣେଇବାକୁ ହିଁ ପଡିବ l
ଆମ ପାଖରେ ୧୪୦ କୋଟି ଜନସଂଖ୍ୟାର ବିଶାଳ ଖାଉଟି ବଜାର ରହିଛି l ଆମ ନିକଟରେ ପ୍ରଯୁକ୍ତି ଜ୍ଞାନ କୌଶଳର ମଧ୍ୟ ଅଭାବ ନାହିଁ l ଏହି ଜ୍ଞାନ କୌଶଳକୁ ଉପଯୋଗ କରି ନିର୍ମାଣ କରିବାର ଇଚ୍ଛା ଶକ୍ତି ଥରେ ଜାଗ୍ରତ କରିଦେଲେ, ଦେଶରେ ବେକାରୀ ସମସ୍ୟା ରହିବ ନାହିଁ ବୋଲି ପ୍ରକାଶ କରିଥିଲେ ପୂର୍ବ ପ୍ରାନ୍ତ ସହ ସଂଯୋଜକ ପ୍ରସନ୍ନ ଛୋଟରାୟ l ଶ୍ରୀ ଛୋଟରାୟ ଭୋକାଲ ଫର ଲୋକାଲ ଉପରେ ଗୁରୁତ୍ୱ ଦେଇଥିଲେ l ଅନ୍ୟମାନଙ୍କ ଭିତରେ ଶିକ୍ଷାବିତ ଅମୀୟ ମିଶ୍ର, ଡା ଦେବେନ୍ଦ୍ର ତରେଇ, ପ୍ରଶାନ୍ତ ଭୂୟାଁ, ସୁଶ୍ରୀ ପାଣି, ବିଶ୍ଵନ୍ନାଥ ପଣ୍ଡା, ସ୍ୱର୍ଯ୍ୟ ରଥ, ଲକ୍ଷ୍ମୀପ୍ରିୟା ସାହୁ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ସ୍ୱଦେଶୀ ଜାଗରଣ ମଞ୍ଚ ଜିଲ୍ଲା ବିଚାର ପ୍ରମୁଖ ସରୋଜ କୁମାର ମିଶ୍ର, ଜିଲ୍ଲା ପ୍ରଚାର ପ୍ରମୁଖ ସଞ୍ଜୟ ମହାନ୍ତି, ସହ ସଂଯୋଜକ ଉପେନ୍ଦ୍ର ବିଶୋଇ, ବରିଷ୍ଟ ସଭ୍ୟ ତରଣାଦିତ୍ୟ ମିଶ୍ର ପ୍ରମୁଖ ସଂକଳ୍ପ ଯାତ୍ରା ପରିଚାଳନା କରିଥିଲେ l ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆୟୋଜିତ ଏହି ଦଶଦିବଶୀୟ ରଥଯାତ୍ରା ରାଜ୍ୟ ପୂର୍ବପ୍ରାନ୍ତ୍ରର ୧୭ଟି ଜିଲ୍ଲା ଅତିକ୍ରମ କରି ଚଳିତମାସ ୨୨ ତାରିଖ ଭୁବନେଶ୍ୱରରେ ପହଂଚିବ l ସେହିଭଳି ଶବର ଶ୍ରୀକ୍ଷେତ୍ର କୋରାପୁଟରୁ ସୋମବାରଠାରୁ ଆରମ୍ଭ ହୋଇଥିବା ଆଉ ଏକ ରଥ ପଶ୍ଚିମାଞ୍ଚଳର ୧୩ଟି ଜିଲ୍ଲା ଭ୍ରମଣ କରି ଭୁବନେଶ୍ୱରରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉପସ୍ଥିତିରେ ସମାପନ ହେବ l
