ପିଏମ୍ ଶ୍ରୀ ବିଶ୍ଵମ୍ଭର ବିଦ୍ୟାପୀଠରେ “ଛାୟା ବିଧାନସଭା”: ଶିକ୍ଷା,ସ୍ୱାସ୍ଥ୍ୟ ଓ କ୍ରୀଡା ପ୍ରସଙ୍ଗରେ ତୁମ୍ବିତୋଫାନ

ପୁରୀ : ପବିତ୍ର “ରାଷ୍ଟ୍ରୀୟ ଏକତା ଦିବସ” ଅବସରରେ ପିଏମ୍ ଶ୍ରୀ ବିଶ୍ଵମ୍ଭର ବିଦ୍ୟାପୀଠ, ପୁରୀ ପରିସରରେ ଏକ ଅଭିନବ “ଛାୟା ବିଧାନସଭା” (Mock Assembly) କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଶାସକ ଓ ବିରୋଧୀ ଦଳର ନେତା ଭାବେ ଅଂଶଗ୍ରହଣ କରି, ସାମ୍ପ୍ରତିକ ସମସ୍ୟାବଳୀ ଉପରେ ଏକ ଜୀବନ୍ତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ କିଛି ସମୟ ପାଇଁ ବାସ୍ତବ ବିଧାନସଭାର ଭ୍ରମ ସୃଷ୍ଟି କରିଥିଲା। ​କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ସମୟର ବିଭିନ୍ନ ଜ୍ୱଳନ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ବିଶେଷକରି ରାଜ୍ୟର ନୂତନ ଶିକ୍ଷା ନୀତି, ସ୍କୁଲ ସୁରକ୍ଷା, ସରକାରୀ ଡାକ୍ତରଖାନାର ସ୍ଥିତି ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ପରିବେଶ ସମସ୍ୟା ଉପରେ ଗୃହ ସରଗରମ ହୋଇଉଠିଥିଲା।
​ବିରୋଧୀ ଦଳର ଭୂମିକାରେ ଥିବା ଛାତ୍ର ନେତାମାନେ ତଥ୍ୟଭିତ୍ତିକ ପ୍ରଶ୍ନ ଉଠାଇ ଶାସକ ଦଳ ଉପରେ “ପ୍ରଶ୍ନ ବାଣ” ବର୍ଷଣ କରିଥିଲେ। ସ୍କୁଲମାନଙ୍କରେ ସୁରକ୍ଷା ଅବ୍ୟବସ୍ଥାଠାରୁ ଆରମ୍ଭ କରି ସହରାଞ୍ଚଳ ସ୍ୱାସ୍ଥ୍ୟ ସେବାର ଦୁର୍ବଳତା ପର୍ଯ୍ୟନ୍ତ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସେମାନେ ଉପସ୍ଥାପନ କରିଥିଲେ। ଅପରପକ୍ଷେ, ଶାସକ ଦଳର ଛାତ୍ର ମନ୍ତ୍ରୀମାନେ ମଧ୍ୟ ଧୈର୍ଯ୍ୟର ସହ ସମସ୍ତ ପ୍ରଶ୍ନର ଉତ୍ତର ରଖି, ନିଜ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସଫଳତା ବିଷୟରେ ଗୃହକୁ ଅବଗତ କରାଇଥିଲେ। ​ବାଚସ୍ପତିଙ୍କ ନିର୍ଦ୍ଦେଶ, ବିରୋଧୀଙ୍କ ଗଠନମୂଳକ ସମାଲୋଚନା ଏବଂ ଶାସକ ଦଳର ସ୍ପଷ୍ଟୀକରଣ ମଧ୍ୟରେ ସମଗ୍ର ପରିବେଶ ଏକ ପ୍ରକୃତ ଗଣତାନ୍ତ୍ରିକ ପୀଠର ରୂପ ନେଇଥିଲା। ପିଲାମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ନେବାର ଦକ୍ଷତା ଏବଂ ସାମ୍ପ୍ରତିକ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ​ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଏହି ପ୍ରୟାସକୁ ଅଭିଭାବକ ମହଲରେ ବେଶ୍ ପ୍ରଶଂସା କରାଯାଇଛି।

Share the News .....

Leave a Reply

Your email address will not be published. Required fields are marked *