୩୩ତମ ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟିକ ସମ୍ମିଳନୀ

ପୁରୀ : ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦର ୩୩ତମ ବାର୍ଷିକ ଉତ୍ସବ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ସହଯୋଗରେ ସ୍ଥାନୀୟ ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟିକ ସମ୍ମିଳନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ସଂସଦର ସଭାପତି ବୀରେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ଉଦଘାଟନ କରିଥିଲେ ବିଶିଷ୍ଟ ଭାଷାବିତ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତ ରାୟ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରାଞ୍ଚଳ ରାଜସ୍ବ ଆଯୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଅତିଥି, ବିଶିଷ୍ଟ କଥାକାର ତଥା ଶିଶୁ କିଶୋର ସାହିତ୍ୟ ଏକାଡେମୀ, ଓଡ଼ିଶାର ସଭାପତି ପ୍ରଫେସର ଦାଶ ବେନହୁର ମୁଖ୍ୟ ବକ୍ତା, ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ ସମ୍ମାନିତ ଅତିଥି ରୂପେ ମଂଚାସୀନ ଥିଲେ। ଉପ ସଭାପତି ରାଇ କିଶୋର ମହାନ୍ତି ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ଅବତାରଣା କରିଥିବା ବେଳେ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ ଡକ୍ଟର ହେମନ୍ତ ଛୋଟରାୟ। ସମ୍ପାଦକ ମହେନ୍ଦ୍ର ବିଶୋଇ ସମ୍ପାଦକୀୟ ବିବରଣୀ ପାଠ କରି ଶିଶୁ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅଭ୍ୟର୍ଥନା ଅଭିଭାଷଣ ପ୍ରଦାନ କରିଥିଲେ ଉପସଭାପତି ରମେଶ ଚନ୍ଦ୍ର ଦାଶ। କଣ୍ଠଶିଳ୍ପୀ ପ୍ରୀତିଶା ମହାପାତ୍ର ଭକ୍ତି ସଂଗୀତ ପରିବେଷଣ କରିଥିବା ବେଳେ ଭଗବତୀ ବିଦ୍ୟା ନିକେତନର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା କବିତା ଆବୃତ୍ତି କରାଯାଇଥିଲା।
ସମାରୋହରେ ଉଦବୋଧନ ଦେଇ ଅତିଥି ମାନେ ଶିଶୁ ସାହିତ୍ୟକୁ ସବୁ ସାହିତ୍ୟର ମୂଳ ଉତ୍ସ ବୋଲି ବର୍ଣନା କରି ଶିଶୁ ସାହିତ୍ୟ ଉପରେ ଅଧିକରୁ ଅଧିକ ଗବେଷଣାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସାମ୍ପ୍ରତିକ ସମୟରେ କୃତ୍ରିମ ବୁଦ୍ଧିମତ୍ତା ଶିଶୁ ମନସ୍ତ ତ୍ବକୁ ପ୍ରଭାବିତ କରୁଥିବାରୁ ଭବିଷ୍ୟତରେ ଏହାର କୁ ପ୍ରଭାବ ଅଧିକରୁ ଅଧିକ ଦେଖିବାକୁ ମିଳିବ ବୋଲି ବକ୍ତାମାନେ ଆଶଙ୍କା ବ୍ୟକ୍ତ କରିଥିଲେ। ସମାରୋହରେ ପ୍ରଫେସର ଦାଶ ବେନହୁର, ଡକ୍ଟର ରଜନୀ ରଞ୍ଜନ ଦାଶ, ଇଂ ମାୟାଧର ସ୍ୱାଇଁ, ତୁଳସୀ ସ୍ୱାଇଁ, ପ୍ରଫୁଲ୍ଲ କୁମାର ସାହୁ, ଡକ୍ଟର ରଘୁନାଥ ସାହୁ, ଡକ୍ଟର ପ୍ରବୀଣା ପରିଡ଼ା, ଅଜୟ କୁମାର ସେଠୀ ଏବଂ ସୌରେନ୍ଦ୍ର ସେନାପତି ଙ୍କୁ ଶିଶୁ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। କ୍ରିଷ୍ଣା ମହାପାତ୍ର,ଶ୍ୟାମ ପ୍ରକାଶ ସେନାପତି, ଲକ୍ଷ୍ମୀକାନ୍ତ ଦଳାଇ, ସତ୍ୟ ନାରାୟଣ ମିଶ୍ର, ପ୍ରଭାତ ଚନ୍ଦ୍ର ରଥ,ଦୁର୍ଗାବତୀ ପ୍ରଧାନ, ଅନ୍ନପୂର୍ଣ୍ଣା ଦେବୀ, ମିନତୀ ପଟ୍ଟନାୟକ,ମଙ୍ଗଳା ଚରଣ ସାହୁ କବିତା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ଲକ୍ଷ୍ମୀଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
