ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବଡ଼ଯାତ୍ରା

ଭୁବନେଶ୍ୱର : ପବିତ୍ର ଭୈମୀ ତଥା ବଡ଼ଏକାଦଶୀ ଏବଂ ବରାହ ଦ୍ୱାଦଶୀ ଅବସରରେ, ଶ୍ରୀ ଲିଙ୍ଗରାଜ ମହାପ୍ରଭୁ, ଭୁବନେଶ୍ୱରଠାରେ ଥିବା ଭୀମେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ । ପ୍ରତିବର୍ଷ ପରି ଚଳିତବର୍ଷ ଭୀମଟାଙ୍ଗୀ ଅଂଚଳରେ ଥିବା ଏହି ପ୍ରସିଦ୍ଧ ମନ୍ଦିରକୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ, ମହାପ୍ରଭୁ ଶ୍ରୀ ବାସୁଦେବ, ଦେବୀ ପାର୍ବତୀ ଏବଂ ଦେବୀ ଦୁର୍ଗା, ସୁସଜ୍ଜିତ ଦୁଇଟି ପାଲିଙ୍କି ଏବଂ ବିମାନରେ ବିଜେ କରି ଯାତ୍ରା ଆରମ୍ଭ କରି ଭୀମେଶ୍ୱର ମନ୍ଦିର ପହଞ୍ଚଥିଲେ । ସେଠାରେ ସମସ୍ତ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ସହିତ ମୁଆଁ ଭୋଗ କରାଯାଇଥିଲା । ଏହାପରେ ଆଳତୀ ପ୍ରଦାନ କରାଯିବା ପରେ ଶ୍ରୀ ଭୀମେଶ୍ୱର ମହାଦେବଙ୍କ ସମ୍ମୁଖକୁ ନିଆଯାଇ ସେଠାରେ ଭେଟଆଳତୀ କରାଯାଇଥିଲା । ଏହାପରେ ମହାପ୍ରଭୁ ପ୍ରତ୍ୟାବର୍ତ୍ତନ କରିବା ପଥରେ ଶ୍ରୀଜମେଶ୍ୱର ମନ୍ଦିର ନିକଟସ୍ଥ ମଣ୍ଡପରେ ଭାରତୀମଠ ତରଫରୁ ଦିଅଁଙ୍କୁ ଭୋଗ ଲାଗି କରାଯାଇଥିଲା । ପରେ ସନ୍ଧ୍ୟାଧୂପ ପରେ ଶ୍ରୀଅନନ୍ତ ବାସୁଦେବ ମନ୍ଦିରକୁ ଯାତ୍ରା କରିଥିଲେ । ଏହାପରେ ସମସ୍ତ ଦେବାଦେବୀ ଲିଙ୍ଗରାଜମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସୂଚନା ଯୋଗ୍ୟ ଚଳିତବର୍ଷ ଭୀମେଶ୍ୱରମନ୍ଦିର ସମ୍ମୁଖରେ ନବଗୁଞ୍ଜର ମୂର୍ତ୍ତି ସ୍ଥାପନ କରାଯାଇଥିବା ବେଳେ ଭୀମେଶ୍ୱର ମନ୍ଦିର ସମ୍ମୁଖରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ରବୀନ୍ଦ୍ର ମହାପାତ୍ର ଏବଂ ସାଥି କଣ୍ଠଶିଳ୍ପୀ ଭଜନ ପରିବେଷଣ କରିଥିଲେ ।

Share the News .....

Leave a Reply

Your email address will not be published. Required fields are marked *