ଶ୍ରୀମନ୍ଦିର ପାର୍ଶ୍ଵ ସଫାରୁ ସ୍ୱଚ୍ଛ ରଥଯାତ୍ରା ଆହ୍ୱାନ

ପୁରୀ : ଅସହ୍ୟ ହେଉଥିଲା ଶ୍ରୀମନ୍ଦିର ବାହ୍ୟ ପରିବେଶ। ଦୈନିକ ହଜାର ହଜାର ଲୋକ ବଡଦେଉଳ ସମ୍ମୁଖରେ ପରିଶ୍ରା କରୁଥିଲେ। ଦୂର୍ଗନ୍ଧରେ ଫାଟୁଥିଲା ସିଂହଦ୍ଵାର ଅଞ୍ଚଳ। ଯାତ୍ରୀଙ୍କ ସମେତ ଶ୍ରୀକ୍ଷେତ୍ରବାସୀ ନାକ ଟେକି ଉକ୍ତ ରାସ୍ତା ପାର ହେଉଥିଲେ। ଶେଷରେ କିଛି ସ୍ଥାନୀୟବାସିନ୍ଦାଙ୍କ ସମେତ ସଚେତନ ସ୍ବେଚ୍ଛାସେବୀ ଏନେଇ ଆକ୍ସନ ମୋଡକୁ ଆସିଥିଲେ। ଗୁରୁବାର ସକାଳେ ସଂପୃକ୍ତ ଅଞ୍ଚଳକୁ ସଫା କରିବା ସହ ବ୍ଲିଚିଂ ପାଉଡର ପକାଇ ଏଠାରେ ପରିଶ୍ରା ନକରିବାକୁ ସଚେତନତା ସୃଷ୍ଟି କରିଥିଲେ। ଜଳଖିଆ ଦୋକାନୀ ଓ ଲୋକେ ଉକ୍ତ ଖାଲୁଆ ସ୍ଥାନକୁ ଅଳିଆ କୁଣ୍ଡ ଭାବେ ବ୍ୟବହାର କରୁଛନ୍ତି। ତେବେ ସଫେଇ ସମୟରେ ଶ୍ରୀମନ୍ଦିର ପାର୍ଶ୍ଵରୁ ବାହାରିଥିବା ବ୍ୟାଗ୍ ବ୍ୟାଗ୍ ପରିମାଣର ଖାଲି ମଦ ଓ କୋରେକ୍ସ ବୋତଲ ଦେଖଣାହାରୀଙ୍କୁ ତାଜୁବ କରିଦେଇଥିଲା। ପରିତ୍ୟକ୍ତ ପଡ଼ିବାରେ ଶ୍ରୀମନ୍ଦିର ସମ୍ମୁଖ ଭଳି ମହତ୍ତ୍ୱପୂର୍ଣ୍ଣ ସ୍ଥାନର ଏପରି ଦୟନୀୟ ସ୍ଥିତି ରହିଥିବା ବାଲି ସାହି ବାସିନ୍ଦା ମାନସ ବେହେରା, ଆଖଡ଼ା ମୁଖିଆ ନରେନ୍ଦ୍ର ମହାନ୍ତି, ଶିକ୍ଷାବିତ୍ ଅରୁଣ କୁମାର ମହାନ୍ତି, ବ୍ୟବସାୟୀ ପ୍ରଶାନ୍ତ ନାୟକ, ପ୍ରଦୀପ୍ତ ନାୟକ, ଯୁବ ସଂଗଠକ ପ୍ରଦୀପ୍ତ ପ୍ରଧାନ, ସେବାୟତ କାହ୍ନୁ ପଣ୍ଡା, ମାନସ ରଥ ପ୍ରମୁଖ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସରସ୍ଵତୀ ପୂଜାରେ ରଥ କାଠ ପୂଜା ଅନୁଷ୍ଠିତ ହେଉଥିବାରେ ଶ୍ରୀମନ୍ଦିର ସମ୍ମୁଖ ସଫାରୁ ୨୦୨୬ ରଥ ଯାତ୍ରାକୁ ସ୍ୱଚ୍ଛ ରଥ ଯାତ୍ରା ଭାବେ ପାଳନ କରିବାକୁ ସମସ୍ତ ଜଗନ୍ନାଥ ପ୍ରେମୀମାନେ ପ୍ରଶାସନ ତଥା ସଭିଙ୍କୁ ଆହ୍ବାନ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଅନୁରାଗ ଟ୍ରଷ୍ଟ , ସାହି ଭାଇ, ଟିମ୍ ଆଟା, ସେବା ଓ ସଂସ୍କାର, ସମର୍ପଣ ଟ୍ରଷ୍ଟ ଆଦି ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଯୋଗଦେଇଥିଲେ। ସ୍ବଚ୍ଛତା କାର୍ଯ୍ୟକ୍ରମରେ ପରିକ୍ରମା ପ୍ରକଳ୍ପ ସଫେଇ ସାଥୀଙ୍କ ସମେତ ପୌରସଂସ୍ଥାର ମଧ୍ୟ ସହଯୋଗ ମିଳିଥିଲା।
