ସୁଶାସନ ଦିବସ ପାଳନ ନିମିତ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ : ପୁରୀ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ଓ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜୟନ୍ତୀ ଚଳିତ ମାସ ୨୫ ତାରିଖରେ ପାଳିତ ହେବ। ଏହି ଦିବସକୁ ସୁଚାରୁ ରୁପେ ଓ ଶୃଙ୍ଖଳିତ ଭାବେ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅପରାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା।ଗତ ବର୍ଷ ଠାରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଜପେୟୀଙ୍କ ଜୟନ୍ତୀ ଓ ସୁଶାସନ ଦିବସ ପାଳିତ ହୋଇ ଆସୁଛି।ଚଳିତ ବର୍ଷ ଏହାକୁ ପୂର୍ବାପେକ୍ଷା ଅଧିକ ସୁନ୍ଦର ଭାବେ ପାଳନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ।ଯେଉଁ ବିଭାଗ କୁ ଯେଉଁ ଦାୟିତ୍ୱ ଦିଆ ଯାଉଛି ନିଷ୍ଠାର ସହ ଉପଯୁକ୍ତ ସମୟ ସୀମା ମଧ୍ୟରେ ତାହାକୁ ପୂର୍ଣ୍ଣାଙ୍ଗ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।ନିଷ୍ପତ୍ତି ଅନୁସାରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଡିସେମ୍ବର ୨୫ ତାରିଖ ପୂର୍ବାହ୍ନ ସମୟରେ ସୁଶାସନ ଦିବସ ଓ ବାଜପେୟୀଙ୍କ ଜୟନ୍ତୀ ପାଳିତ ହେବ।ମହାପ୍ରଭୁଙ୍କ ଫଟୋ ଚିତ୍ର ଓ ବାଜପେୟୀଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହେବ।ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ।ବିଦ୍ୟୁତ ବିଭାଗ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ,ୱ୍ବାଟକୋ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା, ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ପୌର ପାଳିକା ପକ୍ଷରୁ ପରିଷ୍କାର ପରିଛନ୍ନତା, ଅଗ୍ନି ଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ,ପୋଲିସ ବିଭାଗ ପକ୍ଷରୁ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଇତ୍ୟାଦି ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦିଆଗଲା।ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ ସହ କାର୍ଯ୍ୟ ସୂଚୀ ସମ୍ପର୍କରେ ଆଲୋକପାତ କରିଥିଲେ।ସରକାର ଙ୍କ ମାର୍ଗଦର୍ଶିକା ଆଧାର ରେ ଏହା ଆୟୋଜନ କରାଯିବ ଓ ଏହାକୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ ପାଇଁ ସେ ଅନୁରୋଧ କରିଥିଲେ।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *