ଯୌତୁକ ନିରୋଧ ଆଇନ କର୍ମଶାଳା ଅନୁଷ୍ଠିତ

ପୁରୀ : ଯୌତୁକ ଏକ ସାମାଜିକ ବ୍ୟାଧି। ଏହା ସମାଜ ପାଇଁ ଏକ କଳଙ୍କ ସଦୃଶ୍ୟ। ବ୍ୟାପକ ସଚେତନତା ଦ୍ଵାରା ହିଁ ଏହାର ନିରାକରଣ ସମ୍ଭବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି। ବୁଧବାର ପୂର୍ବାହ୍ନରେ ସର୍କିଟ ହାଉସଠାରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଯୌତୁକ ନିରୋଧ ଆଇନ ୧୯୬୧ ସମ୍ପର୍କରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରିବା ସହ ଏହି ସାମାଜିକ କଳଙ୍କକୁ ସମାଜରୁ ଦୂରେଇବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଥିଲେ। ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୌତୁକର ସଂଜ୍ଞା ବର୍ତ୍ତମାନ ବଦଳିବାରେ ଲାଗିଛି ବୋଲି କହିଥିଲେ। ଝିଅକୁ ଉପହାର ଦିଆଯାଉଛି ବୋଲି ସଫେଇ ଦିଆଯାଇ ଏହା ଯୌତୁକ ପର୍ଯ୍ୟାୟ ଭୁକ୍ତ ନୁହେଁ ବୋଲି ଦର୍ଶାଯାଉଛି। ଆଇନତଃ ଯୌତୁକ ଦେବା ଓ ନେବା ଉଭୟ ବେଆଇନ। ଏ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ସହ ଯୌତୁକକୁ ହଟାଯାଇ ଏକ ଯୌତୁକ ବିହୀନ ସୁନ୍ଦର ସମାଜ ଗଠନରେ ସମସ୍ତେ ସହାୟକ ହେବାକୁ ସେ ଅନୁରୋଧ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଡିଏସପି ସସ୍ମିତା ବେହେରା, ବିଷୟ ବିଷାରଦ ତଥା ଅଧିବକ୍ତା ମୋହନ ସୁନ୍ଦର ଜେନା, ଶୁଭ୍ରାନ୍ତ କୁମାର ମିଶ୍ର, ତପନ କୁମାର ପ୍ରମୁଖ ଯୋଗ ଦେଇ ଯୌତୁକର ସଂଜ୍ଞା, କାରଣ, ନିରାକରଣ, ଅଭିଯୋଗ ପ୍ରକ୍ରିୟା, ସମାଧାନ ବ୍ୟବସ୍ଥା, ଆଇନର ବ୍ୟବସ୍ଥା, କ୍ଷତିଗ୍ରସ୍ତଙ୍କୁ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ତେବେ ପାରସ୍ପରିକ ସମନ୍ୱୟ, ସହଯୋଗ, ସୁସ୍ଥ ସହାବସ୍ଥାନ ଓ ବୁଝାମଣା ଦ୍ଵାରା ଦାମ୍ପତ୍ୟ ଜୀବନ ଓ ଉଭୟ ପରିବାର ଖୁସିରେ ରହିପାରିବେ ବୋଲି ସମସ୍ତେ ମତ ଦେଇଥିଲେ। ଲୋପିତା ମିଶ୍ର, ମୈତ୍ରୀ ସ୍ୱାଇଁ ପଞ୍ଜିକରଣରେ ସହଯୋଗ କରିଥିବା ବେଳେ ସୁରକ୍ଷା ଅଧିକାରୀ ସୁହାଗୀ ହେମ୍ରମ, ଚନ୍ଦ୍ରପ୍ରଭା ଦେଇ, ସୁପରଭାଇଜର ବାଲ୍ୟବତୀ ମହାନ୍ତି ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏଥିରେ ସିଡିପିଓ, ସୁପରଭାଇଜର, ୱ୍ବାନ ଷ୍ଟପ ସେଣ୍ଟରର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।
