୧୨୭ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ

ପୁରୀ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ପୁରୀ ଜିଲ୍ଲାରୁ ସୋମବାର ଅପରାହ୍ନରେ ୧୨୭ ଜଣ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି। ସେମାନେ ସୋମବାର ଭୁବନେଶ୍ୱରରେ ରହିବେ ଓ ମଙ୍ଗଳବାର ଦିନ ଓଁକାରେଶ୍ୱର ଓ ଉଜୟିନୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରିବେ। ଏହି ବରିଷ୍ଠ ନାଗରିକ ମାନେ ଓଁକାରେଶ୍ୱର ଓ ଉଜୟିନୀ ପରିଭ୍ରମଣ କରିବାସହ ଚଳିତ ମାସ ୩୦ ତାରିଖରେ ଫେରିଆସିବାର କାର୍ଯ୍ୟକ୍ରମ ରହିଛି। ବରିଷ୍ଠ ନାଗରିକ ମାନଙ୍କୁ ସହଯୋଗପାଇଁ ୪ ଜଣ ସହକାରୀ ମଧ୍ୟ ସାଥିରେ ଯାଇଛନ୍ତି। ପୂର୍ବାହ୍ନରେ ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନିଳମାଧବ ଭୋଇ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ପୁଷ୍ପଗୁଛ ଦେଇ ଯାତ୍ରାର ଶୁଭକାମନା କରିଥିଲେ। ଅତିଥି ମାନେ ନଡ଼ିଆ ବାଡେଇ ଯାତ୍ରାର ସଫଳତା କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପର୍ଯ୍ୟଟନ କାର୍ଯ୍ୟାଳୟ କର୍ମଚାରୀ ପ୍ରମୁଖ ତୀର୍ଥଯାତ୍ରୀ ଙ୍କୁ ସହଯୋଗ ପ୍ରଦାନ କରିଥିଲେ। ନିଜ ନିଜର ଦାୟିତ୍ୱ ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ସହାୟତା ପାଇଁ ଯାଇଥିବା କର୍ମଚାରୀମାନଙ୍କ ସୂଚନା ଅନୁସାରେ ପରିଭ୍ରମଣ କରିବାକୁ ତୀର୍ଥଯାତ୍ରୀଙ୍କୁ ଅନୁରୋଧ କରାଯାଇଥିଲା।
