ସାଂସଦ ଖେଳ ମହୋତ୍ସବ ଉଦଯାପିତ

ପୁରୀ : ପୁରୀ ଲୋକସଭା ସଂସଦୀୟ କ୍ଷେତ୍ର ଅଧିନସ୍ଥ ୪ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ପିପିଲି, ସତ୍ୟବାଦୀ, ପୁରୀ ସଦର ଓ ବ୍ରହ୍ମଗିରିର କ୍ରୀଡା ପ୍ରତିଭାର ବିକାଶ ପାଇଁ ଆୟୋଜିତ ସାଂସଦ ଖେଳ ମହୋତ୍ସବ ଆଜି ଅପରାହ୍ନରେ ଉଦଯାପିତ ହୋଇ ଯାଇଛି। ସେପ୍ଟେମ୍ବର ୨୧ ତାରିଖରୁ ଗଣଦୌଡରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ କ୍ରିକେଟ ଫାଇନାଲରେ ଶେଷ ହୋଇଥିଲା। ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇ ପ୍ରତିଟି ଯୁବବର୍ଗ ମଧ୍ୟରେ ଅଫୁରନ୍ତ ଶକ୍ତି, ପ୍ରତିଭା ଓ ଦକ୍ଷତା ରହିଛି ବୋଲି କହିଥିଲେ। ଆଜିର ସମୟରେ କ୍ରୀଡା କେବଳ ଶାରୀରିକ ସୁସ୍ଥତା ପାଇଁ ନୁହେଁ ଆତ୍ମନିର୍ଭର ଓ ପ୍ରତିଭାର ବିକାଶ ଦିଗରେ ସହାୟକ ହୋଇଛି। ଏହାକୁ ଆହୁରି ପରିବର୍ଦ୍ଧିତ କରିବା ପାଇଁ ଓ ଯୁବ ଶକ୍ତିର ଉତଥାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦ ଖେଳ ମହୋତ୍ସବର ପରିକଳ୍ପନା କରିଥିଲେ। ବଡ ଖୁସିର କଥା ସମଗ୍ର ଦେଶରେ ପୁରୀ ସଂସଦୀୟ କ୍ଷେତ୍ରରୁ ସର୍ବାଧିକ ପ୍ରତିଯୋଗୀ ପଞ୍ଜିକରଣ କରିଥିଲେ। ଏହା ସମସ୍ତଙ୍କ ପାଇଁ ପ୍ରେରଣା। ଆଗାମୀ ଦିନରେ କ୍ରୀଡାକୁ ଅଧିକ ପ୍ରାଧାନ୍ୟ ଦିଆଯିବ ଓ ଅଧିକ ପ୍ରତିଯୋଗୀଙ୍କୁ ସାମିଲ କରାଯିବ ବୋଲି ସେ କହିବା ସହ ସମସ୍ତ କ୍ରୀଡାବିତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏଥିରେ ଯୋଗ ଦେଇଥିଲେ। କ୍ରିକେଟ ଫାଇନାଲରେ ରେଲୱେ ଦଳ ଚମ୍ପିୟାନ ହୋଇଥିବାବେଳେ ତେଲଗୁ ୱ୍ୱାରିଅର୍ସ ରନର୍ସଅପ ହୋଇ ପୁରସ୍କୃତ ହୋଇଥିଲେ। ଅନ୍ୟ କ୍ରୀଡାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଡା ପାତ୍ର ପୁରସ୍କୃତ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *