ସାଂସଦ ଖେଳ ମହୋତ୍ସବରେ କ୍ରିକେଟ ଖେଳ ଉଦଘାଟିତ

ପୁରୀ : ଶୁକ୍ରବାର ପୂର୍ବାହ୍ନରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରେ ପୁରୀ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ପୁରୀ ଜିଲ୍ଲାର ୪ ବିଧାନସଭା ନିର୍ବାଚନ ମଣ୍ଡଳୀ ପିପିଲି, ସତ୍ୟବାଦୀ, ପୁରୀ ସଦର ଓ ବ୍ରହ୍ମଗିରିର କ୍ରିକେଟ ଖେଳ ମହୋତ୍ସବ ଉଦଘାଟିତ ହୋଇଥିଲା। ଏହି କ୍ରୀଡା ସେପ୍ଟେମ୍ବର ୨୧ରୁ ଆରମ୍ଭ ହୋଇଛି ଓ ଡିସେମ୍ବର ୨୫ ରେ ଉଦଯାପିତ ହେବ। ସାଂସଦ ଖେଳ ମହୋତ୍ସବ ର ୧୦ ଗୋଟି ଖେଳ ମଧ୍ୟରୁ କ୍ରିକେଟ ଅନ୍ୟତମ ଖେଳ ଭାବେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଛି। ଏହାକୁ ଉଦଘାଟନ କରି ସାଂସଦ ଡା ସମ୍ବିତ ପାତ୍ର କହିଥିଲେ କେନ୍ଦ୍ର ସରକାରଙ୍କର ଏହା ଏକ ଉତ୍ତମ ପଦକ୍ଷେପ। ଯାହା କେବଳ ଯୁବବର୍ଗ ଙ୍କ କ୍ରୀଡା ପ୍ରତିଭା କୁ ଆଗକୁ ଆଣୁନାହିଁ ବରଂ ସେମାନ ଙ୍କୁ ଶାରୀରିକ ସୁସ୍ଥ ଓ ଶୃଙ୍ଖଳା ର ଶିକ୍ଷା ଦେଉଛି । ପ୍ରତ୍ୟେକଙ୍କ ମଧ୍ୟରେ କିଛି ନା କିଛି ପ୍ରତିଭା ରହିଛି। ଏହାର ସଠିକ ଉପଯୋଗ କରିପାରିଲେ ସେମାନେ ସମାଜ ପାଇଁ ସମ୍ବଳ ପାଲଟି ପାରିବେ।୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଭାରତରେ ହେବାକୁ ସ୍ଥିର ହୋଇଛି। ୨୦୩୬ ଅଲମ୍ପିକ ଭାରତରେ କରିବାକୁ ସରକାର ଉଦ୍ୟମ କରୁଛନ୍ତି। ଯାହା କ୍ରୀଡାକୁ ଆହୁରି ବିକଶିତ କରିବ ବୋଲି ସେ କହିବା ସହ ସାଂସଦ ଖେଳ ମହୋତ୍ସବର ସଫଳତା ଯୁବବର୍ଗର ମନୋବଳ ବୃଦ୍ଧି କରିବ ବୋଲି କହିଥିଲେ।

ଅନ୍ୟତମ ଅତିଥି ଭାବେ ପୂରୀ ସଦରର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେଇ କ୍ରୀଡା ମହୋତ୍ସବ ମାଧ୍ୟମରେ ଯୁବବର୍ଗ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ବୋଲି କହିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ତଥା ବିଜେପି ଜିଲ୍ଲା ସଭାପତି ଡା ଦେବେନ୍ଦ୍ର ନାଥ ତରାଇ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ ଓ ରବି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କ୍ରିକେଟ ପ୍ରତିଯୋଗିତାରେ ଚଳିତ ବର୍ଷ ୮୦ ଟି ଦଳ ଅଂଶଗ୍ରହଣ କରିଛନ୍ତି।

Share the News .....

Leave a Reply

Your email address will not be published. Required fields are marked *