ସମ୍ବିଧାନର ପ୍ରତିଟି ଶବ୍ଦରେ ଐକ୍ୟ, ଜାତୀୟତା ଓ ଭାଇଚାରା ଭରି ରହିଛି :ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ

ପୁରୀ : ଆମ ଦେଶର ସମ୍ବିଧାନ ର ମୂଳ ମନ୍ତ୍ର ନ୍ୟାୟ, ସ୍ବାଧୀନତା, ସମାନତା ଓ ଭାଇଚାରା। ସମ୍ବିଧାନର ପ୍ରତିଟି ଶବ୍ଦରେ ଐକ୍ୟ, ଜାତୀୟତା ଓ ଭାଇଚାରା ଭରି ରହିଛି। ଏଥିପାଇଁ ଭାରତ ସମଗ୍ର ବିଶ୍ୱରେ ଏକ କ୍ରିୟାଶୀଳ ପ୍ରଜାତନ୍ତ୍ର ଭାବେ ଉଭା ହେବା ସହ ଏହାର ସଫଳତା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଜାନୁୟାରୀ ୨୬ ପୂର୍ବାହ୍ନରେ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଗ୍ରାଉଣ୍ଡ ଠାରେ ପୁରୀ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ, ପାରେଡ ପରିଦର୍ଶନ ଓ ଅଭିବାଦନ ଗ୍ରହଣ କରି ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ୱାଧୀନତା ଆନ୍ଦୋଳନର ସଂଗ୍ରାମୀ ମାନଙ୍କ ପ୍ରତି ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗ ଓ ଆମ ସମସ୍ତଙ୍କ ସମନ୍ୱୟରେ ୨୦୩୬ ସୁଦ୍ଧା ଉତ୍କର୍ଷ ଓଡିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ହୋଇ ପାରିବ ବୋଲି କହିଥିଲେ।

ଶ୍ରୀଜଗନ୍ନାଥ ସମଗ୍ର ଓଡ଼ିଆ ଜାତି ର ଅସ୍ତିତ୍ଵ ଓ ଅସ୍ମିତାର ପ୍ରତୀକ। ଶ୍ରୀକ୍ଷେତ୍ର ସାଂସ୍କୃତିକ ଚେତନାର ଏନ୍ତଡିଶାଳା। ପଟ୍ଟଚିତ୍ର, ମାହାରୀ,ଓଡିଶୀ ନୃତ୍ୟ, ଗୋଟିପୁଅ, ଶାସ୍ତ୍ରୀୟ ସଂଗୀତ ଓଡ଼ିଆ ସଂସ୍କୃତିର ଅମୂଲ୍ୟ ଧନ। ଶ୍ରୀମଦ ଭାଗବତ ଗୀତା ସୃଷ୍ଟିର ଶ୍ରେଷ୍ଠ ଗ୍ରନ୍ଥ। ଗଙ୍ଗାଧର ମେହେର, ସନ୍ଥକବିଙ୍କ ଜୀବନଧର୍ମୀ ରଚନା ବିଶ୍ବକୁ ଚମତ୍କୃତ କରିଛି। ୧୮୫୭ କୁ ପ୍ରଥମ ସ୍ବାଧୀନତାସଂଗ୍ରାମ ବୋଲି ବିବେଚନା କରାଯାଉଥିଲେ ମଧ୍ୟ ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ ତାହା ପୂର୍ବରୁ ବ୍ରିଟିଶଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ। ମହାତ୍ମାଗାନ୍ଧୀ, ନେହେରୁ, ନେତାଜୀ, ସର୍ଦ୍ଦାର ପଟେଲ,ଲକ୍ଷଣ ନାଏକ, ଚାଖି ଖୁଣ୍ଟିଆ, ବୀର ସୁରେନ୍ଦ୍ର ସାଏ, ମାଧୋ ସିଂ ଓ ତାଙ୍କ ପୁତ୍ର ମାନେ,ଗୋପବନ୍ଧୁ ଦାସ, ରମାଦେବୀ, ମାଳତୀ ଚୌଧୁରୀଙ୍କୁ ରାଜସ୍ବ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକର ଓ ତାଙ୍କ ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ଜନ ହିତ ପାଇଁ ପ୍ରଣୟନ କରାଯାଇଛି। ଭୂମିହୀନ ମାନଙ୍କୁ ବସୁନ୍ଧରା ଯୋଜନାରେ ଜମି ପଟ୍ଟା ପ୍ରଦାନ,ସାମାଜିକ ସୁରକ୍ଷା ଯୋଜନାରେ ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଓ ୮୦ ଭାଗରୁ ଅଧିକ ଥିବା ଭିନ୍ନକ୍ଷମଙ୍କୁ ୩୫୦୦ ଟଙ୍କା ଲେଖାଏଁ ପ୍ରଦାନ, ଧାନର ସହାୟକ ମୂଲ୍ୟ ବୃଦ୍ଧି, ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଇତ୍ୟାଦି ଯୋଜନା ଆତ୍ମନିର୍ଭର ଭାରତ ଓ ବିକଶିତ ଓଡିଶା ପାଇଁ ସହାୟତା ଯୋଗାଇବ ବୋଲି ମନ୍ତ୍ରୀ ଶ୍ରୀପୂଜାରୀ କହିବା ସହ ମିଳିମିଶି ଓଡ଼ିଶା କୁ ସର୍ବଶ୍ରେଷ୍ଠ ରାଜ୍ୟ ରେ ପରିଣତ କରିବାକୁ ଆହ୍ଵାନ ଦେଇଥିଲେ।

ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପାଇଁ ୩୫ ଜଣ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ମନ୍ତ୍ରୀ ପୁରସ୍କୃତ କରିଥିଲେ। ସେହିପରି ପ୍ୟାରେଡ଼ରେ ସିନିୟର ଡିଭିଜନ ଏନସିସିରେ ଏସସିଏସ ମହାବିଦ୍ୟାଳୟ ଶ୍ରେଷ୍ଠ,ଜୁନିୟର ଡିଭିଜନ ଏନସିସିରେ ବାଳକ ବର୍ଗରେ ପୁରୀ ଜିଲ୍ଲାସ୍କୁଲ ଓ ବାଳିକା ବର୍ଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସ୍କାଉଟରେ ଡିଏଭି ପବ୍ଲିକ ସ୍କୁଲ, ଗାଇଡରେ ଭୋଳାନାଥ ବିଦ୍ୟାପୀଠ, ସିଭିଲିଆନ ବାଳକରେ ଘନଶ୍ୟାମ ହେମଲତା ବିଦ୍ୟା ମନ୍ଦିର ଓ ବାଳିକାରେ ଗଦାଧର ଉଚ୍ଚ ବିଦ୍ୟାଳୟ ଓ ଶୃଙ୍ଖଳାରେ ଏସସିଏସ ଏନ ସି ସି ଦଳଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯାଇଥିଲା।ପରେ ମୁଖ୍ୟ ଅତିଥି ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ଓ ପୋଷାକ, ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।ଗୋପବନ୍ଧୁ ଆୟୁର୍ବେଦିକ କଲେଜ ପରିସରରେ ରେଡକ୍ରସ ଶାଖା, ଭାରତ ବିକାଶ ପରିଷଦ,ସମ୍ପର୍କ ଅନୁଷ୍ଠାନ,ବଡଶଙ୍ଖ ଯୁବ ସାଂସ୍କୃତିକ ପରିଷଦ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର କୁ ମୁଖ୍ୟ ଅତିଥି ଉଦଘାଟନ କରିବା ସହ ମହାବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ।କାର୍ଯ୍ୟକ୍ରମ ରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର,ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଜିଲ୍ଲା ପରିଷଦ ସଭାପତି ସ୍ୱାପ୍ନାରାଣୀ ସ୍ୱାଇଁ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଡଃ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଏସ ପି ସୁଶୀଲ କୁମାର ମିଶ୍ର, ଉପଜିଲ୍ଲାପାଳ ରାଜ କିଶୋର ଜେନା ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।ପ୍ରତ୍ୟୁଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯାଇଥିଲା। ଗାନ୍ଧୀଘାଟ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *