ପୁରୀ ଏସ୍‌.ପି ଶ୍ରୀ ପ୍ରତୀକ ସିଂ ସମ୍ମାନିତ

କଟକ : ଭାରତରେ ନୂତନ ଆପରାଧିକ ଆଇନଗୁଡିକ ତା. ୦୧.୦୭.୨୦୨୪ ରୁ ଲାଗୁ ହେବା ପରେ, ରାଜ୍ୟ ଆରକ୍ଷୀ ମହାନିର୍ଦେଶକ (DGP) ଅପରାଧ ଅନୁସନ୍ଧାନର ସଫଳତା ଓ ତ୍ଵରିତ ନ୍ୟାୟ ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଦେଇଆସୁଛନ୍ତି। ଏହାର ପରିଣାମସ୍ୱରୂପ, ବିଭିନ୍ନ ମାମଲାରେ ତ୍ଵରିତ ତଦନ୍ତ ଓ ବିଚାର ପ୍ରକ୍ରିୟା ମାଧ୍ୟମରେ ପୀଡ଼ିତ/ପୀଡ଼ିତାଙ୍କୁ ସମୟୋପଯୁକ୍ତ ନ୍ୟାୟ ପ୍ରଦାନ କରାଯାଇଛି। ଏହି ସଫଳତାକୁ ସମ୍ମାନ ଜଣାଇ ଶୁକ୍ରବାର ଦିନ କଟକ ପୁଲିସ ମୁଖ୍ୟାଳୟ ସ୍ଥିତ ଆର. କେ. ପାଢୀ ମେମୋରିଆଲ ହଲ୍ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କେସଗୁଡିକର ତଦନ୍ତ ସମୟରେ ବୈଜ୍ଞାନିକ ପଦ୍ଧତି, DNA ତଥ୍ୟ ସଂଗ୍ରହ ପ୍ରକ୍ରିୟା ଓ e-Sakhya ପଦ୍ଧତିର ସଫଳ ବ୍ୟବହାର କରାଯାଇଥିଲା। ତଦନ୍ତ ଶେଷରେ ବିଚାର ପ୍ରକ୍ରିୟାକୁ ମଧ୍ୟ ଅତ୍ୟନ୍ତ କୁଶଳତାର ସହିତ ପରିଚାଳନା କରାଯାଇଥିଲା। ନୂତନ ଆଇନ ପୋଲିସର ବୃତ୍ତିଗତ ଦକ୍ଷତା, ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏବଂ ସାକ୍ଷ୍ୟ ପ୍ରମାଣ ସଂଗ୍ରହ ପ୍ରଣାଳୀରେ ମହତ୍ୱପୂର୍ଣ୍ଣ ସୁଧାର ଆଣିଛି। ଏହି ସମ୍ମାନ ଅବସରରେ ପୁରୀ ପୋଲିସ ପକ୍ଷରୁ ଏସ୍‌ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନେତୃତ୍ୱରେ ମାମଲାର ତ୍ଵରିତ ବିଚାର, ବୈଜ୍ଞାନିକ ତଦନ୍ତ ପଦ୍ଧତି (DNA, e-Sakhya)ର ସଫଳ ପ୍ରୟୋଗ ଏବଂ ସମନ୍ୱିତ ପର୍ଯ୍ୟବେକ୍ଷଣ ଦ୍ୱାରା ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଥିବାରୁ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଦ୍ୱାରା ଏସ୍‌ପି ପୁରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ ଡିଏସପି ପୁରୀ ମିସ କଳ୍ପନା କାଉଁରୀ ଓ କୃଷ୍ଣପ୍ରସାଦ ଥାନା ଅଧିକାରୀ ଶ୍ରୀ ବିଚିତ୍ର ପ୍ରଧାନଙ୍କୁ ମଧ୍ୟ ଉତ୍କୃଷ୍ଟ ତଦନ୍ତ ଓ ବିଚାର ପ୍ରକ୍ରିୟା ପାଇଁ ସମ୍ମାନିତ କରାଯାଇଥିଲା।

Share the News .....

Leave a Reply

Your email address will not be published. Required fields are marked *