କୁଶୁପୁରରେ ପୁଣି ସକ୍ରିୟ ଇଟା ମାଫିଆ

ପୁରୀ : ଗୋପ ବ୍ଲକ ଅନ୍ତର୍ଗତ କୁଶୁପୁର ଅଞ୍ଚଳରେ ଅବୈଧ ଇଟାଭାଟି ଉପରେ ପ୍ରଶାସନୀୟ କାର୍ଯ୍ୟାନୁଷ୍ଠାନ କେବଳ ଔପଚାରିକତାରେ ସୀମିତ ରହିଥିବା ଅଭିଯୋଗ ଉଠିଛି। ଇଟାଭାଟିକୁ ଅଧିକାରୀମାନେ “ଧର୍ମକୁ ଆଖିଠାର” ସଦୃଶ୍ୟ କାର୍ଯ୍ୟ କରି ଫେରିଯାଇଥିବାରୁ, ତାହାର ଫଳସ୍ୱରୂପ ପୁଣି ଇଟା ମାଫିଆ ସକ୍ରିୟ ହୋଇ ଧଡ଼ାଧଡ଼ି ଇଟା ପକାଇବା ଆରମ୍ଭ କରିଦେଇଛନ୍ତି। ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁଯାୟୀ, ଗୋପ ଆର୍ଆଇ ଙ୍କ କାର୍ଯ୍ୟକଳାପ ବର୍ତ୍ତମାନ ସନ୍ଦେହ ଘେରରେ ରହିଛି। ଏହି ସମୟରେ ତହସିଲଦାର ନିଜସ୍ୱ ବ୍ୟକ୍ତିଗତ କାର୍ଯ୍ୟ ଦର୍ଶାଇ ଦୀର୍ଘ ସମୟ ପାଇଁ ଛୁଟିରେ ଥିବା ବେଳେ, ଅବୈଧ ଇଟା ବ୍ୟବସାୟ ପୁଣି ମୁଣ୍ଡ ଉଠାଇଛି। ଅଭିଯୋଗ ଅନୁସାରେ, ପୂର୍ବରୁ ଚର୍ଚ୍ଚିତ ଇଟା ମାଫିଆ ବୁଢ଼ା ପାଇକରାୟ ମିଛ ଅସୁସ୍ଥତାର ପ୍ରମାଣପତ୍ର ସଂଗ୍ରହ କରି ପରୋକ୍ଷ ଭାବେ ଏହି ଅବୈଧ କାରବାର ଚଳାଇଥିବା ଖବର ମିଳୁଛି। ସୂଚନା ଅନୁଯାୟୀ, ସେ ଚାରିଛକ ଫାଣ୍ଡିରେ ହୋମଗାର୍ଡ ଡ୍ରାଇଭର ଭାବେ କାର୍ଯ୍ୟରତ ରହି ଦୀର୍ଘ ଦଶନ୍ଧି ଧରି ଏପରି ଏକ ଅବୈଧ ସାମ୍ରାଜ୍ୟ ଗଢ଼ି ତୋଳିଛି। ପୂର୍ବରୁ ଏହି ସମ୍ବନ୍ଧରେ ଖବର ପ୍ରକାଶ ପାଇଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ସାଧାରଣ ମହଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିହିତ ସ୍ୱାର୍ଥ ହାସଲ ପାଇଁ କିଛି ସରକାରୀ କର୍ମଚାରୀଙ୍କ ଏପରି ନିଷ୍କ୍ରିୟତା ସରକାରଙ୍କ ଛବିକୁ ବଦନାମ କରୁଥିବା ଅଭିଯୋଗ ହେଉଛି। ସଚେତନ ନାଗରିକମାନେ ଦାବି କରିଛନ୍ତି ଯେ, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ତତ୍କାଳ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉ, ନହେଲେ ଆଗାମୀ ଦିନରେ ଏପରି ଅବୈଧ କାରବାର ଆହୁରି ବଢ଼ିବାର ଆଶଙ୍କା ରହିଛି।
