କୁଶଭଦ୍ରା କୂଳରେ ବେଆଇନ ଇଟାଭାଟି ଉପରେ ବୁଲଡୋଜର ଚାଲିଲା

ପୁରୀ : ପୁରୀ ଜିଲ୍ଲାର ଗୋପ ବ୍ଲକ୍‌ ଅନ୍ତର୍ଗତ କୁଶଭଦ୍ରା ନଦୀ କୂଳରେ ଦିନରାତି ଚାଲିଥିବା ଅବୈଧ ବାଲି–ମାଟି ଉତ୍ତୋଳନ ଓ ଅନୈତିକ ଇଟାଭାଟି କାର୍ଯ୍ୟକଳାପ ଶେଷରେ ପ୍ରଶାସନର କଠୋର ଆକ୍ସନ୍‌ ସାମ୍ନାକୁ ଆସିଛି। ସୋମବାର ପ୍ରଶାସନ ପକ୍ଷରୁ ବେଆଇନ ଇଟାଭାଟି ଉପରେ ବୁଲଡୋଜର ଚଳାଇ ଭାଙ୍ଗିବା ଅଭିଯାନ ଆରମ୍ଭ କରାଯାଇଛି। ଗୋପ ତହସିଲ୍‌ ଅନ୍ତର୍ଗତ କୁଶୁପୁର ଅଞ୍ଚଳରେ ନଦୀକୂଳରେ ଚାଲିଥିବା ଏହି ଅନୈତିକ ଇଟାଭାଟି ଓ ବାଲି–ମାଟି ଉତ୍ତୋଳନ ଯୋଗୁଁ ସ୍ଥାନୀୟ କୃଷକମାନଙ୍କ ଚାଷ ଜମି ଓ ଜୀବିକା ଗୁରୁତର ଭାବେ ପ୍ରଭାବିତ ହେଉଥିଲା। ବିଷାକ୍ତ ଧୁଆଁ ଓ ପରିବେଶ ପ୍ରଦୂଷଣ କାରଣରୁ ପୋଲିନେସନ୍ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇ ପାରିବା ଚାଷରେ ପ୍ରାୟ ୩୩ ପ୍ରତିଶତ ପର୍ଯ୍ୟନ୍ତ ଉତ୍ପାଦନ ହାନି ହେଉଥିବା କୃଷକମାନେ ଅଭିଯୋଗ କରିଥିଲେ।

ଏହି ଅବୈଧ କାର୍ଯ୍ୟକଳାପ ବିରୋଧରେ ସ୍ୱର ଉଠାଇଥିବା କୃଷକ ଓ ସାମାଜିକ କର୍ମୀମାନଙ୍କୁ ମାଫିଆମାନେ ଆକ୍ରମଣ କରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ଏନେଇ ବିଜେପି କୃଷକ ମୋର୍ଚ୍ଚା ଓଡ଼ିଶାର ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁ ପ୍ରଶାସନକୁ ଲିଖିତ ଅଭିଯୋଗ ଦେଇ ତୁରନ୍ତ ଆକ୍ସନ୍‌ ନେବାକୁ ଦାବି କରିଥିଲେ। ଅଭିଯୋଗ ପରେ ଆଜି ପ୍ରଶାସନ ଆକ୍ସନ୍‌କୁ ଆସି ବେଆଇନ ଇଟାଭାଟି ଭାଙ୍ଗିବା ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ଗୋପ ତହସିଲଦାର, ରାଜସ୍ୱ ନିରୀକ୍ଷକ (ଆର୍‌ଆଇ), ଖଣି ଅଧିକାରୀ, ଅତିରିକ୍ତ ତହସିଲଦାର ଓ ସମ୍ପର୍କିତ ଥାନା ଅଧିକାରୀ ଉପସ୍ଥିତ ଥିଲେ। ପ୍ରଶାସନୀୟ କାର୍ଯ୍ୟାନୁଷ୍ଠାନକୁ ଦେଖି ସ୍ଥାନୀୟ କୃଷକମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ଯଦି ଏଭଳି କଠୋର ପଦକ୍ଷେପ ଆଗକୁ ମଧ୍ୟ ଜାରି ରହେ, ତେବେ କୁଶଭଦ୍ରା ନଦୀ ଓ କୃଷି ଜମିକୁ ବଞ୍ଚାଇ ପାରିବା ସହ ମାଫିଆମାନଙ୍କ ଦୌରାତ୍ମ୍ୟ ଉପରେ ଲଗାମ୍‌ ଲାଗିବ।

Share the News .....

Leave a Reply

Your email address will not be published. Required fields are marked *