ପୁରୀରେ ପ୍ରଥମ ପାରା ଆଥଲେଟିକ୍ସ ଚମ୍ପିୟାନସିପ ଅନୁଷ୍ଠିତ

ପୁରୀ : 1 ଫେବୃୟାରୀ ରବିବାର ଦିନ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ପ୍ରଥମ ପାରା ଆଥଲେଟିକ୍ସ ଚମ୍ପିୟାନସିପର ଆୟୋଜନ କରାଯାଇଥିଲା। ଏହାକୁ ଉଦଘାଟନ କରି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ଯେ ଦିବ୍ୟାଙ୍ଗ ମାନେ ଆମ ସମାଜର ଏକ ଅଙ୍ଗ। ସେମାନଙ୍କ ମଧ୍ୟରେ ଅନେକ ପ୍ରତିଭା ଭରି ରହିଛି। ସେହି ପ୍ରତିଭାର ବିକାଶ ସମାଜ ପାଇଁ ସମ୍ବଳ ସୃଷ୍ଟି କରି ପାରିବ। ପ୍ରଥମ ଥର ପାଇଁ ପୁରୀ ରେ ପାରା ଆଥଲେଟିକ ର ଆୟୋଜନ ଏକ ସୁନ୍ଦର ପଦକ୍ଷେପ। ଏହି ଆଥଲେଟ ମାନଙ୍କୁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ । ପୁରୀ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କ୍ରୀଡା ସଂସଦର ପ୍ରାକ୍ତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗ ଦେଇ ଦିବ୍ୟାଙ୍ଗଙ୍କ ପ୍ରତିଭା, ସେମାନଙ୍କ ପ୍ରତି ରହିଥିବା ସରକାରୀ ବ୍ୟବସ୍ଥା, କ୍ରୀଡା କ୍ଷେତ୍ରରେ ସେମାନଙ୍କୁ ସହଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ପାରା ଆଥଲେଟିକ୍ସର ରାଜ୍ୟ ସଭାପତି କମଳାକାନ୍ତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଜଲକ୍ଷ୍ମୀ ରାୟ, ପାରା ଆଥଲେଟ ଇଣ୍ଡିଆର କୋଷାଧ୍ୟକ୍ଷ ସୁନିଲ କୁମାର ପରିଡା, ପ୍ରଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର ,ପାରା କ୍ରୀଡାବିତ ଜୟନ୍ତୀ ବେହେରା, ମାର୍କଣ୍ଡ ରେଡି, କମଳାକାନ୍ତ ନାୟକ ପ୍ରମୁଖ ଯୋଗ ଦେଇ ଥିଲେ। ପରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
