କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀସଦାଶିବ ପରିସରରେ ‘ସଂସ୍କୃତ ସପ୍ତାହ ମହୋତ୍ସବ’ର ଉଦ୍‌ଯାପନୀ ସମାରୋହ

ପୁରୀ : କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀସଦାଶିବ ପରିସର, ପୁରୀର ଜୟଦେବ ସଭାଗାରରେ ଚାଲିଥିବା ସପ୍ତାହବ୍ୟାପୀ ‘ସଂସ୍କୃତ ସପ୍ତାହ ମହୋତ୍ସବ’ର ସମାପନ ସମାରୋହ ଅତ୍ୟନ୍ତ ଆଡ଼ମ୍ବରମୟ ପରିବେଶ ମଧ୍ୟରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରାଖେଡିଙ୍କ ସଂରକ୍ଷଣରେ ଅନୁଷ୍ଠିତ ହୋଇଯାଇଛି।ପ୍ରଦୀପ ପ୍ରଜ୍ୱଳନ ଏବଂ ସାନ୍ଦୀପନି ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନର ଛାତ୍ରମାନଙ୍କ ଦ୍ୱାରା ବୈଦିକ ମଙ୍ଗଳାଚରଣ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଛାତ୍ର ରୁଦ୍ରମାଧବ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଯୋଜକ ଡ. ନନ୍ଦିଘୋଷ ମହାପାତ୍ର ବିବରଣୀ ଉପସ୍ଥାପନ କରିଥିଲେ।ପରିସରର ନିର୍ଦ୍ଦେଶକ ପ୍ର. ବୋଧକୁମାର ଝା ଅତିଥିମାନଙ୍କ ସମ୍ମାନନସହ ନିଜର ଆଭିମୁଖ୍ୟ ରଖିଥିଲେ। ସେ କହିଥିଲେ ଯେ, “ସଂସ୍କୃତ କେବଳ ଗୋଟିଏ ଭାଷା ନୁହେଁ, ଏହା ଆମ ସଂସ୍କୃତି, ନୈତିକତା ଓ ଚିନ୍ତନର ମୂଳଦୁଆ। ଆଧୁନିକ ଯୁଗରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ମାନବୀୟ ମୂଲ୍ୟବୋଧର ସମନ୍ୱୟ ପାଇଁ ସଂସ୍କୃତ ଅଧ୍ୟୟନ ଅପରିହାର୍ଯ୍ୟ। ଏହି ସପ୍ତାହବ୍ୟାପୀ ମହୋତ୍ସବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂସ୍କୃତ ଭାଷା ପ୍ରତି ଅନୁରାଗ ଏବଂ ଗବେଷଣାତ୍ମକ ମନୋଭାବ ବୃଦ୍ଧି କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଛି।”ଏକାମ୍ର ମହାବିଦ୍ୟାଳୟ, ଭୁବନେଶ୍ୱରର ଆଚାର୍ଯ୍ୟ ପ୍ରୋ. ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ , “ସଂସ୍କୃତ ହେଉଛି ଭାରତର ଆତ୍ମା। ବିଶ୍ୱର ଯେକୌଣସି ଜ୍ଞାନ-ବିଜ୍ଞାନକୁ ବୁଝିବାକୁ ହେଲେ ଆମକୁ ଆମର ସଂସ୍କୃତ ଗ୍ରନ୍ଥାବଳୀ ନିକଟକୁ ଫେରିବାକୁ ପଡ଼ିବ। ସଂସ୍କୃତ ଭାଷା ଶୁଦ୍ଧ ଚିନ୍ତନ ଓ ବ୍ୟକ୍ତିତ୍ୱ ନିର୍ମାଣର ସର୍ବୋତ୍ତମ ମାଧ୍ୟମ। ଆଜିର ଯୁବପିଢ଼ି ଏହି ସମୃଦ୍ଧ ପରମ୍ପରାକୁ ଆଗକୁ ନେବା ଆବଶ୍ୟକ।”ସାହିତ୍ୟ ବିଭାଗର ପ୍ରାକ୍ତନ ଆଚାର୍ଯ୍ୟ ପ୍ର. ସୂର୍ଯ୍ୟମଣି ରଥ ଏବଂ ଗଞ୍ଜାମର ଅବସରପ୍ରାପ୍ତ ସଂସ୍କୃତ ଅଧ୍ୟାପକ ‘ବାଣୀରତ୍ନ’ ପଣ୍ଡିତ ଗଦାଧର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ର. ରଥ କହିଥିଲେ ଯେ, ସଂସ୍କୃତ ସାହିତ୍ୟର ସୌନ୍ଦର୍ଯ୍ୟ ଓ ନୈତିକ ମୂଲ୍ୟବୋଧ ଆମ ସମାଜକୁ ସଦାସର୍ବଦା ଦିଗଦର୍ଶନ ଦେଇଆସିଛି। ପଣ୍ଡିତ ଗଦାଧର ଦାଶ ନିଜ ବକ୍ତବ୍ୟରେ କହିଥିଲେ ଯେ, ସଂସ୍କୃତର ସେବା ହିଁ ରାଷ୍ଟ୍ରର ସେବା ଏବଂ ଏହି ଭାଷାର ସୁରକ୍ଷା ପାଇଁ ନିରନ୍ତର ସାଧନା ଆବଶ୍ୟକ।ଏହି ଅବସରରେ ଶ୍ରୀସଦାଶିବ ପରିସର ପକ୍ଷରୁ ପ୍ର.ସୂର୍ଯ୍ୟମଣି ରଥ ଏବଂ ପଣ୍ଡିତ ଗଦାଧର ଦାଶଙ୍କୁ ବିଦ୍ୱତ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା।ହିନ୍ଦୁ-ଅଧ୍ୟୟନ କେନ୍ଦ୍ରର ଅଧ୍ୟାପକ ଡ. ସନ୍ଦୀପ ଚାଟ୍ଟାର୍ଯୀଙ୍କ ଦ୍ୱାରା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସପ୍ତାହବ୍ୟାପୀ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ପୁରାଣଇତିହାସ ବିଭାଗାଧ୍ୟକ୍ଷା ପ୍ର. ମିନତି ରଥ ଅଧ୍ୟକ୍ଷ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରୀ ହରପ୍ରିୟା ଖୁଣ୍ଟିଆ ଓ ପ୍ରାକ୍ତନ ଛାତ୍ରୀ ସନ୍ଧ୍ୟାରାଣୀ ମିଶ୍ର ସଂସ୍କୃତ ନୃତ୍ୟ ପରିବେଷଣ କରିଥିଲେ। ଛାତ୍ରୀ ମାଧବୀ ମଞ୍ଜରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ରାଷ୍ଟ୍ରଗାନ ଏବଂ ଛାତ୍ର ସତ୍ୟପ୍ରକାଶ ମହାରଣାଙ୍କ ଦ୍ୱାରା ସଭାସଂଚାଳନସହ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସହ-ନିର୍ଦ୍ଦେଶକ ପ୍ରୋ. ମଖଲେଶ କୁମାର ଉପାଧ୍ୟାୟ, ପ୍ରୋ. ଚନ୍ଦ୍ରକାନ୍ତଙ୍କ ସମେତ ପରିସରରସମସ୍ତ ଅଧ୍ୟାପକ, କର୍ମଚାରୀ ଓ ବିପୁଳ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Share the News .....

Leave a Reply

Your email address will not be published. Required fields are marked *