୧୪୪ ଦିନରେ ପୁରୀବାସୀଙ୍କ ସଚେତନତା ସତ୍ୟାଗ୍ରହ ପଦଯାତ୍ରା

‎ପୁରୀ : ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ସ୍ଥାୟୀ, ସୁବ୍ୟବସ୍ଥିତ ଓ ସମ୍ମାନଜନକ ବ୍ୟବସ୍ଥା ଦାବିରେ ଗତ ଏପ୍ରିଲ ୧ ତାରିଖରୁ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଜାରି ରହିଥିବା ଅହିଂସାମୂଳକ ସଚେତନତା ସତ୍ୟାଗ୍ରହ ପଦଯାତ୍ରା ଶନିବାର ଦିନ ୧୪୪ ଦିନରେ ପହଞ୍ଚିଛି। ପୁରୀବାସୀ ନିଜ ଆଧାର କାର୍ଡକୁ ପରିଚୟର ପ୍ରମାଣ ଭାବେ ଦେଖାଇ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ନିୟମିତ ପ୍ରବେଶ କରିବା ସହ ଘଣ୍ଟିଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିପାରିବା ପାଇଁ ସ୍ପଷ୍ଟ, ସୁବ୍ୟବସ୍ଥିତ ଓ ସ୍ଥାୟୀ ବ୍ୟବସ୍ଥା କରାଯିବା ଏହି ସତ୍ୟାଗ୍ରହର ମୁଖ୍ୟ ଦାବି ରହିଛି। ‎ଏହି ଦାବିକୁ ନେଇ ଆଜି ମଞ୍ଚ ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ପୁରୀର ଆରକ୍ଷୀ ଅଧୀକ୍ଷକଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ପୁରୀବାସୀଙ୍କ ଦୀର୍ଘଦିନର ଦାବି ସମ୍ପର୍କରେ ପ୍ରତିନିଧିମଣ୍ଡଳୀ ପକ୍ଷରୁ ବିସ୍ତୃତ ଭାବେ ଅବଗତ କରାଯିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ‎ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏକ ସ୍ପଷ୍ଟ ଏବଂ ସ୍ଥାୟୀ ବ୍ୟବସ୍ଥା ହେବା ଆବଶ୍ୟକ। ଏହି ଦାବି କୌଣସି ବିଶେଷ ସୁବିଧା ପାଇଁ ନୁହେଁ; ବରଂ ପୁରୀବାସୀଙ୍କ ଦୀର୍ଘଦିନର ଭାବନା ଓ ଦାବିର ସମ୍ମାନଜନକ ସମାଧାନ ପାଇଁ ଏହି ଅହିଂସକ ଆନ୍ଦୋଳନ ଜାରି ରହିଛି।

‎ମଞ୍ଚର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “ଆମର ଦାବି କୌଣସି ବିଶେଷ ସୁବିଧା ପାଇଁ ନୁହେଁ। ପୁରୀବାସୀଙ୍କ ପାଇଁ ଆଧାର କାର୍ଡକୁ ପରିଚୟ ପ୍ରମାଣ ଭାବେ ଗ୍ରହଣ କରି ପଶ୍ଚିମ ଦ୍ୱାର ଦେଇ ନିୟମିତ ଓ ସମ୍ମାନଜନକ ଭାବେ ଶ୍ରୀମନ୍ଦିର ପ୍ରବେଶ ଏବଂ ମହାପ୍ରଭୁଙ୍କ ଦର୍ଶନର ସ୍ଥାୟୀ ବ୍ୟବସ୍ଥା କରାଯାଉ। ଆମେ ଶ୍ରୀମନ୍ଦିରର ନୀତିକାନ୍ତି ଓ ପରମ୍ପରାକୁ ସମ୍ମାନ କରି ସତ୍ୟ ଓ ଅହିଂସାର ପଥରେ ଆମର ଦାବି ଜାରି ରଖିଛୁ। ସେ ଆହୁରି କହିଛନ୍ତି ଯେ, ଆଜିର ଆଲୋଚନା ଏବଂ ଦାବିପତ୍ର ପ୍ରଦାନ ପରେ ମଧ୍ୟ ପୁରୀବାସୀଙ୍କ ସଚେତନତା ସତ୍ୟାଗ୍ରହ ପଦଯାତ୍ରା ଜାରି ରହିବ। ଦାବିର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଅହିଂସା ଓ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ ଜାରି ରଖିବାକୁ ମଞ୍ଚ ପକ୍ଷରୁ କୁହାଯାଇଛି।”

‎ଏହି ସଚେତନତା ସତ୍ୟାଗ୍ରହ ପଦଯାତ୍ରାରେ ଆରମ୍ଭରୁ ଅନେକ ପୁରୀବାସୀ ସାମିଲ ହୋଇ ଆସୁଛନ୍ତି। ଆଜି ମଧ୍ୟ ବହୁ ସତ୍ୟାଗ୍ରହୀ ପଦଯାତ୍ରାରେ ସାମିଲ ହୋଇ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ପହଞ୍ଚି ଆଧାର କାର୍ଡ ଦେଖାଇ ଘଣ୍ଟି ଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଆଜିର ପଦଯାତ୍ରାରେ ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ଅମରେନ୍ଦ୍ର ପାଇକରାୟ, ଶିଶିରକାନ୍ତ ଶତପଥୀ, ଯାଦବାନନ୍ଦ ରାୟ, ମନୋରଞ୍ଜନ ରଣସିଂହ, ଅରୁଣା ପଟ୍ଟନାୟକ, ମୀନାକ୍ଷୀ ଦାସ, ସନ୍ଧ୍ୟାରାଣୀ ମିଶ୍ର, ସୌମ୍ୟା ହୋତା, ବନିତା ଦୀକ୍ଷିତ, ମମତା ଦାସ, ନିହାରିକା ତ୍ରିପାଠୀ, ରୁପା ବେହେରା, ମମତା ସ୍ୱାଇଁ, ଲିଙ୍ଗରାଜ ସାହୁ, ଅଭିମନ୍ୟୁ ପ୍ରଧାନ, ବାପିନା ସାମନ୍ତରାୟ, କାଶୀନଥ ସାହୁ, ରମେଶ ଚନ୍ଦ୍ର ମହାନ୍ତି, ଅଞ୍ଜୁବାଳା ମହାନ୍ତି, ଗଦାଧର ମହାରଣା, ସନ୍ତୋଷ ସେନାପତି, ସୁବାଷ ପଟ୍ଟନାୟକ, ସୁକାନ୍ତ ପଣ୍ଡା, ପ୍ରଦୀପ୍ତ କୁମାର ମହାନ୍ତି, ପ୍ରଣତୀ ରାୟ, କିଶୋର ଚନ୍ଦ୍ର ଦାସ ପ୍ରମୁଖ ସାମିଲ ଥିଲେ।

Share the News .....

Leave a Reply

Your email address will not be published. Required fields are marked *