ତାଳବଣିଆ ଥାନାର ନବନିର୍ମିତ ପୋଲିସ ଷ୍ଟେସନ୍ ଭବନ ସହ ପୋଲିସ ଲାଇନର ଏକ କ୍ୱାଟର ଉଦଘାଟନ

ପୁରୀ: ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିନ ପୁରୀ ଜିଲ୍ଲା ଅନ୍ତର୍ଗତ ତାଳବଣିଆ ଥାନାର ନବନିର୍ମିତ ପୋଲିସ ଷ୍ଟେସନ୍ ଭବନକୁ ସହ ପୋଲିସ ଲାଇନର ଏକ କ୍ୱାଟର ଯାହା ୨୦ ଗୃହ ବିଶିଷ୍ଟ ଉଦଘାଟନ କରିଛନ୍ତି। ଏହି ନୂତନ ଭବନ ପୋଲିସ ସେବାକୁ ଅଧିକ ଦକ୍ଷ, ଆଧୁନିକ ଏବଂ ଜନବନ୍ଧବ କରିବା ସହିତ ସାଧାରଣ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ କରିବାରେ ସହାୟକ ହେବ। ଏହି ଅବସରରେ ପୁରୀ ସାଂସଦ ଶ୍ରୀ ସମ୍ବିତ ପାତ୍ର, ଶ୍ରୀ ସୁନୀଲ କୁମାର ମହାନ୍ତି ବିଧାୟକ ପୁରୀ, ଶ୍ରୀମତୀ ଉପାସନା ମହାପାତ୍ର ବିଧାୟିକା ବ୍ରହ୍ମଗିରି, ଶ୍ରୀ ଓମ୍ ପ୍ରକାଶ ମିଶ୍ର ବିଧାୟକ ସତ୍ୟବାଦୀ, ଶ୍ରୀଯୁକ୍ତ ଯୋଗେଶ ବାହାଦୁର ଖୁରାନିଆ, ଆରକ୍ଷୀ ମହାନିର୍ଦ୍ଦେଶକ, ଓଡ଼ିଶା, ଶ୍ରୀଯୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଲିଂ. ଭୁବନେଶ୍ୱର, ଡଃ. ସତ୍ୟଜିତ ନାୟକ, ଆରକ୍ଷୀ ମହାନିରୀକ୍ଷକ କେନ୍ଦ୍ରାଞ୍ଚଳ, ଶ୍ରୀ ପ୍ରତୀକ ସିଂ, ଆରକ୍ଷୀ ଅଧିକ୍ଷକ, ପୁରୀ, ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ସମେତ ବହୁ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ମୋଟ ୪ କୋଟି ୬୫ ଲକ୍ଷ ୮୯ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଥାନା ଭବନରେ ଜନସାଧାରଣଙ୍କ ସୁବିଧା ଓ ପୋଲିସ କାର୍ଯ୍ୟକୁ ଅଧିକ ଫଳପ୍ରଦ କରିବା ନିମନ୍ତେ ବିଭିନ୍ନ ଆଧୁନିକ ବ୍ୟବସ୍ଥା ରହିଛି।
ଭୂତଳରେ ମୋଟ ୮ଟି କକ୍ଷ ରହିଥିବା ବେଳେ ଏଥିରେ ରିସେପସନ ଏରିଆ, ମହିଳା ଓ ଶିଶୁ ଡେସ୍କ, କାଉନ୍ସେଲିଂ ରୁମ୍, କ୍ରେଚ୍, ବିଦ୍ୟୁତ କକ୍ଷ, ଦିବ୍ୟାଙ୍ଗଙ୍କ ପାଇଁ ଶୌଚାଳୟ, ପୁରୁଷ ଓ ମହିଳା ଶୌଚାଳୟ ଆଦି ବ୍ୟବସ୍ଥା କରାଯାଇଛି। ପ୍ରଥମ ମହଲାରେ ମୋଟ ୧୩ଟି କକ୍ଷ ରହିଛି। ଏଥିରେ ପୁରୁଷ ଓ ମହିଳା ହାଜତ, ଡି.ସି.ଓ. କକ୍ଷ, ମହିଳା ବିଶ୍ରାମ କକ୍ଷ, ମହିଳା ପୋଷାକ ପରିବର୍ତ୍ତନ କକ୍ଷ, ଅପେକ୍ଷା କକ୍ଷ, ଭି.ଏଚ୍.ଏଫ୍. ରୁମ୍, ସି.ସି.ଟି.ଏନ୍.ଏସ୍. କକ୍ଷ, ଥାନା ଅଧିକାରୀଙ୍କ କାର୍ଯ୍ୟାଳୟ, ରିଡର ରୁମ୍ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଉପଲବ୍ଧ ରହିଛି।
ଦ୍ୱିତୀୟ ମହଲାରେ ୯ଟି କକ୍ଷ ରହିଛି। ଏଥିରେ ସମ୍ମିଳନୀ କକ୍ଷ, ଅତିରିକ୍ତ ଥାନା ଅଧିକାରୀଙ୍କ କାର୍ଯ୍ୟାଳୟ, ପଚରାଉଚରା କକ୍ଷ, ଅସ୍ତ୍ରାଗାର, ମାଲଖାନା, ରେକର୍ଡ ରୁମ୍, କାର୍ଯ୍ୟାଳୟ କକ୍ଷ ଓ ବିଶ୍ରାମ କକ୍ଷ ରହିଛି। ତୃତୀୟ ମହଲାରେ ପୋଲିସ କର୍ମଚାରୀଙ୍କ ପାଇଁ ବାରାକ୍, ରୋଷେଇ ଘର, ବିଶ୍ରାମ କକ୍ଷ ଏବଂ ସ୍ନାନାଗାର ଓ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ଏହି ନୂତନ ଭବନ ମାଧ୍ୟମରେ ତାଳବଣିଆ ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଅଧିକ ସୁବିଧାଜନକ ପରିବେଶରେ କାର୍ଯ୍ୟ କରିପାରିବେ। ସେହିପରି ସାଧାରଣ ଜନତାଙ୍କୁ ଦ୍ରୁତ, ସ୍ୱଚ୍ଛ ଓ ଗୁଣାତ୍ମକ ପୋଲିସ ସେବା ପ୍ରଦାନ କରିବାରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ପୁରୀ ପୋଲିସ ଜନସାଧାରଣଙ୍କ ସୁରକ୍ଷା, ସେବା ଓ ବିଶ୍ୱାସକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛି। ତାଳବଣିଆ ଥାନାର ଏହି ନବନିର୍ମିତ ଭବନ ସେହି ଲକ୍ଷ୍ୟ ପୂରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
