ପିଲା ମାନଙ୍କ ସାମଗ୍ରିକ ବିକାଶରେ ଗ୍ରୀଷ୍ମ ଶିବିର ସହାୟକ ହେବ

ପୁରୀ : ସୋମବାର ଠାରୁ ତାଳବଣିଆସ୍ଥିତ ଅଗ୍ରଣୀ ପ୍ରାଥମିକ ବିଦ୍ୟାଳୟ ସାଇ ବିଦ୍ୟା ମନ୍ଦିରରେ ୧୦ ଦିନିଆ ଗ୍ରୀଷ୍ମ ଶିବିରର ଉଦଘାଟନ ଉତ୍ସବ ଭବ୍ୟ ଭାବେ ବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଶିକ୍ଷିକା ମୋନାଲିସା ଦତ୍ତ ସମସ୍ତ ଙ୍କୁ ସ୍ୱାଗତ କରିଥିଲେ। ପରେ ଶିବିର ମେଣ୍ଟର ବିନୋଦିନୀ ଗୌଡ଼ା କାର୍ଯ୍ୟକ୍ରମର ଖସଡ଼ା ସମ୍ପର୍କରେ ସୂଚନା ଦେଇଥିଲେ।
ସାମାଜିକ କର୍ମୀ ଓ ହୋଟେଲ୍ ହଲିଡେ ରିସର୍ଟର ବ୍ୟବସ୍ଥାପକ ନିର୍ଦ୍ଦେଶକ ରାଜକିଶୋର ପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଏବଂ ପ୍ରଭୁ ଜଗନ୍ନାଥଙ୍କୁ ପୁଷ୍ପାର୍ପଣ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠ ସହ ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ, ଭ୍ରମଣ, ନୂଆ ନୂଆ କଥା ଶିଖିବା ଓ ଛୋଟ ପିଲା ପରସ୍ପର ସହ ମିଶି ନିଜ ଆତ୍ମବିଶ୍ବାସ ବଢାଇବା, ଲାଜୁଆ ସ୍ବଭାବ ଛାଡିବା ପାଇଁ ଗ୍ରୀଷ୍ମ ଶିବିର ଏକ ସୁନ୍ଦର ପଦକ୍ଷେପ ବୋଲି କହିଥିଲେ।
ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶ ଉପରେ ଜୋର ଦେଇଥିଲେ। ବିଶେଷ ଅତିଥି ନୃତ୍ୟଗୁରୁ କୁମାର ଭୀମସେନ ନୃତ୍ୟ, ଯୋଗ, ସଙ୍ଗୀତ, ମେଣ୍ଟାଲ୍ ମାଥ୍, ଓରିଗାମି, ସ୍ୱିମିଂ, ପପେଟ୍ ଶୋ, ଆଧ୍ୟାତ୍ମିକ ଓ ପରିବେଶୀୟ ଭ୍ରମଣ ଇତ୍ୟାଦି କ୍ରିୟାକଳାପ ଛାତ୍ରଛାତ୍ରୀଙ୍କ ଶାରୀରିକ, ସାମାଜିକ ଓ ଆଧ୍ୟାତ୍ମିକ ବିକାଶରେ କିପରି ସାହାଯ୍ୟ କରେ ସେଥିରେ ଆଲୋକ ପାତ କରିଥିଲେ।

ଏହି ଅବସରରେ ମାଆମାନେ ଓ ତାଙ୍କ ଶିଶୁମାନଙ୍କ ଦ୍ୱାରା ଆକର୍ଷଣୀୟ ରାମ୍ପ ଶୋ ଆୟୋଜିତ ହୋଇଥିଲା।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶେଷରେ ବିଦ୍ୟାଳୟର ଉପ-ମୁଖ୍ୟ ଶିକ୍ଷକ ଦିଲୀପ କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। ଶିକ୍ଷିକା ଅନିତା କୁମାରୀ, ପ୍ରିୟଙ୍କା ବାରିକ ଓ ବୈଶାଳୀ ନାୟକ ସମଗ୍ର କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ପ୍ରଶାସନିକ ଅଧିକାରୀ ଦିବ୍ୟାଶ୍ରୀ ବେହେରା ସମସ୍ତ ବ୍ୟବସ୍ଥାକୁ ସୁଚାରୁ ଭାବେ ପରିଚାଳନା କରିଥିଲେ ଏବଂ କର୍ମଚାରୀ କବିତା ଓ ବାବୁଙ୍କ ସହଯୋଗ ରହିଥିଲା।କାର୍ଯ୍ୟକ୍ରମଟି ବିଦ୍ୟାଳୟର ଅଧ୍ୟକ୍ଷ ଫ୍ଲୋରା ଦାସ ଓ ଅଧ୍ୟକ୍ଷା ମିନାଳୀ ଦାସଙ୍କ ନେତୃତ୍ୱରେ ସଫଳତାର ସହ ସମ୍ପନ୍ନ ହୋଇଥିଲା।

Share the News .....

Leave a Reply

Your email address will not be published. Required fields are marked *