ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ମଞ୍ଚ ପକ୍ଷରୁ ଅଭିନବ ପ୍ରୟାସ

ପୁରୀ : ସୋମବାର ଦିନ ଭକ୍ତ ସାଲବେଗ ସମ୍ମିଳନୀ କକ୍ଷରେ ମଞ୍ଚ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ବୈଠକ ସ୍ତମ୍ଭକାର ହରିଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଆବାହକ ସ୍ଵାଧୀନ କୁମାର ପଣ୍ଡା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ଏଥିରେ ସହରର ଅନେକ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଏବଂ ସହରର ଅନେକ ଗୋଷ୍ଠୀର ପ୍ରତିନିଧି ଯୋଗଦେଇଥିଲେ। ପୂର୍ବ ବୈଠକର ନିର୍ଦ୍ଧାରଣ ଅନୁଯାୟୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଆଲୋଚନା ପାଇଁ ସମୟ ଦେବାକୁ ଅନୁରୋଧ କରାଯାଇଥିଲେ ବି ସେ ଉକ୍ତ ଆଲୋଚନା ପାଇଁ ସମୟ ନଦେବା ସମସ୍ତଙ୍କୁ ଆଚମ୍ବିତ କରିଥିଲା ଏବଂ ସମସ୍ତେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବୈଠକରେ ଉପସ୍ଥିତ ବ୍ୟକ୍ତିମାନେ ବିଭିନ୍ନ ପ୍ରସ୍ତାବ ଦେବା ପରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ଗ୍ରହଣ କଲେ ଯେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କୁ ମଞ୍ଚ ସହ ସାତ ଦିନ ମଧ୍ୟରେ ଆଲୋଚନା କରିବା ପାଇଁ ସମୟ ନିର୍ଦ୍ଧାରଣ କରିବାକୁ ଦ୍ଵିତୀୟ ଅନୁରୋଧ ପତ୍ର ଦିଆଯିବ। ଆଗାମୀ ଏପ୍ରିଲ ପହିଲା ଉତ୍କଳ ଦିବସ ଦିନ ସନ୍ଧ୍ୟା ୫ ଘଟିକାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ଏକ ସଚେତନତା ପଦଯାତ୍ରା ଅନ୍ୟୁନ ପାଞ୍ଚ ଜଣଙ୍କୁ ନେଇ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବ ଏବଂ ପରବର୍ତ୍ତୀ ଦିନ ଠାରୁ ନିରବଚ୍ଛିନ୍ନ ଭାବରେ ଏହି ସଚେତନତା ପଦଯାତ୍ରା ସନ୍ଧ୍ୟା ୫ ଘଟିକାରୁ ଭକ୍ତ ସାଲବେଗ ପୀଠ ଠାରୁ ଆରମ୍ଭ ହୋଇ ଶ୍ରୀମନ୍ଦିର ଠାରେ ଶେଷ ହେବ। ଏଥି ସହିତ ପୁରୀ ସହର ଓ ସଦରର ପ୍ରତ୍ୟେକ ଅଞ୍ଚଳରେ ସ୍ଵାକ୍ଷରତା ଅଭିଯାନ ମଧ୍ୟ ଆରମ୍ଭ କରାଯିବା ସହ ସହର ଓ ସଦରର ପ୍ରତ୍ୟେକ ଅନୁଷ୍ଠାନ, ଜାଗା ଆଖଡ଼ା , ସମସ୍ତଙ୍କ ସହ ଯୋଗାଯୋଗ କରାଯାଇ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ। ପୁରୀ ସହର ବାସୀ ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ଅନେକ ସମୟରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରୁଥିଲେ ମଧ୍ୟ ସେମାନଙ୍କର ଜରୁରୀ ଆବଶ୍ୟକତା ସମୟରେ ପୂର୍ବପରି ସ୍ବତନ୍ତ୍ର ଭାବେ ଶ୍ରୀମନ୍ଦିର ପ୍ରବେଶ ନିଷିଦ୍ଧ ନିଶ୍ଚିତ ଭାବରେ ଅସନ୍ତୋଷର ଦାନା ବାନ୍ଧୁଛି ଏବଂ ଭବିଷ୍ୟତରେ ଯେକୌଣସି ଅଘଟଣ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଏପରିକି ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ମତ ପ୍ରକାଶ ପାଇଛି। ଏହି ବୈଠକରେ ସମାଜସେବୀ ଚକ୍ରଧର ମହାପାତ୍ର, ଦୃଷ୍ଟିର ସମ୍ପାଦକ ନାରାୟଣ ଦାଶ, ସୂର୍ଯ୍ୟ ରଥ, ବିଦ୍ୟୁଲତା ଆଚାର୍ଯ୍ୟ, ଅମରେନ୍ଦ୍ର ପାଇକରାୟ, ପ୍ରିୟାନ୍ସୀ ଦାସ, ସୁକାନ୍ତ ପଣ୍ଡା, ସୁମିତ୍ରା ବାରିକ, ପ୍ରସନ୍ନ ଦାସ, ଯୁପିଟର ଦାସ, ମାନସ ପଟ୍ଟନାୟକ, ଭାସ୍କର ପରିଡା, ସୌମ୍ୟା ହୋତା,ଜଗନ୍ନାଥ ଷଡଙ୍ଗୀ , ନରସିଂହ ନାୟକ , ସୂର୍ଯ୍ୟକାନ୍ତି ପ୍ରଧାନ, ବାସୁଦେବ ଲେଙ୍କା ,ଦେବେନ୍ଦ୍ର ବିଶ୍ଵାଳ, ସଂଗ୍ରାମ କେଶରୀ ମିଶ୍ର, ଦେବୀ ମିଶ୍ର,ରାକେଶ ବାରିକ୍,ସତ୍ୟନାରାୟଣ ସାହୁ,କିଶୋର ଚନ୍ଦ୍ର ଦାସ,ରବିଶଙ୍କର ସାହୁ ପ୍ରମୁଖ ଯୋଗଦେଇ ଥିଲେ।

Share the News .....

Leave a Reply

Your email address will not be published. Required fields are marked *