ପଟ୍ଟଚିତ୍ର ସଚେତନତା କର୍ମଶାଳା ଓ ପ୍ରଦର୍ଶନୀ

ପୁରୀ : ଭାରତ ସରକାରଙ୍କ ବିକାଶ ଆୟୁକ୍ତ ହସ୍ତଶିଳ୍ପ ବିଭାଗ ପ୍ରାୟୋଜିତ ଏବଂ ହସ୍ତଶିଳ୍ପ ପଟ୍ଟଚିତ୍ର ଉତ୍ପାଦକ କମ୍ପାନୀ ଲିମିଟେଡ୍,ଐତିହ୍ୟଗ୍ରାମ ରଘୁରାଜପୁର ପକ୍ଷରୁ ପଟ୍ଟଚିତ୍ର କୁ ନେଇ ଏକ ତ୍ରିଦିବସୀୟ କର୍ମଶାଳା, ପ୍ରଦର୍ଶନୀ, ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ନୀଳାଚଳ ଅର୍ବାନ୍ହାଟ ପରିସରରେ ଉଦଘାଟିତ ହୋଇଯାଇଛି I ଅନୁଷ୍ଠାନର ନିର୍ଦ୍ଦେଶକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ ବିଶ୍ଵନାଥ ସ୍ଵାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ବିପିନ୍ ବିହାରୀ ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ I ଶିଳ୍ପୀଗୁରୁ ଦୀନବନ୍ଧୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ I ଜାତୀୟ ପୁରସ୍କାରପ୍ରାପ୍ତ ପଟ୍ଟଚିତ୍ର ଗୁରୁ ଶରତ କୁମାର ସାହୁ, କରୁଣାକର ସାହୁ ଓ ଭ୍ରମରବର ନାୟକ ଏବଂ ଭାରତ ସରକାରଙ୍କ ହସ୍ତଶିଳ୍ପ ପ୍ରବନ୍ଧନ ଅଧିକାରୀ ବୀର ଭରତ ମାରାଣ୍ଡି ,ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ର ହସ୍ତଶିଳ୍ପ ପ୍ରବନ୍ଧନ ଅଧିକାରୀ ପ୍ରମେନ୍ଦ୍ର ସିହ୍ନା, ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ବିକାଶ ଅଧିକାରୀ ସୂର୍ଯ୍ୟକାନ୍ତ ପଣ୍ଡା, ପୁରୀ ହସ୍ତଶିଳ୍ପ ବିଭାଗର ଉପନିର୍ଦ୍ଦେଶକ ବିଷ୍ନୁପଦ ମାରାଣ୍ଡି ,ପରମ୍ପରା ଅନୁଷ୍ଠାନର ପ୍ରତିଷ୍ଠାତା ଭଗବାନ ସ୍ଵାଇଁ ପ୍ରମୁଖ ମଞ୍ଚାସୀନ ରହି ହସ୍ତଶିଳ୍ପ ହେଉଛି ଆମ ସଂସ୍କୃତି, ପରମ୍ପରା ଓ ଅର୍ଥନୀତି ର ତ୍ରିବେଣୀ ସଙ୍ଗମ I ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପୀ ମାନଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନର ଏକ ସୁନ୍ଦର ପ୍ଲାଟଫର୍ମ ପ୍ରଦାନ କରାଯାଇପାରୁଛି ବୋଲି ବକ୍ତବ୍ୟ ରଖିଥିଲେ I ଅତିଥିମାନେ ପଟ୍ଟଚିତ୍ର ର ଅତୀତ ,ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିବା ସହ ଏହାର ମୌଳିକତା କିପରି ବଜାୟ ରହିବ ଏବଂ ପ୍ରାଚୀନ ଅଙ୍କନ ଶୈଳୀର ଆଧାରରେ ପାରମ୍ପରିକ ପ୍ରାକୃତିକ ରଙ୍ଗର ବ୍ୟବହାର କିପରି ହୋଇପାରିବ ତା’ ଉପରେ ଗୁରୁତ୍ଵ ଆରୋପ କରିବା ସହ ବିଭିନ୍ନ ମଠ, ମନ୍ଦିର ଓ ରାଜପ୍ରାସାଦର ପାରମ୍ପରିକ ଚିତ୍ର ଅନୁଧ୍ୟାନ କରି ସେହି ଶୈଳୀକୁ ଆପଣାଇବା ପାଇଁ ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ I ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସାଂସ୍କୃତିକ ସଂଗଠକ ଶ୍ୟାମ ପ୍ରକାଶ ସେନାପତି ସଭାକୁ ସଞ୍ଚାଳନ କରିଥିଲେ I ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶିକା ସଂଯୁକ୍ତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ‘ଅଭିନ୍ନସୁନ୍ଦର ଗୋଟିପୁଅ ନୃତ୍ୟ ପରିଷଦ’, ରଘୁରାଜପୁର ପକ୍ଷରୁ ଗୁରୁ ଲକ୍ଷ୍ମଣ ମହାରଣାଙ୍କ ନିର୍ଦ୍ଦେଶନାରେ ଶିଳ୍ପୀ ମାନେ ଗୋଟିପୁଅ ନୃତ୍ୟ ରେ ମଙ୍ଗଳାଚରଣ, ଅଭିନୟ ଏବଂ ବନ୍ଧ ନୃତ୍ୟ ପରିବେଷଣ କରିଥିଲେ I ପ୍ରକାଶ ଥାଉକି, କର୍ମଶାଳାରେ ପୁରୀସଦର ବ୍ଲକ ରୁ କୋଡ଼ିଏ ଜଣ ଶିଳ୍ପୀ ଯୋଗଦେଇ ଅଂଶଗ୍ରହଣ କରିଛନ୍ତି I ଆସନ୍ତା ଅଠେଇଶି ତାରିଖରେ ହେବାକୁ ଯାଉଥିବା ଉଦଯାପନୀ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣକାରୀ ଙ୍କର ଚିତ୍ର ସବୁ ପ୍ରଦର୍ଶିତ ହେବା ସହ ଶିଳ୍ପୀମାନଙ୍କୁ ପ୍ରସଂଶାପତ୍ର ପ୍ରଦାନ କରାଯିବ I ପୁରୀ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ପ୍ରଦର୍ଶନୀ ବୁଲିବା ସହ ଶିକ୍ଷା ଗ୍ରହଣ କରିଥିଲେ I

Share the News .....

Leave a Reply

Your email address will not be published. Required fields are marked *