ଉର୍ଜାବାନ ଓଡିଶା ଟ୍ରଷ୍ଟ ତରଫରୁ ପଖାଳ ଦିବସ ପାଳନ

ପୁରୀ : ଓଡ଼ିଆ ମାନଙ୍କର ପର୍ବପର୍ବାଣୀ ଭିତରେ ଯେମିତି ବିଭିନ୍ନତା ରହିଛି ସେମିତି ଓଡ଼ିଆ ଖାଦ୍ୟର ମଧ୍ୟ ଏକ ସ୍ୱତନ୍ତ୍ରତା ରହି ଆସିଛି। ଭିନ୍ନ ଭିନ୍ନ ଋତୁରେ ପରିବେଶ ଅନୁକୁଳିତ ଖାଦ୍ୟ ପେୟ ଅନେକାଂଶରେ ବୈଜ୍ଞାନିକ ସମ୍ମତ ମଧ୍ୟ। ସହସ୍ରାଧିକ ବ୍ୟଞ୍ଜନ ମଧ୍ୟରେ ଗ୍ରାମ ବହୁଳ କୃଷି ସମ୍ବଳ ଓଡ଼ିଶାରେ ପ୍ରତି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ପଖାଳ କେବଳ ଓଡ଼ିଆଙ୍କ ଖାଦ୍ୟ ସାରଣୀ ଭିତରୁ ଅନ୍ୟତମ ନୁହେଁ ଏହା ଓଡ଼ିଆଙ୍କ ଅସ୍ମିତା ଆନନ୍ଦ ଆତ୍ମତୃପ୍ତି ଆଉ ଆବେଗ। ପ୍ରତିବର୍ଷ ମାର୍ଚ୍ଚ ମାସ 20 ତାରିଖକୁ ବିଶ୍ଵ ପଖାଳ ଦିବସ ରୂପେ ପାଳନ କରା ଯାଉଛି। ଆମ ସଂସ୍କୃତି ପରମ୍ପରା ଓ ଚାଲି ଚଳନିକୁ ବିଶ୍ଵ ସ୍ତରରେ ପହଞ୍ଚାଇବା ପାଇଁ ଏହା ଏକ ଉଦ୍ୟମ। ଏଇ ଅବସରରେ ପୁରୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉର୍ଜାବାନ ଓଡ଼ିଶା ଟ୍ରଷ୍ଟ ପକ୍ଷରୁ ବିଶ୍ଵ ପଖାଳ ଦିବସ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୁରୀର ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ ଷଡ଼ଙ୍ଗୀ ଏବଂ ଇ 24 ହସ୍ପିଟାଲ ର ପ୍ରତିଷ୍ଠାତା ଇଂ ରାଜେଶ କୁମାର ମିଶ୍ର ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସହରର ଅନେକ ଯୁବ ସମାଜ ସେବୀ, ଗଣମାଧ୍ୟମର ପ୍ରତିନିଧିଗଣ ଅନେକ ମହିଳା ତଥା ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଏକାଠି ବସି ପଖାଳ ଖାଇଥିଲେ। ଦହି ଛୁଙ୍କ ପଖାଳ ସାଙ୍ଗକୁ , ଆଳୁ ଭର୍ତ୍ତା, ଟମାଟ ପୋଡା, ବାଇଗଣ ପୋଡା, କଲରା ଭଜା, ସଜନା ଚୁଇଁ ବେସର ଭଜା, ବଡି ଚୁରା, କୋଶଳା ଶାଗ, ଦେଶୀ ପିଆଜ, କାକୁଡି ସବୁର ବ୍ୟବସ୍ଥା ହୋଇଥିଲା। ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅତିଥି ଆଗନ୍ତୁକ ମାନଙ୍କୁ ବୃକ୍ଷ ଚାରା ପ୍ରଦାନ କରା ଯାଇଥିଲା। ଅନୁଷ୍ଠାନର ସମ୍ପାଦିକା ନିହାରିକା ତ୍ରିପାଠୀ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ଅନୁଷ୍ଠାନ ର ସଭାପତି ସନ୍ତୋଷ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ lଅନୁଷ୍ଠାନର ଏଭଳି ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି। ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

Share the News .....

Leave a Reply

Your email address will not be published. Required fields are marked *