ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତି

ପୁରୀ : ରାଜ୍ୟପାଳ ତଥା କୁଳାଧିପତି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀର ନୂତନ କୁଳପତି ଭାବେ ବିଶିଷ୍ଟ ସଂସ୍କୃତ ପଣ୍ଡିତ ତଥା ପ୍ରଶାସକ ପ୍ରଫେସର ପ୍ରଭାତ କୁମାର ମହାପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ, ୧୯୮୯ର ଧାରା ୬(୧) ଅନୁଯାୟୀ ଏହି ନିଯୁକ୍ତି ପ୍ରଦାନ କରାଯାଇଛି।ପ୍ରଫେସର ମହାପାତ୍ର ଏକାଧାରରେ ଜଣେ ସୁବକ୍ତା, ଜ୍ୟୋତିଷ ଶାସ୍ତ୍ର ବିଷାରଦ, ଛାତ୍ରବତ୍ସଳ ଶିକ୍ଷକ ଏବଂ ଜଣେ ଦକ୍ଷ ପ୍ରଶାସକ। ସେ ବର୍ତ୍ତମାନ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର, ପୁରୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ଏହା ପୂର୍ବରୁ ସେ ଜମ୍ମୁସ୍ଥିତ ଶ୍ରୀ ରଣବୀର ପରିସରରେ ଜ୍ୟୋତିଷ ବିଭାଗର ମୁଖ୍ୟ ଏବଂ ଅଗରତାଲାସ୍ଥିତ ଏକଲବ୍ୟ ପରିସରର ନିର୍ଦ୍ଦେଶକ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି।ଗବେଷଣା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହା ବ୍ୟତୀତ ସେ ଶତାଧିକ ତାତ୍ତ୍ୱିକ ପ୍ରବନ୍ଧ ରଚନା କରିବା ସହ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଅନେକ କର୍ମଶାଳାରେ ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ସଂସ୍କୃତର ଗୌରବ ବୃଦ୍ଧି କରିଛନ୍ତି। ଯାଜପୁରର ପ୍ରସିଦ୍ଧ ‘ବିରଜା ପଞ୍ଜିକା’ର ସହ-ସମ୍ପାଦକ ଭାବେ ମଧ୍ୟ ସେ ଜଣାଶୁଣା। ତାଙ୍କ ଅଧୀନରେ ୧୩ ଜଣ ଗବେଷକ ପିଏଚ୍.ଡି ଉପାଧି ହାସଲ କରିସାରିଥିବା ବେଳେ ଏବେ ମଧ୍ୟ ୩ ଜଣ ଗବେଷଣାରତ ଅଛନ୍ତି,ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଭଳି ଏକ ପ୍ରତିଷ୍ଠିତ ଅନୁଷ୍ଠାନର କୁଳପତି ଭାବେ ତାଙ୍କର ନିଯୁକ୍ତିକୁ ନେଇ ଶିକ୍ଷାବିତ୍, ଗବେଷକ ଓ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି। ତାଙ୍କର ଏହି ନୂତନ ଦାୟିତ୍ୱ ଗ୍ରହଣ ପରେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ଓ ପ୍ରଶାସନିକ ବାତାବରଣ ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ମାନ୍ୟବର କୁଳାଧିପତି ନୂତନ କୁଳପତିଙ୍କୁ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇଛନ୍ତି।

Share the News .....

Leave a Reply

Your email address will not be published. Required fields are marked *