ପୁରୀ ସହରର ସାହି, ଲେନ୍ ଓ ବାଇ-ଲେନ୍ଗୁଡ଼ିକର ମାଇକ୍ରୋ ଲେଭେଲ୍ ସମୀକ୍ଷା

ପୁରୀ : ଆସନ୍ତା ଡିସେମ୍ବର ୩୧ ଓ ନବବର୍ଷ ଜାନୁଆରୀ ୧, ୨୦୨୬ ଉପଲକ୍ଷେ ପୁରୀ ସହରକୁ ଦେଶର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ସମ୍ଭାବନା ଥିବା ପରିପ୍ରେକ୍ଷିରେ, ଶାନ୍ତି-ଶୃଙ୍ଖଳା, ଆଇନ-ଶୃଙ୍ଖଳା ଓ ସାର୍ବଜନୀନ ସୁରକ୍ଷାକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ପୁରୀ ଏସ୍ .ପି. ଶ୍ରୀ ପ୍ରତୀକ ସିଂହଙ୍କ ନେତୃତ୍ୱରେ ପୁରୀ ସହରର ବିଭିନ୍ନ ସାହି, ଗଳି, ଲେନ୍ ଓ ବାଇ-ଲେନ୍ଗୁଡ଼ିକର ସମୀକ୍ଷା କରାଯାଇଛି।ସକାଳ ୭ଟା ଠାରୁ ଆରମ୍ଭ ହୋଇଥିବା ଏହି ମାଇକ୍ରୋ ଲେଭେଲ୍ ଇନ୍ସପେକ୍ସନ୍ରେ ପୁରୀ ସହରର ଗଡ଼ନ୍ତି ଛକ, ମିଶ୍ର ସାହି, ମଙ୍ଗଳାହାଟ ଛକ, ଓଡ଼ିଆ ମଠ ରାସ୍ତା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ସାହି ଓ ଗଳି ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଏହି ସମସ୍ତ ଅଞ୍ଚଳ ମାଧ୍ୟମରେ ଦୈନିକ ହଜାର-ହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ଯାତାୟାତ ହୋଇଥାଏ। ପୁରୀର ଏସ୍ .ପି. ଶ୍ରୀ ପ୍ରତୀକ ସିଂହ ନିଜେ ଲେନ୍ ଓ ବାଇ-ଲେନ୍ଗୁଡ଼ିକର ଚଉଡ଼ା, ରାସ୍ତାର ଭୌତିକ ଅବସ୍ଥା, ସମ୍ଭାବ୍ୟ ଅବରୋଧ, ଅନାବଶ୍ୟକ ଓ ଅବୈଧ ପାର୍କିଂ, ଅସୁରକ୍ଷିତ ସ୍ଥାନ, ଆଲୋକ ବ୍ୟବସ୍ଥା ଓ ଆପାତକାଳୀନ ସ୍ଥିତିରେ ଚଳାଚଳ ସୁବିଧା ସମ୍ପର୍କରେ ସବିସ୍ତାର ଭାବେ ନିରୀକ୍ଷଣ କରିଥିଲେ।

ଏଥିସହ ନିକଟସ୍ଥ ଥାନା ଓ ଫିଲ୍ଡ୍ ଅଫିସରମାନଙ୍କୁ ସମ୍ଭାବ୍ୟ ଚ୍ୟାଲେଞ୍ଜ ଚିହ୍ନଟ କରି ପୂର୍ବ ପ୍ରସ୍ତୁତି ନେବାକୁ ଆବଶ୍ୟକ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। ଏହି ଅବସରରେ ଏସ୍ .ପି. ଶ୍ରୀ ପ୍ରତୀକ ସିଂହ କହିଥିଲେ,“ପୁରୀ ହେଉଛି ଜଗତର ଆସ୍ଥାର କେନ୍ଦ୍ର। ନବବର୍ଷ ଓ ପର୍ଯ୍ୟଟକ ଋତୁରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକ ପୁରୀକୁ ଆସନ୍ତି। ସେମାନଙ୍କ ସୁରକ୍ଷା, ସୁବିଧା ଓ ସକାରାତ୍ମକ ଅନୁଭବ ନିଶ୍ଚିତ କରିବା ପୁରୀ ପୋଲିସର ପ୍ରଥମ ପ୍ରାଥମିକତା। ସାହି, ଲେନ୍ ଓ ବାଇ-ଲେନ୍ରେ ଯାଇ ମାଇକ୍ରୋ ଲେଭେଲ୍ରେ ସମୀକ୍ଷା କରିବା ଆମ ପ୍ରସ୍ତୁତିର ଏକ ଅଂଶ।”ପୁରୀ ପୋଲିସ ପକ୍ଷରୁ ସହରବାସୀ, ବ୍ୟବସାୟୀ ଓ ପର୍ଯ୍ୟଟକମାନଙ୍କୁ ସହଯୋଗ ପାଇଁ ଆହ୍ବାନ କରାଯାଇଛି। କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ, ଅସାମାଜିକ ତତ୍ତ୍ୱ କିମ୍ବା ଆପାତକାଳୀନ ସ୍ଥିତି ଦେଖିଲେ ସତ୍ୱର ୧୧୨ କିମ୍ବା ନିକଟସ୍ଥ ଥାନାକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ମହିଳା ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଉଥିବା ବେଳେ, ମହିଳାମାନେ ଯେକୌଣସି ସମସ୍ୟାରେ ନିର୍ଭୟ ଭାବେ ପୋଲିସ ସହ ଯୋଗାଯୋଗ କରିପାରିବେ।ପର୍ଯ୍ୟଟକ ସୁରକ୍ଷା ଓ ଶାନ୍ତି-ଶୃଙ୍ଖଳା ରକ୍ଷା ଦୃଷ୍ଟିରେ ପୁରୀ ପୋଲିସ ପକ୍ଷରୁ ପର୍ଯ୍ୟାୟକ୍ରମେ ମାଇକ୍ରୋ ଲେଭେଲ୍ ସମୀକ୍ଷା, ରୁଟ୍ ମ୍ୟାନେଜମେଣ୍ଟ, ପଦଚାରୀ ପେଟ୍ରୋଲିଂ, ନାକାବନ୍ଦୀ ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଉଛି। ପୁରୀକୁ ଏକ ସୁନ୍ଦର, ସୁରକ୍ଷିତ ଓ ଆତ୍ମିୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।
