ଗୋପ ସମବାୟ ସମିତିରେ ବେଆଇନ ନିଯୁକ୍ତି: ଏଆରସିଏସ୍ ଚିଠି

ପୁରୀ : ଗୋପ ସେବା ସମବାୟ ସମିତି ଲିମିଟେଡ୍‌ରେ ପିଅନ୍ ନିଯୁକ୍ତିକୁ ନେଇ ଗୁରୁତର ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଛି। ସେ ସମୟର ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୁପାରିଶରେ ମେରିଟ୍ ତାଲିକାକୁ ଅଣଦେଖା କରି ବେଆଇନ ଭାବେ ପିଅନ୍ ନିଯୁକ୍ତି କରାଯାଇଥିବା କଥା ସରକାରୀ ଚିଠି ଓ ତଦନ୍ତ ରିପୋର୍ଟ୍‌ରୁ ସ୍ପଷ୍ଟ ହେଉଛି। ପୁରୀ ସର୍କଲ୍‌ର ଏସିଷ୍ଟାଣ୍ଟ୍ ରେଜିଷ୍ଟ୍ରାର୍ ଅଫ୍ କୋ-ଅପେରେଟିଭ୍ ସୋସାଇଟିଜ୍ଙ୍କ ଚିଠି ନଂ–୩୦୧୩ (ତା. ୧୧/୧୨/୨୦୨୪) ଅନୁସାରେ, ୨୮ ଜୁଲାଇ ୨୦୨୧ରେ ମନ୍ତ୍ରୀଙ୍କ ସୁପାରିଶ ଆଧାରରେ ଅନୁପ୍ରିୟା ବେହେରାଙ୍କୁ ଦୈନିକ ମଜୁରୀ ଭିତ୍ତିରେ ପିଅନ୍ ପଦବୀରେ ନିଯୁକ୍ତ କରାଯାଇଥିଲା। ସେ ସମୟରେ ଗଣଶିକ୍ଷା ମନ୍ତ୍ରୀ ଥିଲେ ସମୀର ରଞ୍ଜନ ଦାଶ। ଏହି ମାମଲାକୁ ନେଇ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ (ଲୁଲୁ) ଅଭିଯୋଗ କରି କହିଛନ୍ତି ଯେ, ସରକାରୀ ନୀତି-ନିୟମକୁ ଫୁ କରି କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସହ ମିଳିତ ଉଦ୍ୟମରେ ମନମୁଖୀ ଭାବେ ଏହି ବେଆଇନ ନିଯୁକ୍ତି କରାଯାଇଛି। ନିମାପଡ଼ା ଓ ଗୋପ ଅଞ୍ଚଳ ସେ ସମୟରେ ଦୁର୍ନୀତିର କେନ୍ଦ୍ରବିନ୍ଦୁରେ ପରିଣତ ହୋଇଥିଲା ବୋଲି ସେ କହିଛନ୍ତି। ପ୍ରଶାନ୍ତ ସ୍ୱାଇଁ ଆହୁରି କହିଛନ୍ତି ଯେ, ଓଡ଼ିଶା ସବୋର୍ଡିନେଟ୍ କୋ-ଅପେରେଟିଭ୍ ସର୍ଭିସ୍ ନିୟମାବଳୀ–୧୯୯୨ ଅନୁଯାୟୀ ମେରିଟ୍ ଆଧାରରେ ନିଯୁକ୍ତି ହେବା କଥା ଥିଲା। ମେରିଟ୍ ତାଲିକାରେ ପ୍ରଥମ ସ୍ଥାନରେ ଥିବା ଝୁନୁଲତା ଦାସଙ୍କୁ ବଞ୍ଚିତ କରି ମନ୍ତ୍ରୀଙ୍କ ସୁପାରିଶରେ ନିଯୁକ୍ତି କରାଯାଇଥିବା କଥା ତଦନ୍ତ ରିପୋର୍ଟ୍‌ରେ ଉଲ୍ଲେଖ ରହିଛି। ଏହି ମାମଲାକୁ ନେଇ ଓଡ଼ିଶା ହାଇକୋର୍ଟରେ ଡବ୍ଲୁ.ପି .(ସି) ନଂ. ୩୩୫୬/୨୦୨୧ ରିଟ୍ ପିଟିସନ୍ ଦାଖଲ ହୋଇଥିବା ବେଳେ, ସରକାରୀ ଦଲିଲ ସାମ୍ନାକୁ ଆସିବା ପରେ ଉଚ୍ଚସ୍ତରୀୟ ତଦନ୍ତ ଦାବି ଜୋର୍ ଧରିଛି।

ଏହା ସହ ପ୍ରଶାନ୍ତ ସ୍ୱାଇଁ ଶେଷ ଥର ପାଇଁ ରେଜିଷ୍ଟ୍ରାର୍ ଅଫ୍ କୋ-ଅପେରେଟିଭ୍ ସୋସାଇଟିଜ୍, ଓଡ଼ିଶାଙ୍କୁ ଚିଠି ଲେଖି ବେଆଇନ ନିଯୁକ୍ତି ବାତିଲ୍, ମେରିଟ୍ ଆଧାରରେ ନିଯୁକ୍ତି ଏବଂ ଦୁର୍ନୀତିରେ ଜଡିତ ଅଧିକାରୀ ଓ ସୁପାରିଶକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବର୍ତ୍ତମାନ ସମୀର ରଞ୍ଜନ ଦାଶ ବିଜେପିରେ ଯୋଗ ଦେଇଥିବାରୁ ଏହି ମାମଲାକୁ ନେଇ ରାଜନୈତିକ ମହଲରେ ଆଲୋଡ଼ନ ବଢ଼ିଛି। ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ (ଲୁଲୁ) ଅଭିଯୋଗ କରି କହିଛନ୍ତି,“ଏହି ଚିଠି ଓ ତଦନ୍ତ ରିପୋର୍ଟ୍‌ରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ସରକାରୀ ନୀତି-ନିୟମକୁ ଫୁ କରି ଦୁର୍ନୀତିଗ୍ରସ୍ତ କିଛି ଅଧିକାରୀଙ୍କ ସହ ମିଳିତ ଉଦ୍ୟମରେ ମନମୁଖୀ ଭାବେ ଅସାଧୁ କାର୍ଯ୍ୟ କରାଯାଇଛି। ନିମାପଡ଼ା ଓ ଗୋପ ଅଞ୍ଚଳ ସେ ସମୟରେ ଦୁର୍ନୀତିର ପାହାଡ଼ରେ ପରିଣତ ହୋଇଥିଲା।” ସ୍ୱାଇଁ ଆହୁରି ଦାବି କରିଛନ୍ତି ଯେ, ସମୀର ରଞ୍ଜନ ଦାଶଙ୍କ ସୁପାରିଶରେ ଏହି ବେଆଇନ ନିଯୁକ୍ତି କରାଯାଇଥିବା କଥା ତଦନ୍ତ ରିପୋର୍ଟ୍‌ରେ ସ୍ପଷ୍ଟ ହୋଇଛି। “ଏହା କେବଳ ଗୋଟିଏ ନିଯୁକ୍ତି ର କଥା ନୁହେଁ, ସମବାୟ ବ୍ୟବସ୍ଥାକୁ ଦୁର୍ନୀତିରେ ବୁଡାଇବାର ଯେଉଁ ପ୍ରକ୍ରିୟା ବିଜେଡ଼ି କରିଥିଲା ଏହା ତାର ଏକ ଉଦାହରଣ,” ସେ କହିଛନ୍ତି।
ବର୍ତ୍ତମାନ ସମୀର ରଞ୍ଜନ ଦାଶ ବିଜେପିରେ ଯୋଗ ଦେଇଥିବା ପ୍ରସଙ୍ଗରେ ପ୍ରଶାନ୍ତ ସ୍ୱାଇଁ ଦଳୀୟ ସଂଗଠନ ସ୍ତରରେ ଦୃଢ଼ ଭାବେ ଦାବି କରିଆସୁଛନ୍ତି ଯେ, “ଏପରି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନେ ଯଦି ପ୍ରମାଣିତ ହୁଅନ୍ତି, ତେବେ ସେମାନଙ୍କୁ ଦଳରୁ ତୁରନ୍ତ ବାହାର କରାଯିବା ଉଚିତ୍। ବିଜେପି କେବେ ମଧ୍ୟ ଦୁର୍ନୀତି ସହ ବୁଝାମଣା କରେନାହିଁ।” ସମବାୟ କ୍ଷେତ୍ରରେ ମେରିଟ୍ ଓ ସ୍ୱଚ୍ଛତା ପୁନଃସ୍ଥାପନ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ଜୋର୍ ଧରିଛି।

Share the News .....

Leave a Reply

Your email address will not be published. Required fields are marked *