ଦଲାଲ ଓ ମିଲରଙ୍କ ଅନଧିକୃତ ହସ୍ତକ୍ଷେପ ଏବେ ଚାଷୀମାନଙ୍କ ପାଇଁ ଗଭୀର ସମସ୍ୟା

ଗୋପ : ଓଡ଼ିଶାରେ ଧାନ କ୍ରୟ ପ୍ରଣାଳୀକୁ ପାରଦର୍ଶୀ କରିବା ପାଇଁ ସରକାର ଡିଜିଟାଲ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ମଧ୍ୟ, ବାସ୍ତବସ୍ତରରେ ମଧ୍ୟସ୍ଥ, ଦଲାଲ ଓ ମିଲରଙ୍କ ଅନଧିକୃତ ହସ୍ତକ୍ଷେପ ଏବେ ମଧ୍ୟ ଚାଷୀମାନଙ୍କ ପାଇଁ ଗଭୀର ସମସ୍ୟା ହୋଇ ରହିଛି। ‘କଟଣି-ଛଟଣି’ ନାମରେ ଚାଷୀଙ୍କ ଧାନରୁ ଅନୈତିକ ଉପାୟରେ କଟଣୀ ହେଉଥିବାରୁ ଚାଷୀମାନେ ପୂର୍ଣ୍ଣ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ଅବସ୍ଥାର ସ୍ଥାୟୀ ସମାଧାନ ପାଇଁ ବିଜେପି କୃଷକ ମୋର୍ଚ୍ଚାର ଓଡ଼ିଶା ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁ (ଲୁଲୁ) ମୁଖ୍ୟ ସଚିବଙ୍କ ନିକଟରେ ଏକ ନୀତିଗତ ପ୍ରସ୍ତାବ ଦାଖଲ କରିଛନ୍ତି। ତାଙ୍କ ମୂଖ୍ୟ ଦାବି—ଧାନ କ୍ରୟ ପ୍ରକ୍ରିୟାରୁ ମଧ୍ୟସ୍ଥଙ୍କୁ ସମ୍ପୂର୍ଣ୍ଣ ହଟାଇ ଚାଷୀ ଉତ୍ପାଦକ ସଂଗଠନ (ଏଫପିଓ )ମାନଙ୍କୁ ସିଧାସଳଖ ଧାନ କିଣା ଓ ଚାଉଳ ମିଲ୍ ପରିଚାଳନାର ଦାୟିତ୍ୱ ଦିଆଯାଉ। ବାସ୍ତବିକ କ୍ଷେତ୍ରରେ ସୂଚନା ଅନୁଯାୟୀ, ରାଜ୍ୟର ଅନେକ ଧାନ ଉତ୍ପାଦକ ଜିଲ୍ଲାରେ ଚାଷୀମାନେ ପ୍ରତି କ୍ୱିଣ୍ଟାଲ୍ ଧାନରୁ ୬ରୁ ୧୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଅନଧିକୃତ କଟଣୀର ଶିକାର ହେଉଛନ୍ତି। ଏହାର ଫଳରେ ପ୍ରତି କ୍ୱିଣ୍ଟାଲ୍ ଧାନରେ ୧୩୮ରୁ ୨୩୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ କ୍ଷତି ହେଉଛି। ଖରିଫ ମାର୍କେଟିଂ ଋତୁ ୨୦୨୪-୨୫ ପାଇଁ ସର୍ବ ନିମ୍ନ ସହାୟକ ମୂଲ୍ୟ ୨,୩୦୦ ଟଙ୍କା ଓ ରାଜ୍ୟ ସହାୟତା ୮୦୦ ଟଙ୍କା ଥିବା ସତ୍ତ୍ୱେ, ଛୋଟ, ସୀମାନ୍ତ ଓ ଭାଗଚାଷୀମାନେ ମଧ୍ୟସ୍ଥଙ୍କ ଚାପରେ ସର୍ବମାନ୍ୟ ସହାୟକ ମୂଲ୍ୟ ଠାରୁ କମ୍ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ଶ୍ରୀ ସ୍ୱାଇଁ କହିଛନ୍ତି, “ଚାଷୀ ଉତ୍ପାଦକ ସଂଗଠନ ମାନେ ହେଉଛନ୍ତି ଚାଷୀଙ୍କ ନିଜସ୍ୱ ସଂଗଠନ। ସେମାନଙ୍କୁ ଧାନ କ୍ରୟ ଓ ମିଲ୍ ପରିଚାଳନାର ଅଧିକାର ଦିଆଗଲେ ମଧ୍ୟସ୍ଥ ଆପେଆପେ ହଟିଯିବେ। ଚାଷୀ ପୂର୍ଣ୍ଣ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବେ, ଚାଉଳ ଓ ଉତ୍ପାଦକ ରୁ ଅତିରିକ୍ତ ଆୟ ହେବ ଏବଂ ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି ହେବ।” ସରକାରଙ୍କ ଦ୍ୱାରା ୫୦୦ଟି ନୂଆ ଚାଉଳ ମିଲ୍ ସ୍ଥାପନର ଘୋଷଣାକୁ ସେ ଏକ ଐତିହାସିକ ସୁଯୋଗ ବୋଲି ଉଲ୍ଲେଖ କରି, ଏହି ମିଲ ଗୁଡ଼ିକୁ ଚାଷୀ ଉତ୍ପାଦକ ସଂଗଠନ ମାନଙ୍କ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। ଏହା ଚାଷୀମାନଙ୍କୁ ମଧ୍ୟସ୍ଥ ନିର୍ଭରତାରୁ ମୁକ୍ତ କରି ଆର୍ଥିକ ସ୍ୱାଧୀନତା ଦିଗରେ ଏକ ବଡ଼ ପଦକ୍ଷେପ ହେବ। “ଚାଷୀଙ୍କ ଝାଳ ବୁହା ପରିଶ୍ରମରେ ଉତ୍ପାଦିତ ଧାନରୁ ମଧ୍ୟସ୍ଥଙ୍କ ଲାଭ ଆର୍ଜନ ବନ୍ଦ୍ ହେବା ଉଚିତ୍। ଚାଷୀ ଉତ୍ପାଦକ ସଂଗଠନ ମାନଙ୍କୁ ସଶକ୍ତ କରିଲେ ହିଁ ଧାନ କ୍ରୟରେ ସତ୍ୟ ସଂସ୍କାର ସମ୍ଭବ,” । ଖରିଫ ମାର୍କେଟିଂ ଋତୁ ୨୦୨୬-୨୭ ପୂର୍ବରୁ ଏହି ଚାଷୀ ଉତ୍ପାଦକ ସଂଗଠନ-ଆଧାରିତ ଧାନ କ୍ରୟ ମଡେଲ୍ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟ ସଚିବ ସ୍ତରରେ ତୁରନ୍ତ ଆଲୋଚନା ଓ ନୀତିଗତ ନିଷ୍ପତ୍ତି ନେବାକୁ ସେ ଦାବି କରିଛନ୍ତି। ଚାଷୀ ସଂଗଠନମାନେ ଏହି ପ୍ରସ୍ତାବକୁ ସ୍ୱାଗତ କରି ସରକାରଙ୍କୁ ଶୀଘ୍ର ନିଷ୍ପତ୍ତି ନେବା ପାଇଁ ଆହ୍ୱାନ କରିଛନ୍ତି। ଏହି ସଂସ୍କାର କାର୍ଯ୍ୟକାରୀ ହେଲେ ଓଡ଼ିଶା ଦେଶରେ ଚାଷୀ ଉତ୍ପାଦକ ସଂଗଠନ-ଆଧାରିତ ଧାନ କ୍ରୟ ଓ ଚାଉଳ ଉତ୍ପାଦନର ଏକ ଆଦର୍ଶ ରାଜ୍ୟ ଭାବେ ପରିଚିତ ହେବ ବୋଲି ଆଶା ପ୍ରକାଶ ପାଇଛି।

Share the News .....

Leave a Reply

Your email address will not be published. Required fields are marked *