ଗୋପ ସାଗର ସ୍ନାନ ମେଳଣ ଆରମ୍ଭ: ୨୦୦ ବର୍ଷର ପରମ୍ପରାରେ ଭକ୍ତି ଓ ଏକତାର ମହାମିଳନ

ଗୋପ : ପୁରୀ ଜିଲ୍ଲାର ଗୋପ ଅଞ୍ଚଳରେ ପ୍ରସିଦ୍ଧ ଶ୍ରୀଗୋପାଳଜୀଉଙ୍କ ସାଗର ସ୍ନାନ ମେଳଣ ମଙ୍ଗଳବାର ଦିନ ଭବ୍ୟ ଭାବେ ଆରମ୍ଭ ହୋଇଛି। ପ୍ରାୟ ୨୦୦ ବର୍ଷର ଐତିହ୍ୟ ବୋହି ଆସୁଥିବା ଏହି ପରମ୍ପରା ପୁରୀ ଜିଲ୍ଲାର ସର୍ବପୁରାତନ ଲୋକଉତ୍ସବମାନଙ୍କ ମଧ୍ୟରୁ ଗୋଟିଏ ବୋଲି ପରିଚିତ। ମଙ୍ଗଳବାର ରାତିରୁ ଗୋପ ଥାନା ପରିସରରେ ବିଭିନ୍ନ ଗ୍ରାମରୁ ଆସିଥିବା ଦୋଳ ଠାକୁରମାନଙ୍କ ସମାଗମ ହୋଇଥିଲା। ପରେ ଶୋଭାଯାତ୍ରାରେ ପ୍ରାୟ ୩୦ଟି ଦୋଳ ଠାକୁର ମେଳଣ ପଡ଼ିଆ ଅଭିମୁଖେ ବିଜେ କରିଥିଲେ। ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ଭକ୍ତିମୟ ପରିବେଶରେ ଏହି ଯାତ୍ରା ଅଞ୍ଚଳକୁ ଉତ୍ସବମୁଖର କରିଥିଲା। ଗୋପ ସାଗର ସ୍ନାନ ମେଳଣ କମିଟି ପକ୍ଷରୁ ସପ୍ତାହବ୍ୟାପୀ ‘ଗୋପ ଲୋକ ଉତ୍ସବ’ର ଆୟୋଜନ କରାଯାଇଛି। ବୁଧବାର ସନ୍ଧ୍ୟାରେ ଏହାର ଉଦଘାଟନ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ହୋଇଥିଲା। ଏହି ଅବସରରେ ଅଞ୍ଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏବର୍ଷର ମେଳଣର ବିଶେଷ ଆକର୍ଷଣ ହେଲା—ଦୀର୍ଘ ବର୍ଷ ପରେ କୁଶୁପୁର ଗ୍ରାମର ଶ୍ରୀ ରଘୁନାଥଜୀଉଙ୍କ ଭାଇ ଗୋପାଳଜୀଉଙ୍କ ସହ ମିଳନ ଓ ବିଜେ। ଗୋପ ଦାଣ୍ଡରେ ଧୂଳି ଉଡ଼ାଇ ଏହି ଐତିହ୍ୟମୟ ଦୃଶ୍ୟ ଦେଖିବାକୁ ଭକ୍ତମାନଙ୍କ ଭିଡ଼ ଜମିଥିଲା। ଉଭୟ ଦୋଳକୁ ଶୃଙ୍ଖଳାବଦ୍ଧ ଭାବେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସ୍ଵାଇଁ (ଲୁଲୁ) ସାଗର ସ୍ନାନ ମଣ୍ଡପରେ ଅଧିଷ୍ଠାପିତ କରାଇବାରେ ସଫଳ ହୋଇ ଥିଲେ। ମେଳଣ କମିଟି ସଭାପତି ଓ ଗୋପ ଥାନା ଭାରପ୍ରାପ୍ତ ଅଧିକାରୀ ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ନେତୃତ୍ୱରେ ସମଗ୍ର ଆୟୋଜନ ଶାନ୍ତି ଓ ଶୃଙ୍ଖଳାରେ ଚାଲିଛି। ସାଂସଦ ପ୍ରତିନିଧି ସୁଶାନ୍ତ ସ୍ୱାଇଁ କହିଛନ୍ତି ଯେ, “ଏହି ଏକତା ଓ ଭକ୍ତିଭାବ ଆମ ଗ୍ରାମୀଣ ସଂସ୍କୃତିର ପରିଚୟ, ଯାହାକୁ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ କରିବା ଆବଶ୍ୟକ।” ଗୋପ ସାଗର ସ୍ନାନ ମେଳଣ କେବଳ ଧାର୍ମିକ ଆଚାର ନୁହେଁ, ବରଂ ସାମ୍ପ୍ରଦାୟିକ ସମନ୍ୱୟ ଓ ଗ୍ରାମୀଣ ଏକତାର ଜୀବନ୍ତ ଉଦାହରଣ। ହିନ୍ଦୁ-ମୁସଲିମ ସମ୍ପ୍ରୀତିର ସନ୍ଦେଶ ଦେଇ ଆସୁଥିବା ଏହି ପରମ୍ପରା ଓଡ଼ିଶାର ଲୋକସଂସ୍କୃତିକୁ ଆଜି ମଧ୍ୟ ସମୃଦ୍ଧ କରୁଛି। ସ୍ଥାନୀୟ ପ୍ରଶାସନ ଓ ମେଳଣ କମିଟିର ସହଯୋଗରେ ଏହି ପ୍ରାଚୀନ ପରମ୍ପରାକୁ ସୁରକ୍ଷିତ ରଖିବା ସହ ଏହାର ଗୌରବକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାକୁ ପ୍ରୟାସ ଜାରି ରହିଛି।

Share the News .....

Leave a Reply

Your email address will not be published. Required fields are marked *