ସଂପର୍କ ପକ୍ଷରୁ ସୁରକ୍ଷିତ ନିବେଶ ଓ ସାଇବର ସୁରକ୍ଷା ସଚେତନତା ଶିବିର ଆୟୋଜିତ

ପୁରୀ : ବର୍ତ୍ତମାନ ଡିଜିଟାଲ ଯୁଗରେ ଆର୍ଥିକ କାରବାର ଓ ଅନଲାଇନ ବ୍ୟବସାୟରେ ବ୍ୟାପକ ବୃଦ୍ଧି ସହିତ ସାଇବର ଅପରାଧ ଓ ଆର୍ଥିକ ଠକେଇର ଘଟଣାମାନ ମଧ୍ୟ ଦ୍ରୁତ ହାରେ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କୁ ସଚେତନ କରିବା ଏବଂ ସୁରକ୍ଷିତ ଆର୍ଥିକ ବ୍ୟବହାର ପ୍ରତି ଜାଗୃତ କରିବା ନିମନ୍ତେ “ସଂପର୍କ” ପକ୍ଷରୁ “ଦି ୱେଲଥ କମ୍ପାନୀ”ର ସହଯୋଗରେ ସ୍ଥାନୀୟ ସଂସ୍କୃତି ଭବନଠାରେ ଏକ ବ୍ୟାପକ “ସୁରକ୍ଷିତ ନିବେଶ ଓ ସାଇବର ସୁରକ୍ଷା ସଚେତନତା ଶିବିର” ଆୟୋଜିତ ହୋଇଥିଲା। ଏହି ଶିବିରରେ ବିଭିନ୍ନ ବର୍ଗର ଲୋକମାନଙ୍କ ସହ ଛାତ୍ରଛାତ୍ରୀମାନଙ୍କ ଉଲ୍ଲେଖନୀୟ ଉପସ୍ଥିତି ଦେଖିବାକୁ ମିଳିଥିଲା।କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କୁ ଅଭିନନ୍ଦନ ଓ ସ୍ୱାଗତ କରାଯାଇଥିଲା ଏବଂ ସଚେତନତା ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ର ଅବସରପ୍ରାପ୍ତ ବରିଷ୍ଠ ପ୍ରବନ୍ଧକ ଅରବିନ୍ଦ ଶତପଥୀ ମତ ରଖିଥିଲେ। ଏହି ଶିବିରର ମୂଳ ଲକ୍ଷ୍ୟ ଥିଲା ଲୋକମାନଙ୍କୁ ନିଜ ଆର୍ଥିକ ସଂସାଧନକୁ କିପରି ସୁରକ୍ଷିତ ଭାବରେ ବିନିଯୋଗ କରିବେ, ଏବଂ ଅନଲାଇନ ମାଧ୍ୟମରେ ଘଟୁଥିବା ବିଭିନ୍ନ ପ୍ରକାର ଠକେଇରୁ କିପରି ସତର୍କ ରହିବେ ।

“ଦି ୱେଲଥ କମ୍ପାନୀ”ର ଅଧ୍ୟକ୍ଷ ସୁଶ୍ରୀ ମଧୁ ଲୁନାୱାତ୍ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆଜିର ଯୁଗରେ ସଠିକ ନିବେଶ ନିଷ୍ପତ୍ତି ନେବା ଅତ୍ୟନ୍ତ ଜରୁରୀ। ସେ କହିଥିଲେ ଯେ ଲୋକମାନେ ଅଜଣା ଓ ଅବିଶ୍ୱସନୀୟ ଯୋଜନାରେ ଧନ ବିନିଯୋଗ କରିବାରୁ ବିରତ ରହିବା ଉଚିତ ଏବଂ ସବୁବେଳେ ସରକାରୀ ନିୟମ ଅନୁଯାୟୀ ନିବେଶ ପ୍ରଣାଳୀକୁ ବାଛିବା ଦରକାର। ସେ ଏହା ମଧ୍ୟ କହିଥିଲେ ଯେ ଆର୍ଥିକ ସାକ୍ଷରତା ବୃଦ୍ଧି ପାଇଁ ଏପରି ସଚେତନତା କାର୍ଯ୍ୟକ୍ରମ ର ବହୁତ ଆବଶ୍ୟକତା ରହିଛି।ସାଇବର ସୁରକ୍ଷା ବିଶେଷଜ୍ଞ ଶ୍ରୀ ଲିଙ୍ଗରାଜ ସେଠୀ ତାଙ୍କ ଉପସ୍ଥାପନାରେ ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ସାଇବର ଅପରାଧ ଯଥା ଫିସିଂ, OTP ଠକେଇ, ଭୁଲ କଲ୍ ଓ ଲିଙ୍କ ମାଧ୍ୟମରେ ହେଉଥିବା ଠକେଇ ବିଷୟରେ ଉଦାହରଣ ସହ ଅଲୋଚନା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଅନଲାଇନ ସମୟରେ ସତର୍କ ରହିବା, ନିଜର OTP, ପାସୱାର୍ଡ ଓ ବ୍ୟକ୍ତିଗତ ତଥ୍ୟ କାହାକୁ ମଧ୍ୟ ନ ଦେବା ଅତ୍ୟନ୍ତ ଜରୁରୀ। ବିଶେଷକରି ବରିଷ୍ଠ ନାଗରିକମାନେ ଏହି ପ୍ରକାର ଠକେଇରେ ସହଜରେ ପଡ଼ୁଥିବାରୁ ଭାରତ ରେ ହୋଇଥିବା ବଡ ବଡ ସାଇବର ଅପରାଧ ର ଉଦାହରଣ ଦେଇ ସେମାନଙ୍କ ପାଇଁ ବିଶେଷ ସଚେତନତା ଆବଶ୍ୟକ ବୋଲି ସେ ମତ ରଖିଥିଲେ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପ୍ରାକ୍ତନ ପ୍ରଶାସକ ପଦ୍ମନାଭ ପଣ୍ଡା, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ବରିଷ୍ଠ ନାଗରିକ ମଞ୍ଚ ର ସନ୍ତୋଷ କୁମାର ମହାନ୍ତି, ଲିଙ୍ଗରାଜ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିବାବେଳେ ଅବସର ପ୍ରାପ୍ତ ବ୍ୟାଙ୍କ୍ଅଧିକାରୀ ହରପ୍ରସାଦ ମହାପାତ୍ର, ଅବସର ପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରି ପ୍ରମୋଦ କୁମାର ମହାନ୍ତି,ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅଭିମନ୍ୟୁ ଭୂୟାଁ ,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ପ୍ରାନ୍ତୀୟ ସଦ୍ଭାବନା ପ୍ରମୁଖ ରାଜ୍ କିଶୋର ସାହୁ,ପ୍ରାନ୍ତୀୟ ସେବା ସଂଯୋଜକ ଶାନ୍ତନୁ କୁମାର ମାଝୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋଜ କୁମାର ସାମନ୍ତରାୟ , ଜୟନ୍ତୀ ମହାପାତ୍ର, ସର୍ବେଶ୍ୱର ବିଶୋଇ,ପ୍ରଦୀପ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ।ସଂପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଏବଂ ସଂଗଠନର କାର୍ଯ୍ୟକଳାପ ଓ ଲକ୍ଷ୍ୟ ସମ୍ପର୍କରେ ଅତିଥିମାନଙ୍କୁ ଅବଗତ କରାଇଥିଲେ। ସେ କହିଥିଲେ ଯେ ସଂପର୍କ ଆଗାମୀ ଦିନରେ ମଧ୍ୟ ଏପରି ସଚେତନତା ଶିବିର ଆୟୋଜନ କରି ସମାଜକୁ ସୁରକ୍ଷିତ ଓ ସଚେତନ କରିବାରେ ନିରନ୍ତର ପ୍ରୟାସ କରିବ।ଏହି ଅବସରରେ ପୁରୀର ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପୁରୀ କ୍ୟାମ୍ପସ, ମହିଳା ମହାବିଦ୍ୟାଳୟ ଏବଂ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ମୋଟ ୯୨୬ ଜଣ ଛାତ୍ରଛାତ୍ରୀ ସାଇବର ସୁରକ୍ଷା ବିଷୟରେ ଇଣ୍ଟର୍ନସିପ୍ କରିଥିବା ସୂଚନା ଦିଆଯାଇଥିଲା। ଯୁବପିଢ଼ୀଙ୍କ ମଧ୍ୟରେ ସାଇବର ସୁରକ୍ଷା ପ୍ରତି ରୁଚି ବୃଦ୍ଧି ପାଉଥିବା ଏକ ଶୁଭ ସଙ୍କେତ ବୋଲି ମନ୍ତବ୍ୟ ରଖାଯାଇଥିଲା। ଗଣ୍ୟମାନ୍ୟ ଅତିଥିମାନେ ଉପସ୍ଥିତ ରହି ସଂପର୍କ ର ଏହି ପ୍ରୟାସକୁ ସ୍ୱାଗତ କରିଥିଲେ। ଶେଷରେ ରାକେଶ କୁମାର ବାରିକ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।ଶୁଭ ପ୍ରସାଦ ଶର୍ମା,ବିଶ୍ୱଜିତ୍ ମିଶ୍ର,ବାସୁଦେବ ସେନାପତି,ରାକେଶ କୁମାର ସେଠୀ, ମିଲିମଣି ଘଟୁଆରୀ ଆଲୋକ,ସୁନିଲ ମହାପାତ୍ର,ଆଶୁତୋଷ ସ୍ୱାଇଁ,ସରୋଜ ଦାସ,ଦିବ୍ୟଦ୍ଵିତି ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
