ବଡଦାଣ୍ଡରେ ପୁରୀ ପୁଲିସଦ୍ୱାରା ୱାକଥନ ମାଧ୍ୟମରେ ସାଇବର ସଚେତନତା

ପୁରୀ : ଶନିବାର ସକାଳ ୭ଟାରେ ପୁରୀ ପୁଲିସ ପକ୍ଷରୁ ସାଇବର ସଚେତନତା ଅଭିଯାନର ଅଂଶ ଭାବେ ଗୋଟିଏ ବିଶେଷ “ୱାକଥନ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ୱାକଥନ୍ ଗୁଣ୍ଡିଚା ମନ୍ଦିର ଠାରୁ ଆରମ୍ଭହୋଇ ଟାଉନ୍  ଥାନା ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ପୁରୀସଦର ବିଧାୟକ ଶ୍ରୀ ସୁନିଲ ମହାନ୍ତି ଓ ପୁରୀର ଏସ.ପି. ଶ୍ରୀ ପ୍ରତୀକ ସିଂହ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ, ଅତିରିକ୍ତ ଏସ୍‌ପି ଶ୍ରୀ ସୁଶିଲ କୁମାର ମିଶ୍ର, ଅତିରିକ୍ତ ଏସ୍‌ପି ଶ୍ରୀ ସଚିନ ପଟେଲ, ଅତିରିକ୍ତ ଏସ୍‌ପି ଶ୍ରୀ ସୌମ୍ୟରଞ୍ଜନ ମଲ୍ଲିକ, ଡି‌ଏସ୍‌ପି ସଦର ଶ୍ରୀ ରବିନାରାୟଣ ଭଞ୍ଜ, କୁମ୍ଭରପଡା ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସାହୁ, ଟାଉନ୍ ଥାନା ଅଧିକାରୀଶ୍ରୀ ଗୋକୁଳ ରଞ୍ଜନ ଦାସ, ସାଇବର ଥାନା ଅଧିକାରୀ ଶ୍ରୀମତୀ ସଂଘମିତ୍ରା ନାୟକ, ଆରଆଇ ଶ୍ରୀ ଚିତ୍ତରଞ୍ଜନ ମହାନ୍ତି, ଏବଂ ଇନ୍ସପେକ୍ଟର ଶ୍ରୀ ବସୁଦେବ ପାଣିଗ୍ରାହୀ। ଏହି ୱାକଥନ୍‌ରେ ୫୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ବହୁ ସଂଖ୍ୟକ ବିଦ୍ୟାଳୟର ଛାତ୍ରଛାତ୍ରୀ, ସାମ୍ବାଦିକ,  ସେବାୟତ, ସ୍ଥାନୀୟ ନାଗରିକ ଓ ଜଗନ୍ନାଥ ମନ୍ଦିରକୁ ଆସିଥିବା ଭକ୍ତମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାଇବର ଠକେଇ ସମ୍ବନ୍ଧରେ ସଚେତନ ହୋଇଥିଲେ। ପୁରୀ ପୁଲିସ ଏହି ୱାକଥନ୍ ମାଧ୍ୟମରେ ଭକ୍ତ ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ସାଇବର ଅପରାଧ ସମ୍ପର୍କିତ ଅନେକ ବିଷୟ ଉପସ୍ଥାପନ କରିଥିଲେ। ଲୋକମାନେ “ସାଇବର ସଚେତନ ହୁଅନ୍ତୁ, ଠକାମୀର ଶିକାରରୁ ବଞ୍ଚନ୍ତୁ” ଭାବରେ ସ୍ଲୋଗାନ ଦେଇ ବଡ ଦାଣ୍ଡରେ ପଦଯାତ୍ରା କରିଥିଲେ।

ପୁରୀର ଏସ.ପି ଶ୍ରୀ ପ୍ରତୀକ ସିଂହ ନିଜର ବକ୍ତବ୍ୟରେ କହିଥିଲେ ଯେ “ପୁରୀକୁ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କୁ ସାଇବର ଠକିବା ବିଷୟରେ ସଚେତନ କରିବା ଆଜିର ଏହି ୱାକଥନ୍‌ର ଉଦ୍ଦେଶ୍ୟ । ଜଗନ୍ନାଥ ଧାମର ବଡ ଦାଣ୍ଡ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ଜାଣିବାକୁ ଦିଆଯାଇଛି ଯେ, ସଚେତନତା ହିଁ ସାଇବର ଠକିବା ବିରୋଧରେ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର। ପୁରୀ ପୁଲିସ ସଦା ଜନସାଧାରଣଙ୍କ ସହ ଥିଲା ଓ ରହିବ, ଯେଉଁଠି ଡିଜିଟାଲ ଦୁନିଆରେ ନିଜ ସୁରକ୍ଷା ପାଇଁ ଲୋକମାନେ ଅଧିକ ସଚେତନ ହେଵା ଆବଶ୍ୟକ। ଅଜଣା ଫୋନ କଲ୍, ଲିଙ୍କ କିମ୍ବା ମେସେଜରେ ବିଶ୍ୱାସ କରନ୍ତୁ ନାହିଁ। OTP, ବ୍ୟାଙ୍କ ତଥ୍ୟ କାହାକୁ ମଧ୍ୟ ଦିଅନ୍ତୁ ନାହିଁ। ଅନଲାଇନ୍ ଠକାମୀର ଶିକାର ହେଲେ ସାଇବର ହେଲ୍ପଲାଇନ୍ ନମ୍ବର ୧୯୩୦ / 82804 91300 ରେ ଯୋଗାଯୋଗ କରନ୍ତୁ। ସୋସିଆଲ ମିଡିଆରେ ନକଲି ଆକାଉଣ୍ଟ କିମ୍ବା ସନ୍ଦିଗ୍ଧ ପୋଷ୍ଟ ଦେଖିଲେ ତୁରନ୍ତ ନିକଟସ୍ଥ ଥାନା ରେ ରିପୋର୍ଟ କରନ୍ତୁ। “ସଚେତନତା ହିଁ ସୁରକ୍ଷା” ଏହି ମନ୍ତ୍ରକୁ ସମସ୍ତେ ଅନୁସରଣ କରିବା ଉଚିତ୍।”

Share the News .....

Leave a Reply

Your email address will not be published. Required fields are marked *