କେନ୍ଦ୍ର ସରକାରୀ ଅବସର ପ୍ରାପ୍ତ କର୍ମଚାରୀ ସଂଘର ବର୍ଷାନ୍ତ ଅଧିବେଶନ

ପୁରୀ : ପୁରୀ ଜିଲ୍ଲାର କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ବର୍ଷାନ୍ତ ଅଧିବେଶନ ସ୍ଥାନୀୟ ସେନାପତି ବଗିଚା ଠାରେ ଶନିବାରଦିନ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ଅଧିବେଶନରେ ସମ୍ପାଦକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଷଡ଼ଙ୍ଗୀ ଭାରତ ପେନସନର୍ ସମାଜ ତରଫରୁ ଆଗାମୀ ଡିସେମ୍ବର ତିନି ତାରିଖ ଦିନ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାଅଧିବେଶନ ସମ୍ପର୍କରେ ଆଲୋଚନା କରିଥିଲେ। ଅଷ୍ଟମ ବେତନ କମିଶନ ପେନସନ ଭୋଗୀମାନଙ୍କ ପ୍ରତିକୂଳ ସିଦ୍ଧାନ୍ତ ନେଲେ ,ଏହାର ବିରୋଧ କରିବାକୁ ସ୍ଥିର କରା ଯାଇଥିଲା। ସଂଘର ଉପଦେଷ୍ଟା ବିମଳ ପ୍ରସାଦ ମହାନ୍ତି ଓ ଲୋକନାଥ ମିଶ୍ର ଗଣମାଧ୍ୟମ ବିଶେଷଜ୍ଞ, ସଦସ୍ୟ ମାନସ ରଂଜନ ମହାପାତ୍ର, ସହାୟକ ସମ୍ପାଦକ ମନୋଜ କୁମାର ସାମଲ , କୋଷାଧ୍ୟକ୍ଷ କିଶୋର କୁମାର ପଟ୍ଟନାୟକ ଓ ଅନ୍ୟାନ୍ୟ ସଦସ୍ୟମାନେ ଆଲୋଚନାରେ ଭାଗ ନେଇଥିଲେ। ଭାରତର ଚାରିଧାମ ପରି ଶ୍ରୀଜଗନ୍ନାଥ ଧାମରେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହେଲଥସ୍କିମ୍ର ଚିକିତ୍ସାକେନ୍ଦ୍ର ତୁରନ୍ତ ସ୍ଥାପନ କରାଯିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ସ୍ଥିର କରାଗଲା। ସର୍ବଶେଷରେ ସଂଘର ଉପସଭାପତି ଦର୍ପେନ୍ଦ୍ର ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
