ବ୍ରହ୍ମଗିରିର ବିଶିଷ୍ଟ ଦୁଗ୍ଧ ଛେନା ବ୍ୟବସାୟୀ ଭରତ ବେହେରା ଆଉ ନାହାନ୍ତି

ବ୍ରହ୍ମଗିରି ୧୯/୦୨/୨୦୨୬ ବ୍ରହ୍ମଗିରିର ବିଶିଷ୍ଟ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ଯର ଲୋକପ୍ରିୟ ବ୍ୟବସାୟୀ ଭରତ ବେହେରାଙ୍କର ଗତକାଲି ୬୭ ବର୍ଷ ବୟସରେ ବିୟୋଗ ହୋଇଯାଇଛି। ହୃଦଘାତ ଜନିତ କାରଣରୁ ପୁରୀ ଜିଲ୍ଲା ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଛି।ବ୍ରହ୍ମଗିରିରେ ସର୍ବପ୍ରଥମ ଥର ପାଇଁଁ ଗୁଣାତ୍ମକ ଖିରା,ଛେନା,ମିଠା, ଜଳଖିଆ ଦୋକାନ କରି ସେ ବିଶେଷ ସଫଳତା ପ୍ରାପ୍ତ ହୋଇଥିଲେ ବ୍ରହ୍ମଗିରି ବଜାରରେ ସେ ଜଣେ ଖୁବ୍ ଜନପ୍ରିୟ ବ୍ୟବସାୟୀ ଭାବେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ।ଗୋପ ଛକ କହିଲେ ଅଶୀ ନବେ ଦଶକରେ ଭରତ ବେହେରାଙ୍କ ଖୀରା, ଛେନା, ସର,ରାବିଡି,ଜଳଖିଆ ଦୋକାନକୁ ଲୋକେ ବୁଝୁଥିଲେ। ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ ଭଣ୍ଡାରୀକୁଦା ଗାଁରେ ଗୋଟିଏ ସାଧାରଣ ଗରିବ ପରିବାରରେ ଜନ୍ମିତ ଭରତଙ୍କ ପିଲାଦିନ ଥିଲା ଖୁବ୍ ସଙ୍ଘର୍ଷମୟ। ମାତ୍ର ନିଜର କଠିନ ପରିଶ୍ରମ, କର୍ତ୍ତବ୍ୟବୋଧ ,ମଧୁର ବ୍ୟବହାର, ଲୋକଙ୍କୁ ଗଭୀର ଭାବେ ଭଲପାଇବା ଓ ଲକ୍ଷ୍ୟ ପଥରେ ସ୍ଥିରତା ଯୋଗୁଁ ସେ ବ୍ୟାବସାୟିକ ସଫଳତା ପାଇବା ସହିତ ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇପାରିଥିଲେ।ଏକଦା ଦିନ ଥିଲା ବ୍ରହ୍ମଗିରି ଥାନାରେ ତାଙ୍କର ଖୁବ୍ ପତିଆରା ଥିଲା। ଯେଉଁ କାମ ବିଧାୟକ, ଚେୟାରମେନ କିମ୍ବା ସରପଂଚ କରିପାରୁ ନଥିଲେ ଭରତ ବାବୁ ତାହା ଚୁଟକିରେ କରି ଦେଉଥିଲେ। ପରବର୍ତ୍ତୀ କାଳରେ ସେ ଅଲାରପୁରରେ ସ୍ଥାୟୀ ବାସିନ୍ଦା ହୋଇ ନିଜକୁ ଜଣେ ସଫଳ ବ୍ୟବସାୟୀ ଭାବେ ପ୍ରମାଣିତ କରିଥିଲେ।ତାଙ୍କର ଚେହେରା ଥିଲା ରାଜକୁମାର ପରି ଅତି ସୁନ୍ଦର।କଥା କହିବାର ଶୈଳୀ ମଧ୍ୟ ଥିଲା ତାଙ୍କର ସ୍ୱତନ୍ତ୍ର। ବ୍ରହ୍ମଗିରି, କୃଷ୍ଣ ପ୍ରସାଦ,କଣାସ ଏବଂ ପୁରୀ ସଦରର ଶହ ଶହ ଗ୍ରାମରେ ତାଙ୍କୁ ଲୋକେ ଜାଣୁଥିଲେ। ତାଙ୍କ ସହିତ ସୁସମ୍ପର୍କ ରଖୁଥିଲେ।ସେ ମଧ୍ୟ ଜଣେ ଭଲ ମୁରବି ଥିଲେ ।ସେ ଚବିଶି କୁଦ ଯାଦବ ସଙ୍ଘର ସଭାପତି ଥିଲେ। ତାଙ୍କ ମୃତ୍ୟୁରେ ନହରପଦା ବଜାର ଏବଂ ସମଗ୍ର ବ୍ରହ୍ମଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
